କଟକର ଆଇନଜୀବୀଙ୍କ ମାଆଙ୍କୁ ହତ୍ୟା ମାମଲା: ୩୦ ବର୍ଷ ପରେ ଫେରାର୍‌ ଅଭିଯୁକ୍ତ ଧରାପଡ଼ିଲା

ଭଞ୍ଜନଗର: କଟକରେ ଗତ ୧୯୯୧ ମସିହାରେ ଘଟିଥିବା ଜଣେ ମହିଳାଙ୍କୁ ହତ୍ୟା ମାମଲାରେ ଜାମିନ୍‌ରେ ଆସି ଫେରାର୍‌ ହୋଇ ଯାଇଥିବା ଅଭିଯୁକ୍ତକୁ ଗଞ୍ଜାମ ଜିଲ୍ଲା ତାରସିଂ ଥାନା ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି। ଦୀର୍ଘ ୩୦ ବର୍ଷ ଧରି ଅଭିଯୁକ୍ତ ଜଣଙ୍କ ନାମ ବଦଳାଇ ଆତ୍ମଗୋପନ କରି ରହିଥିବାବେଳେ ଆଜି ପୁଲିସ ତାକୁ ତାରସିଂ ଥାନା ଇଲାକାରୁ କାବୁ କରିବାରେ ସକ୍ଷମ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ତାରସିଂ ଥାନା ଅଧୀନ କଳିଙ୍ଗପଦର ଗ୍ରାମର ପ୍ରଦୀପ ନାୟକ(୫୨।

ଅଭିଯୁକ୍ତ ପ୍ରଦୀପ ୩୦ ବର୍ଷ ତଳେ ଭୁବନେଶ୍ବରରେ ରିକ୍ସା ଚଳାଇବା ସହ ନିଜ ନାମ ପ୍ରଦୀପ ନାୟକ ବଦଳରେ ପ୍ରଦୀପ ବେହେରା ଭାବେ ପରିଚୟ ଦେଇ ରହୁଥିଲା। ଏହି ସମୟରେ ତା’ର ଜଣେ ବନ୍ଧୁଙ୍କ ସହ କଟକରେ ରହୁଥିବା ଜଣେ ମହିଳାଙ୍କ ସହ ଟଙ୍କା ପଇସା କାରବାରକୁ ନେଇ ଗଣ୍ଡଗୋଳ ହୋଇଥିଲା। ମହିଳା ଜଣଙ୍କ କଟକର ଜଣେ ଆଇନଜୀବୀଙ୍କ ମାଆ ହୋଇଥିବାବେଳେ ସେହି ଗଣ୍ଡଗୋଳ କାରଣରୁ ପ୍ରଦୀପର ବନ୍ଧୁ ସେହି ମହିଳାଙ୍କୁ ହତ୍ୟା କରିବା ଯୋଜନା କରିଥି‌ଲା। ଏହି ହତ୍ୟାକାଣ୍ଡରେ ପ୍ରଦୀପ ଏବଂ ଆଉ ଜଣେ ସହଯୋଗୀ ତାକୁ ସହଯୋଗ କରିଥିଲେ। ଏହି ଘଟଣାରେ ସେହି ସମୟରେ କଟକ ପୁଲିସ୍ ତଦନ୍ତ କରି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା‌ ବେଳେ ପ୍ରଦୀପ ଜାମିନ୍‌ରେ ଆସି ଫେରାର୍ ହୋଇ ଯାଇଥିଲା। ସେହିଦିନ ଠାରୁ ପ୍ରଦୀପର କୌଣସି ଖୋଜ ଖବର ମିଳିନଥିଲ। ସେହି ମାମଲାର ପୁରୁଣା ୱାରେଣ୍ଟ୍‌କୁ ଖୋଜି ପ୍ରଦୀପକୁ ଗିରଫ କରିବାରେ ପୁଲିସ ସଫଳ ହୋଇଛି। ବର୍ତ୍ତମାନ ପୁଲିସ୍‌ ପ୍ରଦୀପକୁ ଭଞ୍ଜନଗର ଜେଲ୍‌ରେ ରଖିଥିବା ବେଳେ କଟକ ପୁଲିସ୍‌କୁ ଅବଗତ କରାଯାଇଛି। କଟକ ପୁଲିସ୍‌ ଆସିବା ‌ପରେ ପ୍ରଦୀପକୁ କଟକ କୋର୍ଟରେ ହାଜର କରାଯିବ ବୋଲି ତାରସିଂ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।

The post କଟକର ଆଇନଜୀବୀଙ୍କ ମାଆଙ୍କୁ ହତ୍ୟା ମାମଲା: ୩୦ ବର୍ଷ ପରେ ଫେରାର୍‌ ଅଭିଯୁକ୍ତ ଧରାପଡ଼ିଲା first appeared on Sambad.



from ରାଜ୍ୟ – Sambad https://ift.tt/3byFK4K

Post a Comment

0 Comments