
ଆଜିଠୁ ପଞ୍ଜୀକରଣ କରିବେ ବେସରକାରୀ ସ୍କୁଲ
ମାର୍ଚ୍ଚ ପହିଲାରୁ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ
ଭୁବନେଶ୍ୱର : ଶିକ୍ଷା ଅଧିକାର ଆଇନ-୨୦୦୯ର ପାରା୧୨.୧(ସି) ଅନୁଯାୟୀ ବେସରକାରୀ ସ୍କୁଲରେ ଆର୍ଥିକ ଅନଗ୍ରସର ଓ ଦୁର୍ବଳ ଶ୍ରେଣୀର ପିଲାଙ୍କ ପାଇଁ ୨୫% ସ୍ଥାନ ସଂରକ୍ଷଣ ରହିବ। ତେବେ ରାଜ୍ୟରେ ଏହି ବ୍ୟବସ୍ଥା ଠିକ୍ ଭାବେ ଲାଗୁ ହେଉ ନଥିବା ଦୃଷ୍ଟିକୁ ଆସିଥିଲା। ଅଧିକାଂଶ ବିଦ୍ୟାଳୟ ବିଭିନ୍ନ ଆଳ ଦେଖାଇ ୨୫% ସିଟ୍ରେ ନାମଲେଖା କରାଉ ନଥିବା ଅଭିଯୋଗ ହେବା ପରେ ୨୦୨୧-୨୨ ଶିକ୍ଷାବର୍ଷରୁ ଏହାକୁ କଡ଼ାକଡ଼ି ଲାଗୁ କରିବା ସହ ଅନ୍ଲାଇନ୍ରେ ନାମଲେଖା କରିବାକୁ ସ୍ଥିର ହୋଇଛି। ଏହି ନାମଲେଖା ପ୍ରକ୍ରିୟା ଆସନ୍ତାକାଲି (ଶନିବାର)ଠାରୁ ଆରମ୍ଭ ହୋଇ ଏପ୍ରିଲ୍ ୩୦ ଯାଏ ଚାଲିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।
ବିଜ୍ଞପ୍ତି ଅନୁଯାୟୀ, ଫେବ୍ରୁଆରି ୨୦ରୁ ୨୮ ମଧ୍ୟରେ ବେସରକାରୀ ସ୍କୁଲଗୁଡ଼ିକ ପୋର୍ଟାଲରେ ନିଜକୁ ପଞ୍ଜୀକୃତ କରିବାକୁ ଥିବା ବେଳେ ମାର୍ଚ୍ଚ ୧ରୁ ୧୫ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ, ମାର୍ଚ୍ଚ ୧୬ରୁ ୨୬ ମଧ୍ୟରେ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟରେ ପ୍ରଥମ ରାଉଣ୍ଡ ଡକ୍ୟୁମେଣ୍ଟ ଯାଞ୍ଚ ହେବ। ମାର୍ଚ୍ଚ ୩୦ରେ ପ୍ରଥମ ରାଉଣ୍ଡ ଅନଲାଇନ୍ ଲଟେରି ଓ ସ୍କୁଲ ଆଲଟମେଣ୍ଟ ହେବ ଏବଂ ଏପ୍ରିଲ ୩ରୁ ୧୨ ମଧ୍ୟରେ ସ୍କୁଲଗୁଡ଼ିକରେ ନାମଲେଖା ଅନୁଷ୍ଠିତ ହେବ। ସେହିପରି ଏପ୍ରିଲ ୧୫ରୁ ୨୦ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜୀକରଣ ହେବାକୁ ଥିବା ବେଳେ ଏପ୍ରିଲ ୨୨ରୁ ୨୪ ମଧ୍ୟରେ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟରେ ଡକ୍ୟୁମେଣ୍ଟ ଯାଞ୍ଚ ହେବ। ୨୬ରେ ଦ୍ବିତୀୟ ରାଉଣ୍ଡ ଅନଲାଇନ୍ ଲଟେରି ଓ ସ୍କୁଲ ଆଲଟମେଣ୍ଟ ହେବ। ଏପ୍ରିଲ ୨୭ରୁ ୩୦ ମଧ୍ୟରେ ସ୍କୁଲରେ ନାମଲେଖା ଅନୁଷ୍ଠିତ ହେବ।
ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ତଥା ଅନ୍ୟାନ୍ୟ ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ସିଓଆର୍ ପାଇଥିବା ଘରୋଇ ଅନୁଦାନପ୍ରାପ୍ତ ସ୍କୁଲ ଏହି ପୋର୍ଟାଲରେ ପ୍ରଥମେ ପଞ୍ଜୀକରଣ କରିବେ ଏବଂ ୨୦୦୯ ଶିକ୍ଷା ଅଧିକାର ଆଇନ ବଳରେ ୨୫% ଛାତ୍ରଛାତ୍ରୀଙ୍କ ନାମଲେଖା କରାଇବେ। ୨୫% ସିଟ୍ ମଧ୍ୟରୁ ୧୫%ରେ ଅବହେଳିତ ବର୍ଗର ପିଲା ନାମ ଲେଖାଇବେ। ଏଥିରେ ୧୦% ଏସ୍ସି, ଏସ୍ଟି ଓ ଏସ୍ଇବିସି ବର୍ଗର ଛାତ୍ରଛାତ୍ରୀ ଓ ବାକି ୫% ସିଟ୍ରେ ବାସଗୃହ ନ ଥିବା ଛାତ୍ରଛାତ୍ରୀ, ଶିଶୁ ଶ୍ରମିକ, ରାସ୍ତାପାର୍ଶ୍ବ ଶିଶୁ, ଭିକ୍ଷାବୃତ୍ତି କରୁଥିବା ଆଦି ପିଲାଙ୍କ ନାମଲେଖା ହେବ। ୧୦% ସିଟ୍ରେ ଦୁର୍ବଳ ଶ୍ରେଣୀ ତଥା ବିପିଏଲ୍ କାର୍ଡଧାରୀ ପରିବାରର ଛାତ୍ରଛାତ୍ରୀଙ୍କ ନାମଲେଖା କରାଯିବ। ଅନ୍ଲାଇନ୍ରେ ଆବେଦନ ଶେଷ ହେବା ପରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଡକ୍ୟୁମେଣ୍ଟଗୁଡ଼ିକ ଯାଞ୍ଚ କରାଯିବ। ନାମଲେଖା ହେଉଛି କି ନାହିଁ, ତଦାରଖ ଲାଗି ବ୍ଲକସ୍ତରୀୟ କମିଟି ଯାଞ୍ଚ କରିବ। ଏହି କମିଟିରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ସମେତ ଦୁଇଜଣ ସିଆରସିସି, ଅଣ ଅନୁଦାନପ୍ରାପ୍ତ ଘରୋଇ ସ୍କୁଲର ଦୁଇଜଣ ପ୍ରତିନିଧି ରହିବେ।
The post ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୨୫% ସିଟ୍ ସଂରକ୍ଷଣ ପ୍ରସଙ୍ଗ : ଏପ୍ରିଲ ୩୦ ଯାଏ ନାମଲେଖା first appeared on Sambad.
from ରାଜ୍ୟ – Sambad https://ift.tt/3dvuA20
0 Comments