ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା ୮ରୁ

ଏପ୍ରିଲ ୩୦ ଯାଏ ଚାଲିବ କ୍ଲାସରୁମ୍‌ ପାଠପଢ଼ା‌
ମାର୍ଚ୍ଚ ଦ୍ବିତୀୟ ଓ ଏପ୍ରିଲ ଶେଷ ସପ୍ତାହରେ ପରୀକ୍ଷା
ଫେବ୍ରୁଆରିରେ ପ୍ରାଥମିକ ସ୍କୁଲ ଖୋଲିବାକୁ ଯୋଜନା

ଭୁବନେଶ୍ବର : ଫେବ୍ରୁଆରି ୮ରୁ ୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହେବ। ରାଜ୍ୟରେ ଥିବା ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ଗୋଟିଏ ଦିନରେ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହେବ। ଉକ୍ତ ଦୁଇ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଏପ୍ରିଲ ୩୦ ପର୍ଯ୍ୟନ୍ତ ଜାରି ରହିବ। ସୋମବାରରୁ ଶନିବାର ପର୍ଯ୍ୟନ୍ତ ପ୍ରତିଦିନ ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ଧରି ପାଠପଢ଼ା ହେବ ଏବଂ ପ୍ରତିଦିନ ୩ଟି ପରିଅଡ୍‌ କରାଯିବ। ରବିବାର କ୍ଲାସ୍‌ ହେବ ନାହିଁ। ତେବେ ସ୍ଥାନୀୟ ଅଞ୍ଚଳର ପାଣିପାଗକୁ ଦେଖି କ୍ଲାସର ସମୟରେ ପରିବର୍ତନ କରାଯାଇପାରେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି।

ଦଶମ ଓ ଦ୍ବାଦଶ ଶ୍ରେଣୀ ଲାଗି ପୂର୍ବରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ପୂର୍ବଭଳି ଜାରି ରହିବ ଏବଂ ରବିବାର କ୍ଲାସ ହେବ। ତେବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏଣିକି ପୂର୍ବାହ୍ନ ୧୧ଟାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ୭ଟି ପରିଅଡ୍‌ କ୍ଲାସ୍‌ କରାଯିବ। ଅପରାହ୍‌ଣ ୧ଟା ୪୦ରୁ ୨ଟା ୧୦ ପର୍ଯ୍ୟନ୍ତ ମଧ୍ୟାହ୍ନଭୋଜନ ଛୁଟି ହେବ। ୯ମ ଓ ଏକାଦଶ ଶ୍ରେଣୀରେ ମଧ୍ୟାହ୍ନଭୋଜନ ଛୁଟି ରହିବ ନାହିଁ। ସିଫ୍ଟ ଆରମ୍ଭ ହେବାର ୩୦ ମିନିଟ୍‌ ପୂର୍ବରୁ ଶିକ୍ଷକ/ଶିକ୍ଷୟିତ୍ରୀ ସ୍କୁଲରେ ରିପୋର୍ଟିଂ କରିବେ। ପିରିଅଡ୍‌ଗୁଡ଼ିକର ଆଲଟ୍‌ମେଣ୍ଟ ଏମିତି ହେବ, ଯେମିତି ପ୍ରଥମ ସିଫ୍ଟରେ ବିଦ୍ୟାଳୟକୁ ଆସିଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ କ୍ଲାସ୍‌ ଅପରାହ୍‌ଣ ସାଢ଼େ ୧ଟା ସୁଦ୍ଧା ସରିବ। ଦ୍ବିତୀୟ ସିଫ୍ଟର ଶିକ୍ଷକ/ଶିକ୍ଷୟିତ୍ରୀ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଡ୍ୟୁଟି କରିବେ।

ସଂଶୋଧିତ ସିଲାବସ୍‌ ଅନୁଯାୟୀ, ୯ମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ରୁଟିନ୍‌, ସ୍କିମ୍‌ ଅଫ୍‌ ଲେସନ୍ସ ଆଦି ପ୍ରସ୍ତୁତ କରିବାକୁ କୁହାଯାଇଛି। ୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ମାର୍ଚ୍ଚ ଦ୍ବିତୀୟ ସପ୍ତାହରେ ୟୁନିଟ୍‌ ଟେଷ୍ଟ ଏବଂ ଏପ୍ରିଲ ଶେଷ ସପ୍ତାହରେ ବାର୍ଷିକ କ୍ଲାସ ପରୀକ୍ଷା ଅନୁଷ୍ଠିତ ହେବ। କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଆଧାରରେ କ୍ଲାସରୁମ୍‌ର ଆୟତ୍ତନ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ବସିବା ବ୍ୟବସ୍ଥା‌ କରାଯିବ। ଜାନୁଆରି ୨ରେ ଜାରି ହୋଇଥିବା ଏସ୍‌ଓପିକୁ କଡ଼ାକଡ଼ି ପାଳନ କରାଯିବ। ଗଣଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଜାରି ବିଜ୍ଞପ୍ତି ଅନୁଯାୟୀ, ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ ୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପଢ଼ାଇ ପାରିବେ। ଅବସରପ୍ରାପ୍ତ ଓ ଅତିଥି ଶିକ୍ଷକମାନଙ୍କୁ ବି ନିଯୁକ୍ତ କରାଯାଇପାରେ। ଜାନୁଆରି ୩ରେ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଆଧାରରେ ହଷ୍ଟେଲ ଖୋଲି ଛାତ୍ରଛାତ୍ରୀଙ୍କ ରହିବା ବ୍ୟବସ୍ଥା କରିବାକୁ କୁହାଯାଇଛି।

ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ଖୋଲି ସାରିଥିବା ବେଳେ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ଆଜି ଖୋଲିଛି। ତାହାକୁ ଦୃଷ୍ଟିରେ ରଖି ଚଳିତ ମାସରେ ହିଁ ପ୍ରାଥମିକ ବିଦ୍ୟାଳୟ ଅର୍ଥାତ୍‌ ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହେଉଛି। ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନଥିଲେ ମଧ୍ୟ ତୃତୀୟ କିମ୍ବା ୪ର୍ଥ ସପ୍ତାହରେ ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି। ବିଭାଗୀୟ ଅଧିକାରୀମାନଙ୍କ ବୈଠକ ହୋଇସାରିଥିବାରୁ ଖୁବ୍‌ଶୀଘ୍ର ଏନେଇ ବିଜ୍ଞପ୍ତି ଜାରି କରାଯିବ ବୋଲି ସୂଚନା ମିଳିଛି।

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ କହିବାନୁଯାୟୀ, କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଅନୁଯାୟୀ ୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀ ପାଠପଢ଼ା ହେବ। ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ୮ ତାରିଖଠାରୁ ‌ଉକ୍ତ ଦୁଇ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ। ପ୍ରାଥମିକ ବିଦ୍ୟାଳୟ ଖୋଲିବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ।

The post ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା ୮ରୁ first appeared on Sambad.



from ରାଜ୍ୟ – Sambad https://ift.tt/3oEK9pY

Post a Comment

0 Comments