ନେସ୍କୋକୁ ବି ଟାଟା ପାଓ୍ୱାର ହାତକୁ ଟେକିଦେଲେ

ଭୁବନେଶ୍ବର : ପ୍ରଥମେ ସେସୁ। ପରେ ସାଉଥକୋ ଓ ୱେସକୋ କମ୍ପାନି। ଏବେ ନେସ୍କୋକୁ ବି ଟାଟା ପାଵାର କମ୍ପାନି ହାତେଇଛି। ଗୋଟିକ ପରେ ଗୋଟିଏ ୪ଟି ଯାକ ବିଦ୍ୟୁତ ବଣ୍ଟନ କମ୍ପାନିମାନଙ୍କୁ ଟାଟା କମ୍ପାନିକୁ ସରକାର ଓ ରାଜ୍ୟ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି) ଟେକି ଦେଇଛନ୍ତି। ନିଲାମ ପ୍ରକ୍ରିୟାରେ ନେସ୍କୋ କମ୍ପାନିର ୫୧% ଅଂଶଧନକୁ ଟାଟା ପାଵାର କିଣିବାରେ ସଫଳ ହୋଇଛି। ଫଳରେ ସମଗ୍ର ରାଜ୍ୟର ବିଦ୍ୟୁତ ବଣ୍ଟନ ଓ ପରିବହନ ବ୍ୟବସ୍ଥା ଏବେ ସମ୍ପୂର୍ଣ୍ଣ ଭାବେ ଘରୋଇ କମ୍ପାନି ହାତରେ ନ୍ୟସ୍ତ ହୋଇଯାଇଛି। ଯାହାକୁ ଉପଭୋକ୍ତା ମହାସଂଘ କଡ଼ା ବିରୋଧ କରିଛି। କହିଛି, ଯେପରି ଭାବେ ଟାଟା କମ୍ପାନିକୁ ଅଂଶଧନ ବିକ୍ରି କରାଯାଇଛି, ତାହା ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ବିଦ୍ୟୁତ ସଂସ୍କାର ଆଇନ ୧୯୫୫ର ବିରୁଦ୍ଧାଚରଣ କରୁଛି। ଏବେ ରାଜ୍ୟର ୯୦ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କୁ ବିଦ୍ୟୁତ ସେବା ପ୍ରଦାନ କ୍ଷେତ୍ରରେ ଟାଟା ପାଓ୍ବାର ଏକଚାଟିଆ କାରବାର ଆରମ୍ଭ କରିବ ବୋଲି ମହାସଂଘ ସତର୍କ କରାଇଦେଇଛି।

ଓଇଆର୍‌ସି ଟାଟା କମ୍ପାନିକୁ ନେସ୍କୋ ଡିଭିଜନ୍‌ ଅଧୀନରେ ଆସୁଥିବା ବାଲେଶ୍ବର, ଭଦ୍ରକ, ବାରିପଦା, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ବିଦ୍ୟୁତ ବଣ୍ଟନ ଦାୟିତ୍ବ ପାଇଁ ଲାଇସେନ୍‌ସ୍‌ ପ୍ରଦାନ କରିବା ପରେ କମ୍ପାନି ସେୟାର ବଜାରରେ ଅଂଶଧନ କାରବାର ପାଇଁ ବମ୍ବେ ଷ୍ଟକ୍‌ ଏକ୍‌ସ୍‌ଚେଞ୍ଜ୍‌ ଓ ନ୍ୟାସନାଲ ଷ୍ଟକ୍‌ ଏକ୍‌ସ୍‌ଚେଞ୍ଜ୍‌କୁ ଚିଠି ଲେଖି ଜଣାଇଛି। ଦେଶର ଏହି ପ୍ରମୁଖ ଅଂଶଧନ କାରବାର କରୁଥିବା ଏଜେନ୍‌ସିକୁ ଗତକାଲି ଟାଟା ପାଵାର କର୍ତ୍ତୃପକ୍ଷ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି, ଓଡ଼ିଶାର ୫ଟି ଜିଲ୍ଲାରେ ବିଦ୍ୟୁତ ବଣ୍ଟନ ଦାୟିତ୍ବ ପାଇଁ କମ୍ପାନି ଗୋଟିଏ ଏସ୍‌ପିଭି ଗଠନ କରିଛି। ଯାହାର ବାର୍ଷିକ ରାଜସ୍ବ ଆୟ ୨ ହଜାର ୪୭୦ କୋଟିରୁ ଅଧିକ ହେବ। ବିଦ୍ୟୁତ ଉପଭୋକ୍ତାମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ଆଗାମୀ ଦିନରେ ୧ କୋଟି ୧୫ ଲକ୍ଷରେ ପହଞ୍ଚିବ। ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପାନିକୁ ୨୫ ବର୍ଷ ପାଇଁ ଲାଇସେନ୍‌ସ୍‌ ପ୍ରଦାନ କରାଯାଇଛି।

