
ରାୟଗଡ଼ା/ଗୁଣପୁର: ଓଡ଼ିଶାରେ ସୀମା ଲଂଘିବାରେ ଲାଗିଛି ଆନ୍ଧ୍ର। ରାୟଗଡ଼ା ବ୍ଲକ୍ର ଲୁକୁଟିଗୁଡ଼ା, ପାଲମତୁଳସୀ ପରେ ଗୁଣପୁର ବ୍ଲକର ମରମା ପଞ୍ଚାୟତରେ ଆନ୍ଧ୍ର ରାସ୍ତା ନିର୍ମାଣ କରୁଥିବା ଜଣାପଡ଼ିଛି। ନିର୍ମାଣସ୍ଥଳରେ ଗୁଣପୁର ଉପଜିଲ୍ଲାପାଳ ସୋନାଲ ଜେନା ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ରାସ୍ତା ନିର୍ମାଣ ବନ୍ଦ ପାଇଁ ଆନ୍ଧ୍ର ସରକାରଙ୍କୁ ଚିଠି ଲେଖିଛନ୍ତି।
ଗୁଣପୁର ବ୍ଲକ ମରମା ପଞ୍ଚାୟତରୁ ୨କିମି ଦୂର ଓଡ଼ିଶା ସୀମାରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ବେଆଇନ ଭାବେ ରାସ୍ତା ନିର୍ମାଣ ଚାଲିଛି। ନିର୍ମାଣ ହେଉଥିବା ରାସ୍ତା ଆନ୍ଧ୍ରର ଭାମିନି ମଣ୍ଡଳର ଆନ୍ତର୍ଜଲିରୁ ଆରମ୍ଭ ହୋଇ ଇରିଡି ଘାଟି ଦେଇ ଗୁଜୁବାଇ ଓ ମୁନିଙ୍ଗଖୋଳା ଗ୍ରାମକୁ ସଂଯୋଗ ହୋଇଛି। ଦୀର୍ଘବର୍ଷ ହେଲା ଏହି ଘାଟି ରାସ୍ତାକୁ ଆନ୍ଧ୍ର ସରକାର ନିର୍ମାଣ କରୁଥିବାବେଳେ ଏ ସଂପର୍କରେ ଗୁଣପୁର ଉପଖଣ୍ଡ ପ୍ରଶାସନ ନିକଟରେ କୌଣସି ସୂଚନା ନଥିଲା। କୋଟିଆ ବିବାଦ ଉପରେ ସୀମାନ୍ତ ଅଞ୍ଚଳରେ ସ୍ଥିତି ପରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ପରେ ରାଜସ୍ବ ବିଭାଗ ଅଧିକାରୀ ସୀମାନ୍ତ ଗ୍ରାମ ପରିଦର୍ଶନ ପରେ ଆନ୍ଧ୍ରର ବେଆଇନ କାମ ସଂପର୍କରେ ଜାଣିପାରିଥିଲେ।
ରାଜସ୍ବ ବିଭାଗ ଅଧିକାରୀଙ୍କ ରିପୋର୍ଟ ପରେ ଗୁଣପୁର ଉପଜିଲ୍ଲାପାଳ ସୋନାଲ ଜେନା ନିର୍ମାଣସ୍ଥଳରେ ପହଞ୍ଚି ରାଜସ୍ବ ଓ ଜଙ୍ଗଲ ବିଭାଗ ଦ୍ବାରା ସୀମା ରାସ୍ତାର ତଦନ୍ତ ଆରମ୍ଭ କରିଥିଲେ। ଇତିମଧ୍ୟରେ ଆନ୍ଧ୍ର ଉକ୍ତ ରାସ୍ତାର ୭୦ ପ୍ରତିଶତ ନିର୍ମାଣ ସାରିବା ସହ କଲର୍ଭଟ ଗୁଡ଼ିକର ମରାମତି ମଧ୍ୟ କରି ସାରିଲାଣି। ରାଜସ୍ବ ଓ ଜଙ୍ଗଲ ବିଭାଗ ଅଧୀନରେ ଥିବା ଓଡ଼ିଶାର ୧ କିମିରୁ ଊର୍ଦ୍ଧ୍ବ ରାସ୍ତାକୁ ଆନ୍ଧ୍ର ନିଜ କବ୍ଜାକୁ ନେବା ସହ ନିର୍ମାଣ କାମ କରୁଥିବା ବେଳେ ଜଙ୍ଗଲ ଓ ରାଜସ୍ବ ବିଭାଗ କିପରି ଏ ସଂପର୍କରେ ଜାଣିପାରିଲେ ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
The post ପୁଣି ଆନ୍ଧ୍ର, ଛତିଶଗଡ଼ର ଦାଦାଗିରି, ଦୀର୍ଘବର୍ଷ ଧରି ନିର୍ମାଣ କରୁଛି ଘାଟି ରାସ୍ତା first appeared on Sambad.
from ରାଜ୍ୟ – Sambad https://ift.tt/2ZKqhb6
0 Comments