କୋହଲା ପାଗ ଆଉ ୨୪ ଘଣ୍ଟା

ଭୁବନେଶ୍ବର : ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକର ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବା ବେଳେ ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ହାଲ୍‌କାରୁ ମଧ୍ୟମଧରଣର ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପାଗ ଏଭଳି ରହିବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଗତକାଲି ଉପକୂଳ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ଏବେ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଓ କୋରାପୁଟ ଜିଲ୍ଲାର ଲମତାପୁଟରେ ୩୦ ମିମି ଲେଖାଏଁ ବର୍ଷା ‌ରେକର୍ଡ ହୋଇଥିବା ବେଳେ କଳାହାଣ୍ଡି, ସୋନପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଦେବଗଡ଼ ଓ ନୂଆପଡ଼ା ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହୋଇଥିବା ଜଣାପଡ଼ିଛି। ବର୍ଷା ଯୋଗୁଁ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ଘଟିଛି ଓ ଶୀତ କମିଛି। ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ପାଗ କୋହଲା ରହିବ ଓ କିଛି କିଛି ସ୍ଥାନରେ ବର୍ଷା ହେବାର ବି ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି କିଛି ସ୍ଥାନରେ ହାଲ୍‌କାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଜପତି ଓ ବଲାଙ୍ଗୀର ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହେବା ସହ ପାଗ ମେଘୁଆ ରହିବାର ସମ୍ଭାବନା ରହିଛି। ସେହିଭଳି ଆସନ୍ତା ୨୪ ଘଣ୍ଟା ମଧ୍ୟ‌ରେ ଭୁବନେଶ୍ବର ଓ ସଂଲଗ୍ନ ଅଞ୍ଚଳରେ ପାଗ ମେଘୁଆ ରହିବ। ସର୍ବାଧିକ ତାପମାତ୍ରା ୩୩ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରି ଭିତରେ ରହିବ ବୋଲି ସୂଚନା ମିଳିଛି।

The post କୋହଲା ପାଗ ଆଉ ୨୪ ଘଣ୍ଟା first appeared on Sambad.



from ରାଜ୍ୟ – Sambad https://ift.tt/2ZA6uuS

Post a Comment

0 Comments