
ମୁଖ୍ୟମନ୍ତ୍ରୀ କ୍ଷେତ୍ରକୁ ଯାଆନ୍ତୁ: ବିରୋଧୀ
ହାତରୁ ଖସିବାକୁ ବସିଲାଣି କୋଟିଆ
ମନ୍ତ୍ରୀଙ୍କ ଉତ୍ତରରେ ବିରୋଧୀ ଅସନ୍ତୁଷ୍ଟ
ଭୁବନେଶ୍ବର : ‘ନିଜ ପାର୍ଟି ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ଅଛି, ଅଥଚ ମାଟି ପାଇଁ ସମୟ ନାହିଁ। ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଝାଡ଼ଖଣ୍ଡ ରାଜ୍ୟ ଓଡ଼ିଶା ସୀମାନ୍ତ ଆଖପାଖ ଗାଁକୁ ନିଜ ଅକ୍ତିଆରରେ ରଖିଲେଣି। କିନ୍ତ ମୁଖ୍ୟମନ୍ତ୍ରୀ ଦୀର୍ଘ ୨୧ ବର୍ଷ ହେଲାଣି ଶାସନରେ ରହି ଏ ଦିଗରେ କିଛି ବି କରିନାହାନ୍ତି।’ ଆଜି ସୀମା ବିବାଦ ନେଇ ମୁଲତଚୀ ଆଲୋଚନାରେ ଗୃହରେ ବିରୋଧୀ ଏପରି ଗର୍ଜିଛନ୍ତି। କହିଛନ୍ତି ଯେ କୋଟିଆ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ତୁରନ୍ତ ସର୍ବଦଳୀୟ ବୈଠକ ଡାକନ୍ତୁ। ଆଉ ବିରୋଧୀ ଦଳର ନେତାମାନଙ୍କୁ ସାଙ୍ଗରେ ଧରି ସେଠାକୁ ଯାଆନ୍ତୁ। ଏପରିକି ବିଧାନସଭାରେ ଆନ୍ଧ୍ର ବିରୋଧରେ ଏକ ନିନ୍ଦା ପ୍ରସ୍ତାବ ପାରିତ କରିବାକୁ ବିରୋଧୀ ମତ ରଖିଛନ୍ତି।
କୋଟିଆରେ ଆନ୍ଧ୍ରର ଦାଦାଗିରି ନେଇ ମୁଲତବୀ ପ୍ରସ୍ତାବ ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ, କୋଟିଆ୍କୁ ଆନ୍ଧ୍ର ସରକାର ପୂରା ନିଜ ଅଞ୍ଚଳ ବୋଲି ଦେଖାଉଛି। ଏ ନେଇ ଆମେ ସମସ୍ତେ ଯେତିକି ଉଦବିଗ୍ନ, କିନ୍ତୁ ଏ ରାଜ୍ୟର ରାଜସ୍ବ ମନ୍ତ୍ରୀ ଓ ସରକାର ସେତିକି ଗୁରୁତ୍ବ ନ ଦେଲାଭଳି ଲାଗୁଛି। ମନ୍ତ୍ରୀଙ୍କ ଉତ୍ତରରେ ଏହାର ସମାଧାନ ପାଇଁ କଣ ଠୋସ୍ ପଦକ୍ଷେପ ନିଆଯିବ ସେ ନେଇ କିଛି ବି କହିନାହାନ୍ତି। କୋଟିଆରେ ଆଜି ବି ଆନ୍ଧ୍ର ସରକାର ସ୍ବାସ୍ଥ୍ୟସେବା ଦଳ ପଠାଇ ଲୋକମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରଉଛି।
