ବାତିଲ୍‌ ହୋଇପାରେ ମାଟ୍ରିକ୍‌ ପରୀକ୍ଷା, ନବୀନ ନିବାସ ନିକଟରେ ପହଞ୍ଚିଲେ ଛାତ୍ରଛାତ୍ରୀ

ଭୁବନେଶ୍ବର: ସିବିଏସ୍‌ଇ ପରେ ସିଆଇଏସ୍‌ସିଇ ବୋର୍ଡ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ବାତିଲ ହୋଇଛି। ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ଉକ୍ତ ଦୁଇ ବୋର୍ଡର ଛାତ୍ରଛାତ୍ରୀ ଉପର ଶ୍ରେଣୀକୁ ଉନ୍ନୀତ ହେବେ। ତେଣୁ ଓଡ଼ିଶା ସରକାର ମଧ୍ୟ ସମାନ ପନ୍ଥା ଆପଣାଇ ପାରନ୍ତି। ମାଟ୍ରିକ୍‌ ପରୀକ୍ଷା ଦାବିରେ ଆଜି ୫୦ରୁ ଛାତ୍ରଛାତ୍ରୀ ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେବା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ପରୀକ୍ଷା ସ୍ଥଗିତ ନିଷ୍ପତ୍ତିରେ ପରିବର୍ତନ ଆଣିବା ସହ ଓଡ଼ିଆ ବୋର୍ଡ ଛାତ୍ରଛାତ୍ରୀଙ୍କ ସ୍ବାର୍ଥ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ପରୀକ୍ଷା ବାତିଲ୍‌ କରିବାକୁ ରାଜ୍ୟ ସରକାର ଚିନ୍ତା କରୁଥିବା ଜଣାପଡ଼ିଛି। ଖୁବ୍‌ଶୀଘ୍ର ଏନେଇ ଘୋଷଣା ହୋଇପାରେ ବୋଲି ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମାଟ୍ରିକ୍‌ ପରୀକ୍ଷାକୁ ସ୍ଥଗିତ ରଖିବା ପରେ ଛାତ୍ରଛାତ୍ରୀ ପ୍ରଶ୍ନ ଉଠାଇଛନ୍ତି।
ସେମାନଙ୍କ କହିବା କଥା ହେଉଛି ଯେ ସିବିଏସ୍‌ଇ ଓ ସିଆଇଏସ୍‌ସିଇ ବୋର୍ଡର ପିଲାଙ୍କୁ ବିକଳ୍ପ ମାର୍କ ଜରିଆରେ ଉପର ଶ୍ରେଣୀକୁ ଉନ୍ନୀତ କରାଯିବ। ସେମାନେ ଏକାଦଶ ଶ୍ରେଣୀରେ ପଢ଼ିବେ। ତେଣୁ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) ଦ୍ବାରା ପରିଚାଳିତ ହେବାକୁ ଥିବା ଆମ ପରୀକ୍ଷାକୁ ବି ବାତିଲ୍‌ କରାଯାଉ। ଯଦି ପରୀକ୍ଷା ହେବ, ସମସ୍ତଙ୍କର ହେଉ। ଯଦି ନ ହେବ, ତା’ହେଲେ କାହାର ନ ହେଉ। ସେ ବୋର୍ଡର ପିଲାମାନେ ଅଧିକ ମାର୍କ ରଖି ଭଲ କଲେଜରେ ପଢ଼ିବେ। ଆଉ ଆମେ କ’ଣ ପାଇଁ ପଛରେ ପଡ଼ିବୁ?

