୯ ସହରରେ ପାରଦ ୪୦ଡିଗ୍ରି ଡେଇଁଲା

ଭୁବନେଶ୍ବର : ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ରାଜଧାନୀର ତାପମାତ୍ରା ୪୦ ଡିଗ୍ରି ଡେଇଁଛି। ଆହୁରି ୮ ସହର ତାପମାତ୍ରା ବି ୪୦ ଉପରେ ରହିଛି। ବୌଦ୍ଧ ଓ ମାଲକାନଗିରିଠାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୧ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଅନୁଗୁଳ, ସମ୍ବଲପୁର, ସୁନ୍ଦରଗଡ଼, ହୀରାକୁଦ, ଭବାନୀପଟଣା ଓ ଟିଟିଲାଗଡ଼ ଆଦି ସ୍ଥାନର ତାପମାତ୍ରା ମଧ୍ୟ ୪୦ ଡିଗ୍ରି ଉପରେ ରହିଥିଲା। ତେବେ ଆସନ୍ତା ୪ ଦିନ ଧରି ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଆଉ ବିଶେଷ ତାତି ବଢ଼ିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି, ଆସନ୍ତା ୨୨ ତାରିଖକୁ ଛାଡ଼ି ରାଜ୍ୟରେ ୨୩ ତାରିଖ ଯାଏଁ କାଳବୈଶାଖୀର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, କନ୍ଧମାଳ, ମୟୂରଭଞ୍ଜ, କନ୍ଧମାଳ ଓ ବଲାଙ୍ଗୀରରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ ଓ ବଲାଙ୍ଗୀରରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ୨୨ ତାରିଖ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ। କାଁ ଭାଁ ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ। ୨୩ ତାରିଖ ଅପରାହ୍ନ ଆଡ଼କୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପବନର ବେଗ ବଢ଼ିବ। ପ୍ରାୟ ୩୦ରୁ ୪୦ କିମି ବେଗରେ ପବନ ବହିବ। ‌କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, କନ୍ଧମାଳ ଓ ରାୟଗଡ଼ାରେ ଝଡ଼ବର୍ଷା ହେବ। କାଳବୈଶାଖୀର ସମ୍ଭାବନାକୁ ନେଇ ଉପରୋକ୍ତ ୩ ଦିନ ପାଇଁ ସଂପୃକ୍ତ ଜିଲ୍ଲାଗୁଡ଼ିକରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆସନ୍ତାକାଲି ଭୁବନେଶ୍ବର ଓ ଏହାର ସଂଲଗ୍ନ ଅଞ୍ଚଳର ତାତି ଅପେକ୍ଷାକୃତ କମ୍‌ ରହିବ। ଆଜି ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୪୦.୬ ଡିଗ୍ରି ରହିଥିବା ବେଳେ ଆସନ୍ତାକାଲି ଏହା ୩୯ ଡିଗ୍ରି ପାଖାପାଖି ରହିବ। ଆକାଶ ଆଂଶିକ ମେଘୁଆ ରହିବା ସହ ହାଲ୍‌କାରୁ ମଧ୍ୟମ ଧରଣର ବ‌ର୍ଷା ହେବାର ସମ୍ଭାବନା ରହିଛି।

The post ୯ ସହରରେ ପାରଦ ୪୦ଡିଗ୍ରି ଡେଇଁଲା first appeared on Sambad.

from ରାଜ୍ୟ | Sambad https://ift.tt/2RFfA8G

Post a Comment

0 Comments