ଅଥଚ ଆମ ସରକାରଙ୍କ ପାଖରେ ଖବର ନାହିଁ। ଖାଲି କୋରାପୁଟର କୋଟିଆ ନୁହଁ, ରାଜ୍ୟର ୯୬ଟି ସୀମାନ୍ତ ଗାଁକୁ ନେଇ ପଡ଼ୋଶୀ ୪ ରାଜ୍ୟ ସହ ବିବାଦ ଦୀର୍ଘ ବର୍ଷରୁ ଲାଗି ରହିଛି। କୋଟିଆର ୩ଟି ଗାଁକୁ ପଞ୍ଚାୟତ କରି ନିକଟରେ ଆନ୍ଧ୍ର ନିର୍ବାଚନ କଲା। ଅଥଚ ସ୍ଥାନୀୟ ପୁଲିସ ଓ ଜିଲ୍ଲା ପ୍ରଶାସନ ହାତ ଉପରେ ହାତ ଧରି ବସିଲା। ବିଜେପିର ଗୋଟିଏ ଦଳ କୋଟିଆ ଯାଇ ଯାହା ଦେଖିଛି,ସେ କଥା କହିଲେ ସମୟ ଅଣ୍ଟିବ ନାହିଁ। କୋଟିଆର ଲୋକମାନେ ଓଡ଼ିଆ ଭାଷା ବୁଝନ୍ତି ନାହିଁ। ରାଜ୍ୟ ସରକାର ବହୁ କଲ୍ୟାଣ ମୂଳକ ଯୋଜନା କରିଥିବା ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ସରକାରୀ ଅଧିକାରୀ ସେ ଅଞ୍ଚଳକୁ ଯାଆନ୍ତିନି କି ରାଜ୍ୟ ସରକାରଙ୍କ କୌଣସି ଯୋଜନା ସେମାନଙ୍କ ପାଖରେ ପହଞ୍ଚେନାହିଁ। ୨୦୦୬ ମସିହାରେ ସୁପ୍ରିମକୋର୍ଟ କୋଟିଆ ମାମଲାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଲା ପରେ ସରକାର ଚୁପ ବସିପଡ଼ିଲେ। ମୁଖ୍ୟମନ୍ତ୍ରୀ କଣ କରୁଛନ୍ତି। ଆଗାମୀ ଦିନରେ ଯଦି ତାଙ୍କ ସରକାର ଉଚିତ୍ ପଦକ୍ଷେପ ନ ନିଅନ୍ତୁ ତାହେଲେ ରାଜ୍ୟବାସୀଙ୍କ ପାଖରେ ନିନ୍ଦିତ ହେବେ ବୋଲି ଶ୍ରୀ ନାଏକ ଚେତେଇ ଦେଇଥିଲେ।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ, ରାଜ୍ୟର ୧୪ଟି ସୀମାନ୍ତବର୍ତ୍ତୀ ଜିଲ୍ଲାରେ ୪ଟି ରାଜ୍ୟ ସହିତ ଓଡ଼ିଶାର ସୀମା ବିବାଦ ଲାଗି ରହିଛି। ଏ ନେଇ କୋର୍ଟରେ କେତେ ମାମଲା ବି ହୋଇଛି। କିନ୍ତୁ ବିଜେଡି ସରକାର ସମୟରେ ଗୋଟିଏ ବି ମାମଲା ତୁଟିନି। କେତେଥର ମୁଖ୍ୟମନ୍ତ୍ରୀ ସୀମା ବିବାଦ ଥିବା ପଡ଼ୋଶୀ ରାଜ୍ୟମାନଙ୍କ ସହ କଥା ହୋଇଛନ୍ତି? ସୁନ୍ଦରଗଡ଼ରେ ହକି ଷ୍ଟାଡିୟମ ଓ କଳାହାଣ୍ଡିରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବା ଅବସରରେ ମାଳ ମନ୍ତ୍ରୀ, ବିଧାୟକ ଓ କର୍ମୀମାନଙ୍କୁ ନେଇ ମୁଖ୍ୟମନ୍ତ୍ରୀ ବାଜା ବଜାଇ ଆଡ଼ମ୍ବରରେ କାର୍ଯ୍ୟକ୍ରମ କରୁଛନ୍ତି। ଅଥଚ ସର୍ବନିମ୍ନ ସୁବିଧା ସୁଯୋଗ କୋଟିଆ ବାସୀଙ୍କୁ ଯୋଗାଇପାରିଲେନି। ଏତେସବୁ ଘଟଣା ଘଟିଲାଣି ମୁଖ୍ୟମନ୍ତ୍ରୀ ଥରୁଟିଏ ବି କୋଟିଆ ଗଲେନି। ତୁରନ୍ତ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡକାନ୍ତୁ। ଓଡ଼ିଶାର ଇଞ୍ଚେ ବି ଜମି ପଡ଼ୋଶୀ ରାଜ୍ୟ ନେଇପାରିବନି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବାକୁ ଶ୍ରୀ ମାଝୀ ଗୃହରେ ଆହ୍ବାନ ଦେଇଥିଲେ।
