ଭୁବନେଶ୍ବର, କଟକରେ ଧାର୍ମିକ ଅନୁଷ୍ଠାନ ବନ୍ଦ

ଭୁବନେଶ୍ବର/କଟକ: ଆସନ୍ତାକାଲିଠାରୁ ଉଭୟ ଭୁବନେଶ୍ବର ଓ କଟକ ମହାନଗରର ସମସ୍ତ ଧର୍ମାନୁଷ୍ଠାନରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ପ୍ରକାଶ ନ ପାଇବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳପାଇଁ ଏହା ବଳବତ୍ତର ରହିବ। ଏ ନେଇ ଉଭୟ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଓ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ମନ୍ଦିର, ମସ୍‌ଜିଦ୍‌, ଗୁରୁଦ୍ବାର, ଚର୍ଚ୍ଚ ପରି ସମସ୍ତ ଧାର୍ମିକ ଅନୁଷ୍ଠାନରେ ଅଳ୍ପ ସଂଖ୍ୟକ ପୁରୋହିତ, ମୌଲବି, ପାଳକ ଆଦିଙ୍କୁ ନେଇ ପାରଂପରିକ ରୀତିନୀତି ଓ ପୂଜା ବିଧି ଅନୁଷ୍ଠିତ ହେବ। ଧାର୍ମିକ ଅନୁଷ୍ଠାନ ଗୁଡିକର ପରିଚାଳନା କମିଟି ରୀତିନୀତି ପାଇଁ ଏହା ମଧ୍ୟରେ ପ୍ରବେଶ କରିବା ପୂର୍ବରୁ ପୁରୋହିତ, ମୌଲବି, ପାଳକ ଆଦିଙ୍କ ପ୍ରତିଦିନ ଥର୍ମାଲ ସ୍କାନିଂ, ହାତ ଧୋଇବାର ବ୍ୟବସ୍ଥା କରିବେ। ଅନୁଷ୍ଠାନ ପରିସରରେ ସମ‌ସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବ ନିୟମକୁ ପାଳନ କରିବାକୁ କୁହାଯାଇଛି। ଧାର୍ମିକ ଅନୁଷ୍ଠାନରେ ‌ଭକ୍ତଙ୍କ ସମାଗମ ଯୋଗୁଁ
କରୋନା ସଂକ୍ରମଣ ବ୍ୟାପିବାର ଅଧିକ ଅଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାଙ୍କ ନିର୍ଦ୍ଦେଶକ୍ରମେ ବିଏମ୍‌ସି ଓ ସିଏମସି ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।

ଧର୍ମାନୁଷ୍ଠାନଗୁଡ଼ିକରେ ଏହି କଟକଣା ଲାଗିବା ପରେ ରାଜଧାନୀରେ ଶ୍ରୀରାମ ନବମୀ ଓ ରମଜାନ୍ ମାସ ପାଳନ ଫିକା ପଡ଼ି ଯାଇଛି। ଶ୍ରୀରାମ ନବମୀ ପାଇଁ ସମସ୍ତ ରାମ ମନ୍ଦିର, ହନୁମାନ ମନ୍ଦିର, ସାଇ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ଏହାପୂର୍ବରୁ ଉଭୟ ବିଏମ୍‌ସି ଓ ସିଏମ୍‌ସି ସମସ୍ତ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା ଉପରେ କଟକଣା ଲଗାଇ ଦେଇଛି। ପୂର୍ବରୁ ବିଭିନ୍ନ ଧର୍ମାନୁଷ୍ଠାନ ପାଇଁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଆଜିଠାରୁ ରଦ୍ଦ ହୋଇଛି ବୋଲି କୁହାଯାଇଛି।

The post ଭୁବନେଶ୍ବର, କଟକରେ ଧାର୍ମିକ ଅନୁଷ୍ଠାନ ବନ୍ଦ first appeared on Sambad.

from ରାଜ୍ୟ | Sambad https://ift.tt/3sB7ECj

Post a Comment

0 Comments