ନିଶାମୁକ୍ତ ହେବ ଉଚ୍ଚ ଶିକ୍ଷାନୁଷ୍ଠାନ

ଭୁବନେଶ୍ବର : ଉଚ୍ଚ ଶିକ୍ଷାନୁଷ୍ଠାନ ଯଥା ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସ ନିଶାମୁକ୍ତ ହେବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ବେଳେ ଖୁବ୍‌ଶୀଘ୍ର ଗାଇଡ୍‌ଲାଇନ୍‌ ଆସିବ। ଜାତୀୟ ସେବା ଯୋଜନା(ଏନଏସ୍‌ଏସ୍‌)ର ସମୀକ୍ଷା କରିବା ଅବସରରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଏଭଳି ନିର୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, କ୍ୟାମ୍ପସରୁ ଡ୍ରଗ୍‌ ସଚେତନତା ଆରମ୍ଭ କରିବାକୁ କିଛି ଦିନ ତଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉଚ୍ଚ ଶିକ୍ଷା ବିଭାଗକୁଚିଠି ହୋଇଥିଲା। ବୈଷୟିକ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ଅଧିକ ନିଶାସକ୍ତ ହେଉଛନ୍ତି। ତାହାକୁ ରୋକିବା ଲାଗି କ୍ୟାମ୍ପସ୍‌ରେ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରାଯିବ। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକରେ ନିଶା ସେବନ ହାର ଯଥେଷ୍ଟ କମ୍‌ ରହିଛି। ତଥାପି ଏହି ହାରକୁ ଜିରୋ ତଥା ଶୂନରେ ପହଞ୍ଚାଇବା ପାଇଁ ଏନ୍ଏସ୍ଏସ୍‌ର ସ୍ୱେଚ୍ଛାସେବୀମାନେ କ୍ୟାମ୍ପସରେ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ରାଜ୍ୟର ୨୧ଟି ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟରେ ଏକ ଲକ୍ଷ ୧୫ ହଜାର ୫ଶହ ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀ କାର୍ଯ୍ୟରତ ଅଛନ୍ତି।

ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଛାତ୍ରଛାତ୍ରୀ ଅନେକ ସମୟରେ ନିଶା ସେବନ କରୁଛନ୍ତି। ଯେଉଁଥିପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକର ଶୈକ୍ଷିକ ବାତାବରଣ ନଷ୍ଟ ହେଉଥିବା ବେଳେ ଛାତ୍ରଛାତ୍ରୀ ପଥଭ୍ରଷ୍ଟ ହେଉଛନ୍ତି। ଏଥିରୁ ବର୍ତ୍ତିବା ପାଇଁ କ୍ୟାମ୍ପସକୁ ନିଶାମୁକ୍ତ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ସରକାରଙ୍କ ଏପରି ଉଦ୍ୟମକୁ ଶିକ୍ଷାବିତମାନେ ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ରାଜ୍ୟ ଏନ୍‌ଏସ୍‌ଏସ୍‌ ଅଧିକାର ତଥା ଉପ-ଶାସନ ସଚିବ ଡ. ସୁରେଖା ସୁନ୍ଦରୀ ସ୍ବାଇଁ ପ୍ରଶିକ୍ଷଣ ସହ ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଭାରତ ସରକାରଙ୍କ ଆଞ୍ଚଳିକ ନିର୍ଦେଶକ ସରିତା ପଟେଲ ଏନ୍‌ଏସ୍‌ଏସ୍‌ର ଆଭିମୁଖ୍ୟ ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ।

The post ନିଶାମୁକ୍ତ ହେବ ଉଚ୍ଚ ଶିକ୍ଷାନୁଷ୍ଠାନ first appeared on Sambad.



from ରାଜ୍ୟ – Sambad https://ift.tt/2ZxAI1t

Post a Comment

0 Comments