ଆନ୍ଧ୍ରରୁ ଆସି ଓଡ଼ିଶାରେ ଶିକାର, ୮ଜଣିଆ ଗ୍ୟାଙ୍ଗକୁ ଧରିଲେ ଗ୍ରାମବାସୀ

ବୈପାରିଗୁଡ଼ା: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକର କୋଟା ଜଙ୍ଗଲରେ ଧରାପଡ଼ିଛନ୍ତି ପେସାଦାର ଶିକାରୀ ଗ୍ୟାଙ୍ଗ୍। ଏହି ଗ୍ୟାଙ୍ଗର ୪ଜଣ ମହିଳା ଏବଂ ୪ଜଣ ପୁରୁଷ ସଦସ୍ୟଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି ଜଙ୍ଗଲ ନିକଟସ୍ଥ ମହୁଲି ଗ୍ରାମବାସୀ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଆନ୍ଧ୍ରରୁ ଆସି ଏମାନେ ଓଡ଼ିଶାରେ ଶିକାର କରୁଥିଲେ। ଜିଅନ୍ତା ପଶୁଙ୍କୁ ରାଜ୍ୟ ବାହାରକୁ ଚାଲାଣ କରୁଥିବା ବେଳେ ଜାଲରେ ପଡ଼ି ମୃତ୍ୟୁବରଣ କଲେ ପଶୁପକ୍ଷୀଙ୍କ ନଖ, ଦାନ୍ତ, ଚମଡ଼ା ସହ ଶରୀରର ଅନ୍ୟାନ୍ୟ ଅଂଶକୁ ବାହାର କରି ଦେଉଥିଲେ। ଦୀର୍ଘ ଦିନ ହେଲା ଏହି ଶିକାରୀ ଗ୍ୟାଙ୍ଗ୍ ଚୁପଚାପ୍ ଶିକାର କରି ପୁଣି ଆନ୍ଧ୍ରକୁ ଚାଲି ଯାଉଥିଲେ। ଶିକାରରେ ଏମାନେ ଏତେ ନିପୁଣ ଯେ, ଯିବା ପୂର୍ବରୁ ସବୁ ପ୍ରମାଣ ଏବଂ ସୁରାକକୁ ମଧ୍ୟ ନଷ୍ଟ କରି ଦେଉଥିଲେ।

ସୂଚନା ଅନୁଯାୟୀ, ବୈପାରିଗୁଡ଼ା ଠାରୁ ସାତ କିଲୋମିଟର ଦୂର ମହୁଲି ଗ୍ରାମକୁ ଲାଗି ରହିଥିବା କୋଟା ପିଆରଏଫ୍ ଜଙ୍ଗଲ ଦେଇ ନିକଟସ୍ଥ ଗ୍ରାମବାସୀ କୌଣସି କାମରେ ଯାଉଥିଲେ। ଏହି ସମୟରେ ଘଞ୍ଚ ଜଙ୍ଗଲରେ କିଛି ମହିଳା ଓ ପୁରୁଷଙ୍କ ସନ୍ଦେହଜନକ ଗତିବିଧିକୁ ଗ୍ରାମବାସୀ ଦେଖିଥିଲେ। ବିଭିନ୍ନ ଉପକରଣ ସହ ଜାଲ ବିଛାଇ ଏମାନେ ଶିକାର ଅପେକ୍ଷାରେ ରହିଥିଲେ। ଶିକାର ପାଇଁ ଏମାନେ ଆସିଥିବା ସ୍ପଷ୍ଟ ହେବାରୁ ଫୋନ କରି ଗାଁରୁ ଅନ୍ୟମାନଙ୍କୁ ଡକାଇଥିଲେ। ଏହାପରେ ଚାରିପଟୁ ଘେରିଯାଇ ଗ୍ରାମବାସୀ ୪ଜଣ ପୁରୁଷ ଏବଂ ୪ଜଣ ମହିଳାଙ୍କୁ କାବୁ କରିଥିଲେ। ଖବର ପାଇ ପୁଲିସ ଏବଂ ବନ ବିଭାଗ କର୍ମଚାରୀ ମଧ୍ୟ ପହଞ୍ଚିଥିଲେ। ଶିକାରୀ ଗ୍ୟାଙ୍ଗକୁ ଥାନାକୁ ନେଇ ପଚରାଉଚୁରା କରାଯାଇଥିଲା। ଯେଉଁ ବୟାନ ମିଳିଥିଲା ତାହା ପୁଲିସ ଏବଂ ବନ କର୍ମଚାରୀଙ୍କୁ ଚକିତ କରିଥିଲା।

ଏହି ଶିକାରୀ ଗ୍ୟାଙ୍ଗର ସମସ୍ତ ସଦସ୍ୟ ଆନ୍ଧ୍ରପ୍ରଦେଶର ୱାରଙ୍ଗଲ ଅଞ୍ଚଳର। ସମସ୍ତେ ପେସାଦାର ଶିକାରୀ ଏବଂ ବୁଲି ବୁଲି ଶିକାର କରିବା ଏମାନଙ୍କ କାମ। ଲୁହା ଛଡ଼, ଜାଲ, ଜେଇ ତାର, ଲୁହାରେ ତିଆରି କବ୍‌ଜା ସହ ଛୁରୀ, ଫ୍ଲାସ୍‌ ଭଳି ଶିକାର ପାଇଁ ଦରକାର ପଡ଼ୁଥିବା ସରଞ୍ଜାମ ଏମାନଙ୍କ ନିକଟରୁ ମିଳିଥିଲା। ନଗଦ ୩୧ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି। ଓଡ଼ିଶା ଆସିବା ପାଇଁ ବ୍ୟବହାର କରିଥିବା ୪ଟି ବାଇକକୁ ମଧ୍ୟ ଜବତ କରାଯାଇଛି। ଉଭୟ ପଶୁ ଓ ପକ୍ଷୀ ଶିକାର କରିଥାନ୍ତି। ଜିଅନ୍ତା ପଶୁପକ୍ଷୀ ଧରିବାରେ ଅଭ୍ୟସ୍ତ। ତଥାପି ଜିଅନ୍ତା ପଶୁପକ୍ଷୀଙ୍କୁ ନେଇ ଯିବା ସହଜ ହୋଇ ନଥିବାରୁ ହତ୍ୟା କରିବା ପରେ ଦାନ୍ତ, ହାଡ଼, ଚମଡ଼ା ଆଦି ବାହାର କରୁଥିବା ପଚରାଉଚୁରା ସମୟରେ ଜଣାପଡ଼ିଥିଲା।

The post ଆନ୍ଧ୍ରରୁ ଆସି ଓଡ଼ିଶାରେ ଶିକାର, ୮ଜଣିଆ ଗ୍ୟାଙ୍ଗକୁ ଧରିଲେ ଗ୍ରାମବାସୀ first appeared on Sambad.



from ରାଜ୍ୟ – Sambad https://ift.tt/3rE8SgA

Post a Comment

0 Comments