ରାଜଧାନୀରେ ଶିକ୍ଷକଙ୍କୁ କରୋନା

ଭୁବନେଶ୍ବର : ମହା‌ରାଷ୍ଟ୍ର ଓ ଛତିଶଗଡ଼ ଭଳି ଦେଶର କେତେକ ରାଜ୍ୟରେ କରୋନା ନୂଆ ରୂପରେ ଫେରିବା ପରେ ଓଡ଼ିଶାକୁ କରୋନା ଡର ଘାରିଲାଣି। ସମସ୍ତଙ୍କୁ ସତର୍କ ରହିବା ଲାଗି ‌ଖୋଦ୍ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଏମିତି ସମୟରେ ରାଜଧାନୀରେ ଏକ ହାଇସ୍କୁଲର ଜଣେ ଶିକ୍ଷକ କରୋନା ଆକ୍ରାନ୍ତ ହେବା ଖବର ଆସିଛି।

ଦୁଇ ଦିନ ତଳେ ଶିକ୍ଷକ ଜଣକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ସ୍କୁଲକୁ ବନ୍ଦ କରାଯାଇ ପିଲାମାନଙ୍କୁ ସ୍କୁଲ ନ ଆସିବା ଲାଗି କୁହାଯାଇଥିଲା। ତେବେ ପ୍ରକୃତ କାରଣ ସମ୍ପର୍କରେ ପିଲାଙ୍କୁ କୁହାଯାଇ ନ ଥିଲ‌ା। ବରଂ କ୍ୟାମ୍ପସକୁ ବିଶୋଧନ କରାଯିବାକୁ ଥିବାରୁ ସ୍କୁଲ ଛୁଟି କରାଯାଉଛି ବୋଲି ଛାତ୍ରଛାତ୍ରୀଙ୍କୁ କୁହାଯାଇଥିଲା। ଏଥିପାଇଁ ଶନିବାର ଓ ରବିବାର ସ୍କୁଲରେ ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହୋଇପାରି ନ ଥିଲା। ଏହି ଦୁଇ ଦିନ ଧରି କ୍ୟାମ୍ପସ ବିଶୋଧନ କରାଯିବା ପରେ ସୋମବାରଠାରୁ ପୁଣିଥରେ ପାଠପଢ଼ା ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯା‌ୟୀ ଗତ ସପ୍ତାହରେ ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ନିକଟରେ କରୋନା ଲକ୍ଷଣ ଦେଖାଦେବା ପରେ ତାଙ୍କୁ ପରୀକ୍ଷା କରିବାକୁ କୁହାଯାଇଥିଲା। ପରୀକ୍ଷା ରିପୋର୍ଟର ପଜିଟିଭ୍‌ ଆସିବା ପରେ ସମ୍ପୃକ୍ତ ଶିକ୍ଷକ ଜଣକ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ସମ୍ପୃକ୍ତ ଶିକ୍ଷକଙ୍କୁ ଛୁଟିରେ ଯିବା ଲାଗି ସ୍କୁଲ କର୍ତୃପକ୍ଷ କହିଥିଲେ। ଶୁକ୍ରବାର ଏ ନେଇ ଜଣାପଡ଼ିବା ପରେ ସ୍କୁଲ କର୍ତୃପକ୍ଷ ଦୁଇ ଦିନ ଲାଗି ସ୍କୁଲ ଛୁଟି ଘୋଷଣା କରିଥିଲେ। ପିଲାଙ୍କୁ ଆସିବା ଲାଗି ମନା କରାଯିବା ସହ ବିଶୋଧନ କରାଯାଇଥିଲା।

ଏ ନେଇ ସ୍କୁଲ କର୍ତୃପକ୍ଷ କହିଛନ୍ତି ଯେ କରୋନା ନେଇ ଭୟଭୀତ ହେବାର ନାହିଁ। କ୍ୟାମ୍ପସର ପ୍ରତି କ୍ଲାସରୁମ୍‌, ବେଞ୍ଚ, ଚେୟାର, ଆଲମିରା, ଗ୍ରିଲ୍‌, ପ୍ରଧାନଶିକ୍ଷୟିତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଟିଚର୍ସ କମନ୍‌ ରୁମ୍‌କୁ ବିଶୋଧନ କରାଯାଇଛି। କ୍ୟାମ୍ପସର ସଫେଇ କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଶୈଚାଳୟଗୁଡ଼ିକୁ ମଧ୍ୟ ସଫେଇ କରାଯାଇଛି। ସୋମବାରଠାରୁ ପୁଣିଥରେ ନିୟମିତ ଭାବେ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହେବ।

The post ରାଜଧାନୀରେ ଶିକ୍ଷକଙ୍କୁ କରୋନା first appeared on Sambad.



from ରାଜ୍ୟ – Sambad https://ift.tt/3aHPDfG

Post a Comment

0 Comments