ଶିଳ୍ପାଞ୍ଚଳରେ ବିଲଡିଂ ପ୍ଲାନ୍‌ ଅନୁମୋଦନ କରିବ ଇଡ୍‌କୋ

ଭୁବନେଶ୍ବର : ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜିନେସ୍‌କୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ଆଜି ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏଣିକି ଇଡ୍‌କୋ ଜମିରେ ନିର୍ମାଣ ହେଉଥିବା ଶିଳ୍ପାଞ୍ଚଳ ଏବଂ ଶିଳ୍ପ ପାର୍କ ପାଇଁ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅନୁମତି ଆଣିବାକୁ ପଡ଼ିବନି। ସମସ୍ତ ପ୍ରକାରର ନିର୍ମାଣ ପାଇଁ ଶିଳ୍ପାନୁଷ୍ଠାନଗୁଡ଼ିକ ସେମାନଙ୍କର ପ୍ଲାନ୍‌ ଇଡ୍‌କୋ ନିକଟରେ ଆବେଦନ କରିବେ। ଉନ୍ନୟନ କର୍ତ୍ତୃପକ୍ଷ ପ୍ଲାନ୍‌ ଦେବାରେ ବିଳମ୍ବ କରୁଥିବାରୁ ଏବଂ ସିଙ୍ଗିଲ୍‌ ୱିଣ୍ଡୋ ବ୍ୟବସ୍ଥା ଠିକ୍‌ ଭାବେ କାର୍ଯ୍ୟକ୍ଷମ ହେଉନଥିବାରୁ ରାଜ୍ୟ ସରକାର ଏହିଭଳି ନିଷ୍ପତ୍ତି ନେଇଛନ୍ତି। ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ଅନଲାଇନ୍‌ରେ ପ୍ଲାନ୍‌ ଆବେଦନ ହେବ, ଶିଳ୍ପାନୁଷ୍ଠାନଗୁଡ଼ିକୁ ଇଡ୍‌କୋ ଅଫିସ ଆସିବାକୁ ପଡ଼ିବନି। ଅନଲାଇନ୍‌ରେ ହିଁ ପ୍ଲାନ୍‌ ମଞ୍ଜୁର ହେବ। ଏଥିପାଇଁ ମାର୍ଚ୍ଚ ଶେଷ ‌ସୁଦ୍ଧା ‘ୱେବ୍‌ ବେସ୍‌ଡ ଆପ୍ଲିକେସନ୍’ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଇଡ୍‌କୋ କର୍ତ୍ତୃପକ୍ଷ ଏଥିପାଇଁ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ କର୍ମଚାରୀ ଡେପୁଟେସନ୍‌ରେ ଆଣିବେ କିମ୍ବା ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ କୁହାଯାଇଛି। ଏବେ ଇଡ୍‌କୋ ଅଧୀନରେ ୧୧୬ଟି ଶିଳ୍ପାଞ୍ଚଳ, ୮ଟି ସେକ୍ଟର ସ୍ପେସିଫିକ୍‌ ପାର୍କ ରହିଛି। ସହରାଞ୍ଚଳରେ ଉନ୍ନୟନ କର୍ତ୍ତୃପକ୍ଷ ପ୍ଲାନ୍ ମଞ୍ଜୁର କରୁଥିବାବେଳେ ଗ୍ରାମାଞ୍ଚଳରେ ଗ୍ରାମପଞ୍ଚାୟତ କିମ୍ବା ବିଡିଏ ପ୍ଲାନ୍‌ ଅନୁମୋଦନ କରୁଛନ୍ତି।

ବୈଠକରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ, ପଞ୍ଚାୟତି ରାଜ ବିଭାଗ ପ୍ରମୁଖ‌ସଚିବ ଦେଓ ରଂଜନ କୁମାର ସିଂହ, ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍, ଇଡ୍‌କୋ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ସଂଜୟ କୁମାର ସିଂହ, ମତ୍ସ୍ୟ ଓ ପଶୁ ସମ୍ପଦ ସଚିବ ଆର୍‌. ରଘୁପ୍ରସାଦ, ଇପିକଲ୍‌ ପରିଚାଳନା ନିର୍ଦ୍ଦେଶକ ନିତୀନ ଭାନୁଦାସ ଜୱାଲେ ପ୍ରମୁଖ ଉପସ୍ଥିତ ଥିଲେ।

The post ଶିଳ୍ପାଞ୍ଚଳରେ ବିଲଡିଂ ପ୍ଲାନ୍‌ ଅନୁମୋଦନ କରିବ ଇଡ୍‌କୋ first appeared on Sambad.



from ରାଜ୍ୟ – Sambad https://ift.tt/3j5Wum1

Post a Comment

0 Comments