ପାଞ୍ଚଟି ଅନ୍‌ଲାଇନ୍‌ ସେବାକୁ ଲୋକାର୍ପିତ କଲେ ନବୀନ

‘୫ଟି’ ଫୋକସ୍‌କୁ ଆସିଲା ମହିଳା ଓ ଶିଶୁ ବିକାଶ ବିଭାଗ
ମୁଖ୍ୟମନ୍ତ୍ରୀ କହିଲେ, ପୁଷ୍ଟି ବଜେଟ୍ କରିବାରେ ଓଡ଼ିଶା ଦେଶରେ ପ୍ରଥମ

ଭୁବନେଶ୍ବର : ‘ଇ-କଳିକା’ ଆପ୍‌ ଜରିଆରେ ଏବେ କ୍ରେଚ୍‌ରେ ରହୁଥିବା ୩ ବର୍ଷରୁ କମ୍ ବୟସ୍କ ଶିଶୁମାନଙ୍କ ବ୍ୟବସ୍ଥାକୁ ତଦାରଖ କରାଯାଇପାରିବ। ମା’ ମାନେ କିଭଳି ଶିଶୁମାନଙ୍କ ଯତ୍ନ ନେଉଛନ୍ତି, ପ୍ରତି ଶିଶୁର ଶାରୀରିକ ତଥା ବୌଦ୍ଧିକ ବିକାଶ କିଭଳି କରାଯାଉଛି, ତା ଉପରେ ସରକାର ନଜର ରଖିପାରିବେ। ସେହିଭଳି ‘ମୋ-ଛତୁଆ’ ଆପ୍ ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ଛତୁଆ ଓ ଏହାର ଯୋଗାଣ ପଦ୍ଧତିକୁ ଅଧିକ ବ୍ୟବସ୍ଥିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ରାଜ୍ୟର ୧ ଲକ୍ଷ ୩୪ ହଜାର ୭୫୮ ଜଣ ଅଙ୍ଗନ ବାଡ଼ି କର୍ମୀ, ମିନି ଅଙ୍ଗନବାଡ଼ି କର୍ମୀ ଓ ଅଙ୍ଗନବାଡ଼ି ସହାୟକ ଉପକୃତ ହେବେ।

ଆଜି ୫-ଟି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ବିଭାଗର ଏଭଳି ପାଞ୍ଚଟି ନୂଆ ଅନଲାଇନ ସେବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଛି। ଅନ୍ୟଗୁଡିକ ହେଲା, ଇ-ମାନଦେୟ ପୋର୍ଟାଲ, ମମତା ଆପ୍‌ ଏବଂ ମୋ ଶିଶୁ ପୋର୍ଟାଲ।

