
ଭୁବନେଶ୍ବର : ଜିଏସ୍ଟି ସରଳୀକରଣ, ଇ-କମର୍ସ ବ୍ୟବସାୟୀଙ୍କ ବିସ୍ତାରବାଦ ନୀତି ଉପରେ ସରକାରୀ ନିୟନ୍ତ୍ରଣ ଓ ଖାଦ୍ୟ ନିରାପତ୍ତା ମାନ(ଏଫ୍ଏସ୍ଏସ୍ଆଇ) ଆଇନରେ ଥିବା କଠୋର ଜରିମାନା ବ୍ୟବସ୍ଥା ଉଚ୍ଛେଦ ଆଦି ଦାବିରେ ସର୍ବଭାରତୀୟ ବ୍ୟବସାୟୀ ସଂଘ ଆସନ୍ତା ୨୬ ତାରିଖରେ ଭାରତବନ୍ଦ ଡାକରା ଦେଇଛି। ସଂଘର ଏହି ଡାକରାକୁ ଓଡ଼ିଶା ବ୍ୟବସାୟୀ ମହାସଂଘ ସମର୍ଥନ କରିଛି। ଅତ୍ୟାବଶ୍ୟକ ସେବା ବ୍ୟତୀତ ଓଡ଼ିଶାରେ ଅନ୍ୟ ବ୍ୟବସାୟୀମାନେ ଉକ୍ତ ଦିନ ଦୋକାନ ବନ୍ଦ ରଖି ସହଯୋଗ କରିବାକୁ ମହାସଂଘ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଆହ୍ବାନ ଦେଇଛି।
ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକାର ପଣ୍ଡା କହିଛନ୍ତି ଯେ ଜିଏସ୍ଟିକୁ ସରଳୀକରଣ କରିବା ପରିବର୍ତ୍ତେ ଅଧିକ ଜଟିଳ କରାଯାଉଛି। ବ୍ୟବସାୟୀଙ୍କ ବିନା ପରାମର୍ଶରେ ଏହାକୁ ବହୁବାର ସଂଶୋଧନ କରାଗଲାଣି। ଯେତେବେଳେ ଜିଏସ୍ଟି ଲାଗୁ ହେଲା, ସେ ସମୟରେ ସରକାର ସାଧାରଣ ଟିକସ ବୋଲି ଘୋଷଣା କରିଥିଲେ। କିନ୍ତୁ କ୍ରମେ ଏହାକୁ ଜଟିଳ କରିଦିଆଯାଇଛି। ଏହାଦ୍ବାରା ବ୍ୟବସାୟୀମାନଙ୍କୁ କ୍ଷତି ସହିବାକୁ ପଡ଼ୁଛି। ସେହିପରି ଇ-କମର୍ସ ବ୍ୟବସାୟ ଯୋଗୁଁ ଭାରତରେ ଥିବା କୋଟି କୋଟି ଦୋକାନୀଙ୍କ ଭବିଷ୍ୟତ ଏବେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଏ ନେଇ ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି। ତେଣୁ ଆସନ୍ତା ୨୬ତାରିଖରେ ରାଜ୍ୟରେ ସମସ୍ତ ଦୋକାନ, ବଜାର ଓ ଅନ୍ୟାନ୍ୟ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖି ଭାରତବନ୍ଦକୁ ସଫଳ କରାଇବା ପାଇଁ ଶ୍ରୀ ପଣ୍ଡା ଅନୁରୋଧ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବ୍ୟବସାୟୀ ମହାସଂଘର କୋଷାଧ୍ୟକ୍ଷ ଗରିଜା ପ୍ରସାଦ ରଥ, ଉଠାଦୋକାନୀ ମହାସଂଘ ସଭାପତି ପ୍ରତାପ ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।
The post ୨୬ରେ ‘ଭାରତବନ୍ଦ’କୁ ଓଡ଼ିଶା ବ୍ୟବସାୟୀ ମହାସଂଘର ସମର୍ଥନ first appeared on Sambad.
from ରାଜ୍ୟ – Sambad https://ift.tt/2Mr0WQm
0 Comments