ଆଲୋଚନାରେ ଭାଗ ନେଇ ସୀମାବିବାଦ ନେଇ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ସରକାରଙ୍କୁ ୪ଟି ପରାମର୍ଶ ଦେଇଥିଲେ। ସୀମା ବିବାଦ ଲାଗିରହିଥିବା ଜିଲ୍ଲାରେ ଉପଜିଲ୍ଲାପାଳ କିମ୍ବା ଜିଲ୍ଲାପାଳ ପ୍ରତ୍ୟେକ ମାସରେ ନିଜେ ସୀମାନ୍ତବର୍ତ୍ତୀ ଗାଁକୁ ଯାଇ ସେଠାକାର ଲୋକମାନଙ୍କ ଆପତ୍ତି ଅଭିଯୋଗ ଶୁଣାଣି କରି ପ୍ରତିବିଧାନ କରନ୍ତୁ। କୋଟିଆକୁ ନେଇ ଆନ୍ଧ୍ରସରକାର ଯେପରି ଔଦ୍ଧତ୍ୟ ଦେଖାଇଛନ୍ତି ସେ ନେଇ ଏହି ବିଧାନସଭା ଗୃହରେ ଆନ୍ଧ୍ର ସରକାରଙ୍କ ବିରୋଧରେ ଏକ ନିନ୍ଦା ପ୍ରସ୍ତାବ ପାରିତ କରାଯାଉ।
କଂଗ୍ରେସର ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, ବିଜେଡିର ୨୧ ବର୍ଷ ଶାସନରେ କେବଳ ପାର୍ଟି ପାଇଁ କାମ ହୋଇଛି ମାଟି ପାଇଁ କିଛି କରିନାହାନ୍ତି। ଏବେ କୋଟିଆର ୨୧ଟି ଗାଁ ଓଡ଼ିଶା ହାତରୁ ଖସିଯିବାକୁ ବସିଛି। ୧୯୩୬ ମସିହାରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନ ହେଲା। ସେତେବେଳେ ଜୟପୁର ମହାରାଜା ୬ଟି ଗାଁକୁ ୫ ଲକ୍ଷ ୬୦ ହଜାର ଟଙ୍କାରେ ୧୯୦୮ ମସିହା ମେ ୨ ତାରିଖରେ ନିଲାମ ନେଇଥିଲେ। ୧୯୬୧ରେ ପଟାଙ୍ଗିର ତତ୍କାଳୀନ ବିଧାୟକ ସ୍ବର୍ଗତ ପାଙ୍ଗୀ ମୁସୁରି ସାଉନ୍ତା କୋଟିଆ ଅଞ୍ଚଳରେ ଆନ୍ଧ୍ର ରାଜସ୍ବ ଆଦାୟ କରୁଥିବା ନେଇ ବିଧାନସଭାରେ ସରକାରଙ୍କ ଦୃଷ୍ଟିକୁ ଆଣିଥିଲେ। ୧୯୬୬ରେ ସୀମାବିବାଦ ତୀବ୍ର ହେବାରୁ ଦୁଇ ପ୍ରଦେଶର ପୁଲିସ ସୀମାରେ ଫ୍ଲାଗ୍ ମାର୍ଚ୍ଚ କରିଥିଲେ। ପରେ ୧୯୬୭-୬୮ରେ ଏହି ବିବାଦ ସୁପ୍ରିମକୋର୍ଟ ଯାଇଥିଲା। ତତ୍କାଳୀନ ଜିଲ୍ଲାପାଳ ପ୍ରେମାନନ୍ଦ ତ୍ରିପାଠୀ ରାଜ୍ୟ ସରକାରଙ୍କୁ କୋଟିଆ ସମସ୍ୟା ଉପରେ ବିଶଦ ବିବରଣୀ ପ୍ରଦାନ କରିଥିଲେ। ୧୯୮୫ରେ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ରାୟ ଦେଇ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୨୦୦୬ରେ ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ସୀମାରେ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ କୁହାଯାଇଥିଲା। ଏହି ବିବାଦକୁ ସଂସଦରେ ସମାଧାନ କରିବାକୁ ମଧ୍ୟ କୋର୍ଟ ତାଙ୍କ ରାୟରେ କହିଥିଲେ। କିନ୍ତୁ ଏ ସରକାର ଶୋଇପଡ଼ିଛି।କୋରାପୁଟ ଜିଲ୍ଲାର ସୀମାରେ ଜଅଁରା ନଦୀ ଉପରେ ଛତିଶଗଡ଼ର ଅଧିକାର, ନେରେଡ଼ି ପ୍ରକଳ୍ପରେ ଆନ୍ଧ୍ରର ଦାଦାଗିରି, ଝଞ୍ଜାବତୀ ନଦୀ ଉପରେ ଆନ୍ଧ୍ର ଡ୍ୟାମ ନିର୍ମାଣ କରିବା, ପୋଲାଭରମ ପ୍ରକଳ୍ପ ଦ୍ବାରା ଓଡ଼ିଶା କ୍ଷତିଗ୍ରସ୍ତ ହେବା, ମହେନ୍ଦ୍ରତନୟା ନିକଟରେ ଆନ୍ଧ୍ର ଡ୍ୟାମ୍ ନିର୍ମାଣ କରିବାକୁ ପ୍ରୟାସ କରିବା, ମହାନଦୀ ଜଳକୁ ଛତିଶଗଡ଼ ଅଟକାଇବା ରାଜ୍ୟ ସରକାରଙ୍କ ଅପାରଗତାକୁ ପ୍ରମାଣିତ କରୁଛି। ଏହାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକନ୍ତୁ ଓ କ୍ଷେତ୍ର ପରିଦର୍ଶନ କରିବାକୁ ଶ୍ରୀ ବାହିନୀପତି ଗୃହରେ ଦାବି କରିଥିଲେ। ଆନ୍ଧ୍ର ନିର୍ବାଚନ କଲା ମୁଖ୍ୟମନ୍ତ୍ରୀ, ଗୃହ ସଚିବ, ଜିଲ୍ଲାପାଳ କଣ କରୁଥିଲେ ବୋଲି ପ୍ରଶ୍ନ ଉଠାଇଥିଲେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ।
ବିରୋଧୀଙ୍କୁ ଜବାବ ଦେଇ ବିଜେଡି ବିଧାୟକ କିଶୋର ମହାନ୍ତି, ଅନନ୍ତ ଦାସ, ମନୋହର ରନ୍ଧାରି ଓ ପ୍ରକାଶ ମାଝୀ କହିଥିଲେ, ସୀମା ବିବାଦ ସମସ୍ୟା ସମାଧାନ ନେଇ ମୁଖ୍ୟମନ୍ତ୍ରୀ କେବେ ବି ଚୁପ୍ ବସିନାହାନ୍ତି। କୋଟିଆ ଅଞ୍ଚଳର ବିକାଶ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସୁପ୍ରିମକୋର୍ଟରେ ବି ମାମଲା ବିଚାରାଧୀନ ରହିଛି। ବିରୋଧୀ ଖାଲି ମାଟି ପାର୍ଟି କରି ସୀମାବିବାଦ ପ୍ରସଙ୍ଗକୁ ନେଇ ଯେପରି ରାଜନୀତିକରଣ କରୁଛନ୍ତି ତାହା ଠିକ୍ ନୁହଁ ବୋଲି ବିଜେଡି ବିଧାୟକମାନେ ଆଲୋଚନାରେ ଭାଗ ନେଇ କହିଥିଲେ।
The post ସୀମା ବିବାଦ ନେଇ ଗୃହ କମ୍ପିଲା first appeared on Sambad.
from ରାଜ୍ୟ – Sambad https://ift.tt/3qUaz90
0 Comments