ମମତା ଆପ୍ ଜରିଆରେ ଘରେ ବସି ମା’ ମାନେ ପଞ୍ଜୀକରଣ ଠାରୁ ଆରମ୍ଭ କରି ବ୍ୟାଙ୍କ ଖାତାରେ ଟଙ୍କା ଦାଖଲ ପର୍ଯ୍ୟନ୍ତ ସବୁ ତଥ୍ୟ ପାଇପାରିବେ। କେବଳ ସେତିକି ନୁହେଁ, ଅଭିଯୋଗ ପାଇଁ ୧୮୧ ହେଲ୍ପଲାଇନକୁ ମଧ୍ୟ ବ୍ୟବହାର କରିପାରିବେ। ସେହିପରି ‘ମୋ ଶିଶୁ’ ପୋର୍ଟାଲ ଶିଶୁ ସୁରକ୍ଷା ସେବାକୁ ତଦାରଖ ଓ ଦ୍ରୁତଗାମୀ କରିବା ପାଇଁ ଏକ ସରଳ ବ୍ୟବସ୍ଥା। ଶିଶୁ ମଙ୍ଗଳ କମିଟି ଓ କିଶୋର ନ୍ୟାୟ ବୋର୍ଡ଼ ଅନଲାଇନରେ ବିଭିନ୍ନ ତଥ୍ୟକୁ ଅନୁଧ୍ୟାନ କରି ଶିଶୁମାନଙ୍କ ଥଇଥାନ କରିବା ଲାଗି ସୁଯୋଗ ରହିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ଗତ ୨୦ ବର୍ଷ ଧରି ମହିଳାମାନଙ୍କର ସଶକ୍ତୀକରଣ ଏବଂ ଶିଶୁମାନଙ୍କର କଲ୍ୟାଣକୁ ସର୍ବାଧିକ ପ୍ରାଥମିକତା ଦେଇ କାର୍ଯ୍ୟ କରି ଆସୁଛି। ଏଥିପାଇଁ ପଞ୍ଚାୟତ ଅନୁଷ୍ଠାନ ମାନଙ୍କରେ ମହିଳାମାନଙ୍କ ପାଇଁ ସଂରକ୍ଷଣ ଠାରୁ ଆରମ୍ଭ କରି ମିସନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ୮୦ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଛି। ରାଜ୍ୟ ସରକାରଙ୍କର ଉଦ୍ୟମରେ ଓଡ଼ିଶା ଆଜି ମହିଳା ସଶକ୍ତୀକରଣ, ଶିଶୁମାନଙ୍କର ଯତ୍ନ ଏବଂ ପୁଷ୍ଟି କ୍ଷେତ୍ରରେ ସାରା ଦେଶରେ ଏକ ଆଦର୍ଶ ରାଜ୍ୟ ହୋଇପାରିଛି। ସାରା ଦେଶରେ ଏ ପର୍ଯ୍ୟନ୍ତ କେବଳ ଓଡ଼ିଶାରେ ହିଁ ପୁଷ୍ଟି ବଜେଟ୍ କରାଯାଇଛି।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ମା’ ଓ ଶିଶୁମାନଙ୍କୁ ସବୁପ୍ରକାର ସେବା ଯୋଗାଇ ଦେବା ପାଇଁ ଅଙ୍ଗନବାଡ଼ି ଠାରୁ ଆରମ୍ଭ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କ୍ରେଚ୍‌, କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ, ଅନାଥାଶ୍ରମ ଏବଂ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନ ମାନ କାର୍ଯ୍ୟ କରୁଛି। ରାଜ୍ୟ ସରକାରଙ୍କର ଏହି ସବୁ କାର୍ଯ୍ୟକ୍ରମ ଯେପରି ଅଧିକ ଦକ୍ଷତାର ସହିତ ଲୋକଙ୍କ ପାଖରେ ପହଞ୍ଚିପାରିବ ସେ ଦିଗରେ ରାଜ୍ୟ ସରକାର ବିଶେଷ ଯତ୍ନବାନ ଅଛନ୍ତି। ବୈଷୟିକ ଜ୍ଞାନକୌଶଳ ଏହି ଉପକ୍ରମକୁ ବିଶେଷ ସୁଗମ କରିଛି। ଲୋକାର୍ପିତ ୫-ଟି ଅନ୍‌ଲାଇନ୍ ସେବା, ପରିବର୍ତ୍ତିତ ପରିସ୍ଥିତିରେ ହିତାଧିକାରୀଙ୍କୁ ଗୁଣାତ୍ମକ ସେବା ଯୋଗାଇବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଜୋର ଦେଇ କହିଥିଲେ।

କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ କହିଥିଲେ ଯେ ରାଜ୍ୟ ସରକାର ମହିଳା ଓ ଶିଶୁ ବିଭାଗର କଲ୍ୟାଣ ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି। ବିଭାଗୀୟ ପ୍ରମୁଖ ସଚିବ ଅନୁ ଗର୍ଗ ଲୋକାର୍ପିତ ହୋଇଥିବା ଅନ୍‌ଲାଇନ ସେବା ବିଷୟରେ ସୂଚନା ଦେବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

ମୁଖ୍ୟମନ୍ତ୍ରୀ ମହିଳା ଶିଶୁ ବିଭାଗରେ ୫-ଟି କାର୍ଯ୍ୟକ୍ରମ ସମ୍ପର୍କିତ ଏକ ପୁସ୍ତିକାର ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ, ମିସନ ଶକ୍ତି ବିଭାଗର ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିସନର, ସ୍ୱାସ୍ଥ୍ୟବିଭାଗର ଅତିରିକ୍ତ ସଚିବ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଏହି ଅବସରରେ ୫ଟି ଜାତୀୟ ଆନ୍ତର୍ଜାତୀୟ ସଂସ୍ଥା ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା। ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଓ ୟୁନିସେଫ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ।

The post ପାଞ୍ଚଟି ଅନ୍‌ଲାଇନ୍‌ ସେବାକୁ ଲୋକାର୍ପିତ କଲେ ନବୀନ first appeared on Sambad.



from ରାଜ୍ୟ – Sambad https://ift.tt/2Mq16ay

Post a Comment

0 Comments