ଅନ୍ୟପଟେ ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ କହିଛନ୍ତି, ରାଜ୍ୟ ସରାକରଙ୍କ ଏପରି କାର୍ଯ୍ୟକୁ ରାଜ୍ୟବାସୀ ବିରୋଧ କରିବା ଦରକାର। ୧୯୯୯ ମସିହାରେ ବିଏସ୍‌ଇଏସ୍‌ କମ୍ପାନି ଗଠନ ହେଲା। ଯାହାକି ପରବର୍ତ୍ତୀ ସମୟରେ ରିଲିୟାନ୍‌ସ୍‌ ଏନର୍ଜି ଗଠନ ହେଲା। ସେହି କମ୍ପାନିକୁ ନେସ୍କୋ, ଵେସ୍କୋ ଓ ସାଉଥକୋର ୫୧% ଅଂଶଧନ ସରକାର ବିକ୍ରି କରିଥିଲେ। କିନ୍ତୁ ସମ୍ପୃକ୍ତ କମ୍ପାନି ରାଜ୍ୟ ସରକାରଙ୍କୁ ଚିତା କାଟି ଦେଇ ଚାଲିଗଲା। ଅତୀତରେ ଏଇଏସ୍‌ କମ୍ପାନି ମଧ୍ୟ ସରକାରଙ୍କୁ ଠକି ଦେଇ ଚାଲିଯାଇଛି। ଏବେ ଓଇଆର୍‌ସି ଯେପରି କାର୍ଯ୍ୟ କରିଛନ୍ତି ତାହା ଜନସ୍ବାର୍ଥ ବିରୋଧୀ। ଏହା ଫଳରେ ରାଜ୍ୟର ବିଦ୍ୟୁତ ଉପଭୋକ୍ତା ଅଧିକ ବିଦ୍ୟୁତ ଶୁଳ୍କ ଭାର ବହନ କରିବେ। ତୁରନ୍ତ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରି ଏହାକୁ ବନ୍ଦ କରନ୍ତୁ ବୋଲି ଶ୍ରୀ ଶତପଥୀ ଦାବି କରିଛନ୍ତି। କେନ୍ଦ୍ର ସରକାର ଚଳିତ ବଜେଟ୍‌ରେ ବିଦ୍ୟୁତ ଗ୍ରାହକମାନେ ନିଜର ସୁବିଧା ଦୃଷ୍ଟିରୁ ବିଦ୍ୟୁତ କମ୍ପାନି ବାଛିବାର ସୁଯୋଗ ଥିବାବେଳେ ଓଡ଼ିଶାର ବିଦ୍ୟୁତ ଗ୍ରାହକ ସେଥିରୁ ବଞ୍ଚିତ ହେବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।

The post ନେସ୍କୋକୁ ବି ଟାଟା ପାଓ୍ୱାର ହାତକୁ ଟେକିଦେଲେ first appeared on Sambad.



from ରାଜ୍ୟ – Sambad https://ift.tt/2MnijRS

Post a Comment

0 Comments