
ସବୁଠାରୁ କମ୍ ଟିକସ ଆଦାୟ କରୁଛି ଓଡ଼ିଶା
ଟିକସ କମାଇବାକୁ ଆହ୍ବାନ ଦେଇଥିଲେ ଶକ୍ତିକାନ୍ତ
ଭୁବନେଶ୍ବର : ତୈଳ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲେଣି। ସାଧାରଣରେ ଅସନ୍ତୋଷ ବହୁଗୁଣିତ ହେଉଥିବା ବେଳେ ଏବେ କେନ୍ଦ୍ର-ରାଜ୍ୟମାନଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି। ତୈଳ ଦର ଉପରେ ଟିକସ କମ୍ କରିବା ଲାଗି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମଙ୍ଗଳବାର ଆହ୍ବାନ ଦେଇ ରାଜ୍ୟମାନଙ୍କୁ ଟିକସ ହ୍ରାସ ଲାଗି ପରାମର୍ଶ ଦେଇଥିଲେ। ପରୋକ୍ଷରେ ଜଣାଇଥିଲେ ଯେ ତେଲ ଦାମ୍ ହଠାତ୍ କେବଳ କମିପାରିବ, ଯଦି ରାଜ୍ୟ ଟିକସ କମାଇବେ।
ଏପଟେ ଶକ୍ତିକାନ୍ତଙ୍କ ଏଭଳି ମନ୍ତବ୍ୟ ପରେ ତୈଳ ପ୍ରସଙ୍ଗକୁ ନେଇ ବିବାଦ ବଢ଼ିଛି। ମଙ୍ଗଳବାର ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ ଯେ ଅଧିକ ଟିକସ କେନ୍ଦ୍ର ଆଦାୟ କରୁଛି। ଆଜି ରାଜ୍ୟ ସରକାର ଆଉ ପାଦେ ଆଗକୁ ଯାଇ ହିସାବ ଦେଇଛନ୍ତି ଯେ ଦେଶର ପ୍ରମୁଖ ୧୦ଟି ରାଜ୍ୟ ମଧ୍ୟରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯାହା ପେଟ୍ରୋଲ୍ରୁ ସବୁଠୁ କମ୍ ଟିକସ ସଂଗ୍ରହ କରୁଛନ୍ତି। ଅର୍ଥାତ୍ ରାଜ୍ୟ ସରକାର ଟିକସ କମାଇବାର ପ୍ରଶ୍ନ ଉଠୁନାହିଁ, ଏଭଳି ଏକ ସଙ୍କେତ ମିଳୁଛି।

ସରକାରୀ ତଥ୍ୟ କହୁଛି ଯେ ଓଡ଼ିଶାରେ ବିକ୍ରି ହେଉଥିବା ପେଟ୍ରୋଲ୍ର ମୂଳ ଦାମ୍ ୨୯ ଟଙ୍କା ୭୦ ପଇସା ହୋଇଥିବା ବେଳେ ସେଥିରେ କେନ୍ଦ୍ର ସରକାର ୩୩ ଟଙ୍କାର ଟିକସ ଲଗାଇଛନ୍ତି। ରାଜ୍ୟ ସରକାର ମାତ୍ର ୨୦ ଟଙ୍କା ୬୦ ପଇସା ସଂଗ୍ରହ କରୁଛନ୍ତି। ମୁମ୍ବାଇ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ମଣିପୁର, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା ଓ କର୍ଣ୍ଣାଟକ ଭଳି ରାଜ୍ୟ ଓଡ଼ିଶା ତୁଳନାରେ ଯଥେଷ୍ଟ ଅଧିକ ଟିକସ ସଂଗ୍ରହ କରୁଛନ୍ତି।
ମୁମ୍ବାଇରେ ରାଜ୍ୟ ଟିକସ ସର୍ବାଧିକ ୨୬ ଟଙ୍କା ୯୦ ପଇସା ହୋଇଥିବା ବେଳେ ମହାରାଷ୍ଟ୍ରର ସରକାର ୨୬ ଟଙ୍କା ୨୦ ପଇସା ଟିକସ ଅସୁଲ କରୁଛନ୍ତି। ମଧ୍ୟପ୍ରଦେଶରେ ଏକ ଲିଟର ପେଟ୍ରୋଲ୍ରେ ରାଜ୍ୟ ସରକାର ୨୬ ଟଙ୍କାର ଟିକସ ଲଗାଇଛନ୍ତି। ମଣିପୁର ଓ ଆନ୍ଧ୍ରପ୍ରଦେଶରେ ୨୫ ଟଙ୍କା ଲେଖାଏଁ ଏବଂ ରାଜସ୍ଥାନ, ତାମିଲନାଡୁ ଓ ତେଲେଙ୍ଗାନାରେ ୨୪ ଟଙ୍କା ୭୦ ପଇସାର ଟିକସ ଲାଗୁ କରାଯାଇଛି। କର୍ଣ୍ଣାଟକ ସରକାର ୨୨ ଟଙ୍କା ୫୦ ପଇସାର ଟିକସ ସଂଗ୍ରହ କରୁଛନ୍ତି। ଦେଶର ସବୁ ସ୍ଥାନରେ ଏକ ଲିଟର ପେଟ୍ରୋଲ୍ରେ ୩ ଟଙ୍କା ୬୯ ପଇସାର ଡିଲର କମିସନ ରହିଛି।
ଏଭଳି ପରିସ୍ଥିତିରେ କେନ୍ଦ୍ର ନା ରାଜ୍ୟ କିଏ, ଟିକସ କମାଇବ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
The post ତେଲ ଟିକସ କିଏ କମାଇବ? କେନ୍ଦ୍ର ନା ରାଜ୍ୟ? first appeared on Sambad.
from ରାଜ୍ୟ – Sambad https://ift.tt/2ZQt3vc
0 Comments