ବିଶିଷ୍ଟ ସିନେ ସମୀକ୍ଷକ ତଥା ସାହିତ୍ୟିକ ରଣଧୀର ଦାସଙ୍କ ପରଲୋକ

କଟକ: ବିଶିଷ୍ଟ ସିନେ ସମୀକ୍ଷକ, ସିନେ ସାମ୍ବାଦିକ, ସାହିତ୍ୟକ ତଥା ଓଡିଶା ଚଳଚ୍ଚିତ୍ର ସଂଘର ପ୍ରାଣ ପ୍ରତିଷ୍ଠାତା ରଣଧୀର ଦାସଙ୍କ ଆଜି ଅପରାହ୍ନରେ ପରଲୋକ ହୋଇଯାଇଛି। କଟକ ସ୍ଥିତ ଡଗରପଡା ବାସ ଭବନରେ ୮୨ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ଘରେ ଚିକିତ୍ସିତ ହେଉଥିଲେ। ରଣଧୀର ଦାସ ୧୯୩୮ ମସିହା ସେପ୍ଟେମ୍ବର ୨୩ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ। କଟକ ଡଗରପଡା ସ୍ଥିତ ତାଙ୍କ ଘରେ ସେ ଜାତୀୟ ଦୂରଦର୍ଶନ ଓ ଚଳଚ୍ଚିତ୍ର ପ୍ରତିଷ୍ଠାନ ନାମରେ ଓଡ଼ିଶାର ପ୍ରଥମ ସିନେମା ପ୍ରଶିକ୍ଷଣ ସ୍କୁଲ ଖୋଲିଥିଲେ।

ଆଜିର ବହୁ ସିନେ ଓ ଟେଲି କଳାକାର ତାଙ୍କ ସ୍କୁଲରୁ ହିଁ ଅଭିନୟ ଶିକ୍ଷା ଗ୍ରହଣ କରି ଆଜି ପ୍ରତିଷ୍ଠିତ ହୋଇପାରିଛନ୍ତି। ସେ ଚଳଚ୍ଚିତ୍ର ସାହିତ୍ୟ ପତ୍ରିକା ‘ଜୀବନ ରଙ୍ଗ’ ଓ ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକାର ସମ୍ପାଦକ ଥିବା ସହ ଏକା ଧାରାରେ ଜଣେ ଔପନ୍ୟାସିକ ଓ ଲେଖକ ମଧ୍ୟ ଥିଲେ।

କାଦମ୍ବିନୀ, ଚିତ୍ର ପୁରୀ ସମ୍ମାନ ଓ ଚଳଚ୍ଚିତ୍ର ପ୍ରତିଭା ସମ୍ମାନ ଆଦି ଅନେକ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ସେ ଦୁଇଟି ଚଳଚିତ୍ର ଓ ଦୁଇଟି ଟେଲି ଧାରାବାହିକ‌ରେ ଅଭିନୟ କରିଥିଲେ। ଏହାସହ ଦୁଇଟି ଟେଲି ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ। ସେ ହେଉଛନ୍ତି ଓଡ଼ିଆ ଚଳଚିତ୍ରର ପ୍ରଥମ ସଙ୍କଳକ। ଏହାସହ ଜଣେ ଚଳଚିତ୍ର ବିତରକ ମଧ୍ୟ ରହିଥିଲେ। ତାଙ୍କ ଧର୍ମପତ୍ନୀ ବିଜୟନୀ ଦାଶ ଜଣେ ଖ୍ୟାତନାମା ଲେଖିକା। ତାଙ୍କର ଗୋଟିଏ ପୁଅ ଓ ଝିଅ। ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।

The post ବିଶିଷ୍ଟ ସିନେ ସମୀକ୍ଷକ ତଥା ସାହିତ୍ୟିକ ରଣଧୀର ଦାସଙ୍କ ପରଲୋକ first appeared on Sambad.



from ରାଜ୍ୟ – Sambad https://ift.tt/3oT3CDz

Post a Comment

0 Comments