
ଭୁବନେଶ୍ବର : ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ବଜେଟ୍ ଉପସ୍ଥାପନ କରିବେ। ତେବେ ନିର୍ଦିଷ୍ଟ କେଉଁ ସମୟରେ ବଜେଟ୍ ଉପସ୍ଥାପନ ହେବ, ତାହା ଜଣାପଡିନାହିଁ। ଆସନ୍ତାକାଲି ଧାନ କିଣା ପ୍ରସଙ୍ଗରେ ୨ ଘଣ୍ଟିଆ ଆଲୋଚନା ପରେ ଅପରାହ୍ନ ଅଧିବେଶନରେ ବଜେଟ୍ ଉପସ୍ଥାପନ ହୋଇପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଶନିବାର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହୋଇସାରିଛି।
୯ ତାରିଖରେ ମନ୍ତ୍ରୀ ପରିଷଦ ବୈଠକରେ ଚିଠା ବଜେଟ୍କୁ ଅନୁମୋଦନ ମିଳିଥିଲା। ଅସମର୍ଥିତ ସୂତ୍ରରୁ ଯାହା ସୂଚନା ମିଳୁଛି, ବଜେଟ୍ ଆକାର ୧ଲକ୍ଷ ୭୦ ହଜାର କୋଟି ଟଙ୍କା ଟପିଯାଇପାରେ। ଅର୍ଥାତ୍ ପୂର୍ବ ବର୍ଷ ତୁଳନାରେ ୧୩ ପ୍ରତିଶତରୁ ଅଧିକ ଟଙ୍କା ଖର୍ଚ୍ଚ କରିବା ଲାଗି ଏକ ବଡ଼ ଟାର୍ଗେଟ ନେଇପାରନ୍ତି।
୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରାୟ ୧ଲକ୍ଷ ୫୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରାଯାଇଥିଲା। ମାତ୍ର ବଜେଟ୍ ଅନୁମୋଦନ ପୂର୍ବରୁ ରାଜ୍ୟକୁ କରୋନା ଗ୍ରାସ କରିଥିଲା। ରାଜ୍ୟ ଅର୍ଥନୀତି ଓ ବିକାଶ ଉପରେ କରୋନା ଏଭଳି ପ୍ରଭାବ ପକାଇଥିଲା ଯେ ବିକାଶ ଠପ୍ ହୋଇଯାଇଥିଲା। ଅର୍ଥନୈତିକ ସର୍ଭେ ରିପୋର୍ଟରେ ତାର ପ୍ରଭାବ କେତେ ସାଂଘାତିକ, ସେ ସଙ୍କେତ ମିଳିଛି। ରାଜ୍ୟ ଅର୍ଥନୀତିର ଅଭିବୃଦ୍ଧି ଚଳିତ ଆର୍ଥିକ ବର୍ଷରେ ୪.୯ ପ୍ରତିଶତ ସଙ୍କୁଚିତ ହୋଇଯିବ ବୋଲି ଆକଳନ କରାଯାଇଛି।
ତେବେ ନଭେମ୍ବର ମାସ ପରେ ରାଜ୍ୟରେ ରାଜସ୍ବ ଆଦାୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି ଓ ଗତବର୍ଷର ଏହି ସମୟ ତୁଳନାରେ ରାଜସ୍ବ ୭.୫% ବୃଦ୍ଧି ପାଇଥିବା ପରିପ୍ରେକ୍ଷୀରେ ସରକାର ପୁଣି ଏକ ବଡ଼ ବଜେଟ୍ କରିବା ଲାଗି ମନ ବଳାଇଛନ୍ତି।
The post ଆଜି ରାଜ୍ୟ ବଜେଟ୍ first appeared on Sambad.
from ରାଜ୍ୟ – Sambad https://ift.tt/3aFSvdf
0 Comments