ଛାତ୍ରଛାତ୍ରୀ କେବଳ ପ୍ରଶ୍ନ ଉଠାଇଛନ୍ତି ତାହା ନୁହେଁ, ବରଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ନବୀନ ନିବାସ ଫାଟକ ନିକଟରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରି ନ ଥିଲେ ମଧ୍ୟ ତାଙ୍କ ଉଦ୍ଦେଶ୍ୟରେ ଆଜି ଦାବିପତ୍ର ଦେଇ ଫେରିଛନ୍ତି। ଆହୁରି ଚେତାବନୀ ଦେଇଛନ୍ତି ଯେ ଦୁଇ ଦିନ ଭିତରେ ଯଦି ମାଟ୍ରିକ୍‌ ପରୀକ୍ଷା ବାତିଲ୍‌ କରା ନଯାଏ ‌ତେବେ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଆନ୍ଦୋଳନ କରିବୁ। କୌଣସି ବି ପରିସ୍ଥିତିରେ ଅନ୍ୟାୟକୁ ପ୍ରଶ୍ରୟ ଦେବୁ ନାହିଁ ବୋଲି ସେମାନେ କହିଛନ୍ତି।

ନବୀନ ନିବାସ ଯିବା ପୂର୍ବରୁ ଛାତ୍ରଛାତ୍ରୀ ଆଜି ସକାଳୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଭେଟିଥିଲେ। ପ୍ରାୟ ୨୦ ମିନିଟ୍‌ ଧରି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ବେଳେ ମନ୍ତ୍ରୀ ଶ୍ରୀ ଦାଶ ଆଶ୍ବାସନା ଦେଇ କହିଥିଲେ ଯେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ପରୀକ୍ଷା ଏବେ ସ୍ଥଗିତ ରହିଛି। ଜୁନ୍‌ ପ୍ରଥମ ସପ୍ତାହ ବେଳକୁ ସ୍ଥିତିର ସମୀକ୍ଷା କରାଯାଇ ପରବର୍ତୀ ପଦକ୍ଷେପ ନିଆଯିବ। ତେଣୁ କିଛି ସମୟ ଅପେକ୍ଷା କରିବା ସହ ପାଠପଢ଼ା ଜାରି ରଖ। ଠିକ୍‌ ସମୟରେ ଉପଯୁକ୍ତ ପଦକ୍ଷେପ ନିଆଯିବ। ରାଜ୍ୟ ସରକାର ସବୁବେଳେ ଛାତ୍ରଛାତ୍ରୀଙ୍କ ହିତରେ ରହିଛନ୍ତି। ତେଣୁ ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଆଯିବ ନାହିଁ।

ମନ୍ତ୍ରୀଙ୍କ ଆଶ୍ବାସନାରେ ସନ୍ତୁଷ୍ଟ ନ ହୋଇ ଛାତ୍ରଛାତ୍ରୀ ସେଠାରୁ ଫେରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନବୀନ ନିବାସ ଯାଇଥିଲେ। ବାଟରେ ଯିବା ସମୟରେ ପୁଲିସ ଅଧିକାରୀମାନେ ସେମାନଙ୍କୁ ଅଟକାଇଥିଲେ ଏବଂ ଆଗକୁ ବଢ଼ିବାକୁ ଦେଇ ନ ଥିଲେ।‌ ତେଣୁ ପିଲାମାନେ ସେଠାରେ ଦାବିପତ୍ର ଦେବା ସହ ଫେରି ଆସି ଫରେଷ୍ଟ ପାର୍କ ରାସ୍ତାରେ ଧାରଣାରେ ବସି ରହିଥିଲେ। ସେମାନଙ୍କୁ ବୁଝାସୁଝା କରିବା ପରେ ଧାରଣାରୁ ହଟିଥିଲେ। ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ସରକାର ଖୁବ୍‌ଶୀଘ୍ର ଏସମ୍ପର୍କରେ ନିଷ୍ପତ୍ତି ନେବେ। ଯଦି ପରୀକ୍ଷା ବାତିଲ ହେବ, କ’ଣ କରାଯିବ, ସେନେଇ ତର୍ଜମା ଚାଲିଛି। ଯଦି ପରୀକ୍ଷା ହୁଏ ତେବେ କେମିତି ହେବ ସେବିଷୟରେ ବି ତର୍ଜମା ହେଉଛି। ସରକାର ସବୁ ଦିଗକୁ ବିଚାର କରି ନିଷ୍ପତ୍ତି ନେବେ।

