
କୋରେଇ : କୋରେଇ ବ୍ଲକ୍ ଅଧ୍ୟକ୍ଷା ମାଳତୀ ଟୁଡୁଙ୍କ ଦସ୍ତଖତରେ ଲକ୍ଷଲକ୍ଷ ଟଙ୍କାର ବିଲ୍ ଉଠୁଛି। କିନ୍ତୁ ସେ ରହନ୍ତି ଏକ ପଲିଥିନ ଛପରଯୁକ୍ତ ଝାଟିମାଟି ଭଙ୍ଗା କୁଡ଼ିଆରେ। ଏହା କୋରେଇ ବ୍ଲକ ତଥା ତମାମ ପ୍ରଶାସନର ମର୍ଯ୍ୟାଦା ବଢ଼ାଉଛି! କିନ୍ତୁ ବର୍ତ୍ତମାନ ଅର୍ଥାତ ତାଙ୍କ କାର୍ଯ୍ୟକାଳ ସମୟରେ ତାଙ୍କୁ ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯାଏ ତେବେ ତାହା କାଳେ କ୍ଷମତାର ଅପବ୍ୟବହାର ହେବ। ତେଣୁ କ୍ଷମତାରୁ ଯିବା ପରେ ତାଙ୍କୁ ମିଳିବ ଘର। ଏମିତି ଯୁକ୍ତି ବାଢ଼ିଛି ବ୍ଲକ ପ୍ରଶାସନ।

ସରକାରୀ ନିୟମ ଅନୁଯାୟୀ ଶ୍ରୀମତୀ ଟୁଡୁଙ୍କର ନିଜସ୍ବ ପଟ୍ଟା ଜମି ରହିଛି। (ସାମାଜିକ ଆର୍ଥିକ ଜାତିଗତ ଜନଗଣନା) ଏସ୍ଇସିସି ତାଲିକାରେ ବି ନାଁ ରହିଛି। ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ନିମନ୍ତେ ଏତିକି ମାନଦଣ୍ଡ ପୂରଣ କରିବା ଯଥେଷ୍ଟ। ଅଥଚ ତାଙ୍କୁ ପକ୍କାଘରଟିଏ ଯୋଗାଇ ପ୍ରଶାସନ ଉଦାରତା ଦେଖାଇ ପାରିନାହିଁ। ପରିଣାମ ହେଉଛି ସେ ଏକ ଭଙ୍ଗା କୁଡ଼ିଆରେ ନିଜର ୪ ପ୍ରାଣୀ କୁଟୁମ୍ବଙ୍କୁ ଧରି ମୁଣ୍ତ ଗୁଞ୍ଜିଛନ୍ତି। ମୂଲମଜୁରି ଲାଗି ପରିବାର ଚଳାଉଛନ୍ତି। ବଡ଼କଥା ହେଉଛି ସଂପ୍ରତି ମନରେଗା ତଥା ଅନ୍ୟାନ୍ୟ ଯୋଜନାରେ ଗ୍ରାମ୍ୟ ଉଦ୍ୟାନ, ମୋ ଉପକାରୀ ବଗିଚା ପରି ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ବ୍ଲକର ଏହି ପ୍ରଥମ ମହିଳାଙ୍କୁ ଏଭଳି ଅନେକ ଯୋଜନାରେ ଆତ୍ମନିର୍ଭରଶୀଳ କରାଯାଇ ପ୍ରଶାସନ ଉଦାହରଣ ସୃଷ୍ଟି କରିବାରେ କୌଣସି ଅସୁବିଧା ନାହିଁ। ଜିଲ୍ଲାରେ ଶତାଧିକ ମହିଳା ଗୋପାଳନ, ଛତୁଚାଷ, ଟେଲରିଂ ଆଦି କାମ କରି ଆତ୍ମନିର୍ଭର ହୋଇପାରିଛନ୍ତି। ଦାରିଦ୍ର୍ୟ ମୁକ୍ତି ପାଇଁ ହଜାର ସଂଖ୍ୟାରେ ଯୋଜନା ହେଉଛି ଅଥଚ ବ୍ଲକର ଅଗ୍ରଣୀ ମହିଳାଙ୍କ ଏଭଳି ଦୁର୍ଦ୍ଦଶା ପ୍ରଶାସନିକ ଅଧିକାରୀଙ୍କ ପାରିବାପଣିଆ ଉପରେ ହଜାରେ ପ୍ରଶ୍ନଚିହ୍ନ ଆଙ୍କିଛି।

ଦୀର୍ଘ ୪ ବର୍ଷ ହେଲାଣି ମାଳତୀ ଟୁଡୁ ବ୍ଲକ ଅଧ୍ୟକ୍ଷା ଅଛନ୍ତି। କେଉଁ ଦଳର ସେ ସମର୍ଥକ ଜାଣନ୍ତି ନାହିଁ, କିନ୍ତୁ ତାଙ୍କୁ ନେଇ ଚାଲିଛି ଦଳୀୟ ଗୋଟିଚାଳନା। ଫଳସ୍ବରୂପ ଏଭଳି ଦୟନୀୟ ଅବସ୍ଥାରେ ରହୁଥିଲେ ମଧ୍ୟ ତାଙ୍କ ଉପରେ କାହାର ଦୃଷ୍ଟି ପଡୁନାହିଁ। ଯୋଗ୍ୟ ହୋଇଥିଲେ ମଧ୍ୟ ଅଧ୍ୟକ୍ଷାଙ୍କୁ ଏବେ ଘର ମିଳିବ ନାହିଁ ବୋଲି ବ୍ଲକ୍ ପ୍ରଶାସନର ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ଘଟଣା ସମ୍ପର୍କରେ କୋରେଇ ଏବିଡିଓ ଜ୍ଞାନଦା ନାୟକ କହିଛନ୍ତି ଯେ ବ୍ଲକ୍ ଅଧ୍ୟକ୍ଷା ଯୋଗ୍ୟ ହୋଇଥିଲେ ମଧ୍ୟ ସେ ଏକ ଗୁରୁତ୍ବପୂର୍ଣ୍ଣ ପଦବିରେ ରହିଥିବାରୁ ତାଙ୍କୁ ଏବେ ଘର ଦିଆଯିବ ନାହିଁ। ପଦବିଧାରୀ ଯୋଗ୍ୟ ହୋଇ ଆବାସ ପାଇପାରିବେ ନାହିଁ ବୋଲି କୌଣସି ସରକାରୀ ନିୟମ ନାହିଁ। ନିଜ ପଦବିର ଅପବ୍ୟବହାର କରି ଘର ହାତେଇଥିବା ଅଭିଯୋଗ ହେବାର ସମ୍ଭାବନା ଥିବାରୁ ଦିଆଯାଉ ନଥିବା ସେ କହିଛନ୍ତି। ଏନେଇ ସେ ଉପରିସ୍ଥ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଶ୍ରୀମତୀ ଟୁଡୁଙ୍କ କାର୍ଯ୍ୟକାଳ ସରିବା ପରେ ତାଙ୍କୁ ଘର ଦିଆଯିବ ବୋଲି ଏବିଡିଓ ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି।
The post ପଲିଥିନ୍ ଛପର ତଳେ ବ୍ଲକ୍ ଅଧ୍ୟକ୍ଷା ପ୍ରସଙ୍ଗ : ପଦବିରେ ଥିବାରୁ ମାଳତୀଙ୍କୁ ଆବାସ ମନା first appeared on Sambad.
from ରାଜ୍ୟ – Sambad https://ift.tt/3spB4DN
0 Comments