ଦୈନିକ ସଂକ୍ରମଣ ୫ହଜାର ମୁହାଁ, ରେଡ୍ ଜୋନ୍‌ରେ ୧୦ ଜିଲ୍ଲା

ଭୁବନେଶ୍ବର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୫ହଜାର ମୁହାଁ ହୋଇଛି। ଦ୍ବିତୀୟ ଲହରରେ ଅତ୍ୟନ୍ତ ଭୀଷଣ ବେଗରେ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୪୭୬୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଯାହାକି ୧୮ତାରିଖ ତୁଳନାରେ ୭ ପ୍ରତିଶତ ଅଧିକ। ଚଳିତବର୍ଷର ଦୈନିକ ସଂକ୍ରମଣ ଗତବର୍ଷର ସର୍ବାଧିକ ସଂକ୍ରମଣକୁ ମଧ୍ୟ ପଛରେ ପକାଇଦେଇଛି। ରାଜ୍ୟର ଏବେ ୧୦ଟି ଜିଲ୍ଲା ରେଡ୍‌ ଜୋନ୍‌କୁ ଧସେଇ ପଶିଛି। ଏଥିରେ ପଶ୍ଚିମ ଓଡ଼ିଶାର କେବଳ ୭ଟି ଜିଲ୍ଲା ରହିଛି। ଏହାସହ ରାଜ୍ୟର ଆଉ ୫ ଜିଲ୍ଲା ‌ୟେଲୋ ଜୋନ୍‌ରେ ସାମିଲ ହୋଇଛି। ରାଜ୍ୟରେ କେବଳ ସଂକ୍ରମଣ ବଢ଼ୁନାହିଁ, ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାକୁ ଆରମ୍ଭ କରିଛି। ଚଳିତମାସ ଆରମ୍ଭରୁ ରାଜ୍ୟରେ ୧/୨ଜଣଙ୍କ ମୃତ୍ୟୁ ସଂପର୍କରେ ସରକରୀ ଭାବେ ସୂଚନା ଦେଉଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୫ରେ ପହଞ୍ଚିଯାଇଛି।

ସଂକ୍ରମଣ ବଢ଼ୁଥିବା ସମୟରେ ଅଧିକରୁ ଅଧିକ ସଂଖ୍ୟକ କୋଭିଡ୍‌ ନମୁନା ପରୀକ୍ଷା କରିବାର ଆବଶ୍ୟକତା ରହିଥିବା ବେଳେ ରାଜ୍ୟରେ ଏଥିରେ ବଡ଼ ଧରଣର ପରିବର୍ତନ ଦେଖିବାକୁ ମିଳିନାହିଁ। ଏପରିକି ଗତ ୨୪ଘଣ୍ଟାରେ ୩୨,୩୪୯ ନମୁନା ପରୀକ୍ଷା କରାଯାଇଥିବା ବେଳେ ତାହା ଗତ ୪ଦିନ ଧରି ଦୈନିକ ଯେତିକି ନମୁନା ପରୀକ୍ଷା ହେଉଥିଲା ତା’ଠାରୁ ମଧ୍ୟ କମ୍। ଏଥିରେ ୧୪,୧୭୮ ଆର୍‌ଟି-ପିସିଆର ନମୁନା ରହିଛି। ଯାହାଫଳରେ ରାଜ୍ୟରେ ଟେଷ୍ଟ ପଜିଟିଭ୍ ରେଟ୍‌ ବା ଟିପିଆର ଭୟଙ୍କର ଭାବେ ବଢ଼ିବାରେ ଲାଗିଛି। ଗତ ୨୪ଘଣ୍ଟାରେ ରାଜ୍ୟର ଟିପିଆର ୧୪,୭୧ ପ୍ରତିଶତକୁ ବୃଦ୍ଧି ପାଇଛି। ଯାହାକି ଚଳିତବର୍ଷର ସର୍ବାଧିକ।

ଦୈନିକ ସଂକ୍ରମଣରେ ଖୋର୍ଧା ଓ ସୁନ୍ଦରଗଡ଼ ଜିଲ୍ଲା ଭିତରେ ଏକପ୍ରକାର ପ୍ରତିଯୋଗିତା ଚାଲିଛି। ଖୋର୍ଧାରେ ଦିନକରେ ୮୨୦ଜଣ ଆକ୍ରାନ୍ତ ବାହାରିଥିବା ବେଳେ ସୁନ୍ଦରଗଡ଼ରେ ୬୭୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ନୂଆପଡ଼ା ୫୩୪, ବଲାଙ୍ଗୀର ୩୨୨, ଝାରସୁଗୁଡ଼ା ୨୩୪, ବରଗଡ଼ ୧୯୮, ପୁରୀ ୧୯୩, ସମ୍ବଲପୁର ୧୮୩, କଟକ ୧୭୬, କଳାହାଣ୍ଡି ୧୬୭, ନବରଙ୍ଗପୁର ୧୫୪ ଓ କେନ୍ଦୁଝରରେ ୧୦୩ଜଣ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ୧୨ଟି ଜିଲ୍ଲାରେ ଶହେରୁ ଅଧିକ ଆକ୍ରାନ୍ତ ବାହାରିଛନ୍ତି। ଯାହାଫଳରେ ରାଜ୍ୟର ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩୭ଲକ୍ଷ ୭୪ହଜାର ୬୪କୁ ବୃଦ୍ଧି ପାଇଛି।

ରାଜ୍ୟରେ ଏବେ କ୍ରମାଗତ ଭାବ‌େ କରୋନା ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ରାୟଗଡ଼ା, କେନ୍ଦୁଝ‌ରରେ ଜଣେ ଲେଖାଏଁ ଓ ନୂଆପଡ଼ାରେ ୩ଜଣ କରୋନାର ଶିକାର ହୋଇଛନ୍ତି। ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୯୫୩କୁ ବୃଦ୍ଧି ପାଇଛି। ଚଳିତମାସରେ ୩୨ଜଣଙ୍କ କରୋନାରେ ମୃତ୍ୟୁ ହୋଇ ସାରିଲାଣି। ରାଜ୍ୟରେ ଆଜି ୧୭୪୦ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସତ୍ବେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୬,୦୮୧ ରହିଛି।

The post ଦୈନିକ ସଂକ୍ରମଣ ୫ହଜାର ମୁହାଁ, ରେଡ୍ ଜୋନ୍‌ରେ ୧୦ ଜିଲ୍ଲା first appeared on Sambad.

from ରାଜ୍ୟ | Sambad https://ift.tt/3xmzWnM

Post a Comment

0 Comments