ଅନ୍ୟପକ୍ଷରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ନେଇ ‘ଆମ ଅଧିକାର’ ସାଧାରଣ ସମ୍ପାଦକ ଗଣେଶ ଦାସ ଆଜି କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। ‌ଶ୍ରୀ ଦାସ କହିଛନ୍ତି ଯେ କିଛି କୋଚିଂ ସେଣ୍ଟର ମାଲିକମାନେ ଖରାରେ ପିଲାଙ୍କୁ ସ୍କୁଲ ଡ୍ରେସରେ ନେଇ ରାସ୍ତା ଉପରେ ବସାଇଥିଲେ। ଏହାଦ୍ବାରା କୋଭିଡ୍‌ ଗାଇଡଲାଇନ ଉଲଂଘନ ହୋଇଛି। ୧୪୪ ଧାରା ଓ ଶିଶୁ ସୁରକ୍ଷା ଆଇନକୁ ବେଖାତିର କରାଯାଇଛି। ଯେଉଁମାନେ ଏଭଳି କାର୍ଯ୍ୟ କରିଛନ୍ତି ସେମାନଙ୍କ ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ରହିଛି। ତେଣୁ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ। ଆସନ୍ତା ତିନି ଦିନ ମଧ୍ୟରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ କ୍ୟାପିଟାଲ ଥାନା ଆଗରେ ଧାରଣା ଦେବୁ। ଏତଲା ପାଇବା ପରେ କ୍ୟାପିଟାଲ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଗଣେଶଙ୍କ ଅଭିଯୋଗ ମୁତାବକ, ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ୫୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପ୍ରଶାନ୍ତ ତ୍ରିପାଠୀ ଓ ଅଞ୍ଜନା ତ୍ରିପାଠୀଙ୍କ ନେତୃତ୍ବରେ ଚାଲି ଚାଲି ଯାଉଥିଲେ। ପ୍ରବଳ ଖରାରେ ସେମାନେ ଚାଲିବା ସହ ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ନଥିଲା। ନବୀନ ନିବ‌ାସ ପୂର୍ବରୁ ସେମାନେ ରାସ୍ତାରୋକ ମଧ୍ୟ କରିଥିଲେ। ବିନା ସୂଚନାରେ ହୋଇଥିବାରୁ ସାଧାରଣ ଲୋକ ହଇରାଣ ହୋଇଥିଲେ। ଏଭଳି କାଣ୍ଡ ମହାମାରୀ ଆଇନ ସମେତ ୧୪୪ ଧାରା ଓ ଶିଶୁ ଅଧିକାର ଆଇନକୁ ମଧ୍ୟ ଉଲ୍ଲଂଘନ କରୁଛି। ଏଣୁ ଏହା ପଛରେ ଥିବା ଲୋକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ ବୋଲି ସେ କହିଛନ୍ତି। ଅନ୍ୟପଟେ ଅଭିଯୋଗକୁ ଗୁରୁତ୍ବର ସହ ନିଆଯାଇଥିବା କହିଛନ୍ତି କ୍ୟାପିଟାଲ ଥାନା ଇନ୍‌ସ୍‌ପେକ୍ଟର ଦାୟିତ୍ବରେ ଥିବା ଗିରିଜା ଶଙ୍କର ଚକ୍ରବର୍ତ୍ତୀ। ଏହି ମାମଲାରେ ଦୁଇଜଣଙ୍କୁ ଅଟକ ରଖାଯାଇଥିବା ସେ ସୂଚନା ଦେଇଛନ୍ତି।

The post ବାତିଲ୍‌ ହୋଇପାରେ ମାଟ୍ରିକ୍‌ ପରୀକ୍ଷା, ନବୀନ ନିବାସ ନିକଟରେ ପହଞ୍ଚିଲେ ଛାତ୍ରଛାତ୍ରୀ first appeared on Sambad.

from ରାଜ୍ୟ | Sambad https://ift.tt/3n38K8P

Post a Comment

0 Comments