
ନୂଆଗଡ଼: ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ପୁତରପଡ଼ା ଗ୍ରାମର ଆଦିବାସୀ କୈଳାସ ରଇତଙ୍କ ପରିବାର ସଦସ୍ୟ ଏବେ ଏକ ବିରଳ ରୋଗରେ କବଳିତ ହୋଇ ଘାଣ୍ଟି ହେଉଛନ୍ତି। କୈଳାସ ଓ ତାଙ୍କ ପତ୍ନୀ ଡାଙ୍ଗିଙ୍କ ୫ ସନ୍ତାନ। ମାତ୍ର ସେମାନେ ସମସ୍ତେ ଜନ୍ମ ହେବାର କିଛି ବର୍ଷ ଭିତରେ ବିକଳାଙ୍ଗ ହୋଇ ଯାଇଛନ୍ତି। ଯାହାକୁ ନେଇ ପରିବାର ଭାଙ୍ଗି ପଡ଼ିଥିବା ବେଳେ ଉତ୍ତମ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି।
ସୂଚନା ଅନୁସାରେ, କୌଳାସ-ଡାଙ୍ଗିଙ୍କ ମିଲି ରଇତ(୧୯), ପ୍ରଫୁଲ୍ଲ(୧୭), ଭଳାନାଥ(୧୪), ଖିରାସୁନ୍ଦି(୧୧) ଓ ସାନ(୭) ନାମରେ ୫ ସନ୍ତାନ ଅଛନ୍ତି। କୈଳାସଙ୍କ କହିବା ପ୍ରକାରେ, ପିଲାମାନଙ୍କ ବୟସ ୧୦ ଟପିବା ପରେ ପରେ ସେମାନେ ବିକଳାଙ୍ଗ ହୋଇ ପଡ଼ୁଛନ୍ତି। ଏପରକି ଉଠି ବସି ପାରୁନହାନ୍ତି। ଏହି କ୍ରମରେ ୭ ବର୍ଷର ସାନପୁଅ ସାନ ରଇତକୁ ଛାଡ଼ିଦେଲେ ଅନ୍ୟ ତିନି ପୁଅ ବିକଳାଙ୍ଗ ଅବସ୍ଥାକୁ ଚାଲି ଆସିଛନ୍ତି। ତେବେ ସବୁଠାରୁ ବଡ଼ କଥା, ଏହି ବିରଳ ରୋଗ ସଂପର୍କରେ ସୂଚନା ଥିଲେ ମଧ୍ୟ ଡାକ୍ତରୀ ଦଳ ଏବେ ସୁଦ୍ଧା ଗାଁକୁ ଆସି ରୋଗ ବିଷୟରେ ଯାଞ୍ଚ୍ କରି ନାହାନ୍ତି। ଏପଟେ ଅତି ଗରିବ ଶ୍ରେଣୀର ହୋଇଥିବାରୁ କୈଳାସଙ୍କ ପକ୍ଷେ ପିଲାମାନଙ୍କ ଚିକିତ୍ସା କରାଇବା ଲାଗି ଅର୍ଥ ଯୋଗାଡ଼ ସମ୍ଭବ ହୋଇପାରି ନାହିଁ।
ଏନେଇ ବିଶାଖାପାଟଣା ସ୍ଥିତ ଏକ ଘରୋଇ ଚିକିତ୍ସାକେନ୍ଦ୍ରର ନ୍ୟୁରୋଲୋଜିଷ୍ଟ୍ ଡ.ରଞ୍ଜନ ମିଶ୍ରଙ୍କୁ ପଚାରିବାରୁ ସେ କହିଥିଲେ, ପିଲାମାନେ ହୁଏତ ଜେନେଟିକ୍ ନ୍ୟୁରୋଲୋଜି ଡେଫିସିଏନସି୍ ରୋଗରେ ଆକ୍ରାନ୍ତ ହୋଇଥାଇ ପାରନ୍ତି। ତେଣୁ ଏହାକୁ ଜାଣିବା ପାଇଁ ହେଲେ ପରିବାରର ସମସ୍ତଙ୍କ ରକ୍ତ ନମୁନା ପରୀକ୍ଷା ଓ ବିଶ୍ଳେଷଣର ଆବଶ୍ୟକତା ରହିଛି। ଏହାର ଚିକିତ୍ସା ପାଇଁ ଅଧିକ ଅର୍ଥ ଲାଗିବ। ଏଥିସହ ଉଚିତ୍ ସମୟରେ ଚିକିତ୍ସା କରା ନଗଲେ ଏହା ଜଟିଳ ପରିସ୍ଥିତି ସୃଷ୍ଟି କରିପାରେ। ହେଲେ କୈଳାସ ଏତେ ଟଙ୍କା କେଉଁଠୁ ଆଣିବେ ବୋଲି ଅସମର୍ଥତା ପ୍ରକାଶ କରିଛନ୍ତି। ତାଙ୍କ ପିଲାଙ୍କୁ ଭଲ କରିବା ପାଇଁ ସେ ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି।
The post ଜନ୍ମର ୧୦ ବର୍ଷ ପରେ ପରିବାରର ୩ ବିକଳାଙ୍ଗ first appeared on Sambad.
from ରାଜ୍ୟ – Sambad https://ift.tt/2NwtLLy
0 Comments