ପାଠକ ଝିଅଙ୍କ ଘରୋଇ ସହାୟିକାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା : ଟ୍ରେନ୍‌ର ଏସି କୋଚ୍‌ରୁ ଖସିପଡ଼ିଲେ କେମିତି?

ସାଙ୍ଗରେ ଆସିଥିବା ଯୁବକ କିଏ?
ନାବାଳିକାଙ୍କୁ ଘରେ କାମ କରାଉଥିଲେ କେମିତି?
ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲା ଡୁମ୍ବାଳ ଯୁବ ସମାଜ

ଭୁବନେଶ୍ୱର/ବୀରମହାରାଜପୁର : ପାଠକ ପରିବାରର ଗୋଟିଏ ପରେ ଗୋଟିଏ କାରନାମା ପଦାକୁ ଆସିବାରେ ଲାଗିଛି। ଭିଜିଲାନ୍ସ ହାତରେ ଧରା ପଡ଼ି ଗିରଫ ହୋଇଥିବା କୁବେର ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କ ପରିବାର ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ବିବା‌ରେ ଲାଗିଛି। ଏ ଅଭିଯୋଗ କିନ୍ତୁ ପୂର୍ବ ଦୁର୍ନୀତି ଅଭିଯୋଗଠାରୁ ଆହୁରି ସାଂଘାତିକ। ଯାହାକି ଅଭୟକାନ୍ତଙ୍କ ଝିଅଙ୍କୁ ଅଡ଼ୁଆରେ ପକାଇପାରେ। ଟ୍ରେନ୍‌ରେ ଆସୁଥିବା ବେଳେ ତାଙ୍କ ଝିଅଙ୍କ ଘରୋଇ ସହାୟିକା ଥିବା ମହିଳା ଜଗଦା ପଧାନ(୪୨)ଙ୍କର ବାରଙ୍ଗ ଷ୍ଟେସନ ପାଖରେ କେମିତି ମୃତ୍ୟୁ ଘଟିଲା, ତାହାକୁ ନେଇ ଉଠିଛି ପ୍ରଶ୍ନ। ଦୁଇ ମାସ ତଳେ ଘଟିଥିବା ଏହି ଘଟଣାରେ ରେଳବାଇ ପୁଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛି ଜିଲ୍ଲା ଡୁମ୍ବାଳ ଯୁବ ସମାଜ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛି ସମାଜ।

ମିଳିଥିବା ଅନୁସାରେ, ଅଭୟକାନ୍ତଙ୍କ ଝିଅ-ଜ୍ବାଇଁ ପାଟନାରେ ରହୁଛନ୍ତି। ଘରେ କାମ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଜଣେ ନାବାଳିକା ଓ ମହିଳା ଜଗଦା ପାଟନାରେ ତାଙ୍କ ଘରେ କାମ କରୁଥିଲେ। ଭାଇ ଆକାଶର ବିବାହ ପାଇଁ ଗତ ନଭେମ୍ବର ୪ ତାରିଖରେ ପାଟନା-ପୁରୀ ଏକ୍ସପ୍ରେସ୍‌ରେ ଅଭୟକାନ୍ତଙ୍କ ଝିଅ, ଜଣେ ଯୁବକ, ନାବାଳିକା ଓ ମହିଳା ସହାୟିକା ଭୁବନେଶ୍ବର ଆସୁଥିଲେ। ସମସ୍ତେ ଏସି କୋଚ୍‌ରେ ଯାତ୍ରା କରୁଥିଲେ। ନଭେମ୍ବର ୫ ତାରିଖ ରାତି ପ୍ରାୟ ୧ଟାରୁ ସାଢ଼େ ଗୋଟାଏ ଭିତରେ ବାରଙ୍ଗ ଷ୍ଟେସନ ନିକଟରେ ଟ୍ରେନ ଲାଇନ କଡ଼ରୁ ଜଗଦାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ମୁଣ୍ଡ ସମେତ ଶରୀରର ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ଥିଲା। କଟକ ଜିଆରପି ଥାନା ଏ ସଂକ୍ରାନ୍ତରେ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ମୃତଦେହ ବ୍ୟବଚ୍ଛେଦ କରିବା ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରା ଯାଇଥିବା ପୁଲିସ କହିଛି। ଜଗଦା ଟ୍ରେନ ଫାଟକ ନିକଟରେ ଲଗେଜ୍‌ ରଖୁଥିବା ବେଳେ ଖସି ପଡ଼ିଥିଲେ ଓ ଏହା ଏକ ଦୁର୍ଘଟଣା ଥିଲା ବୋଲି ପୁଲିସ କହିଛି।

image source–new indian express

କିନ୍ତୁ ଏହି ଦୁର୍ଘଟଣାକୁ ନେଇ ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସିଛି। ଏସି କୋଚ‌୍‌ର ଫାଟକ ବନ୍ଦ ରହୁଥିବା ବେଳେ ଜଗଦା ଖସିପଡ଼ିଲେ କେମିତି? ଭୁବନେଶ୍ବର ଷ୍ଟେସନରେ ଟ୍ରେନ୍ ଅଟକିବାର ଥିଲେ ମଧ୍ୟ ଏତେ ପୂର୍ବରୁ ବାରଙ୍ଗ ଷ୍ଟେସନରୁ କାହିଁକି ସେ ଲଗେଜ୍ କାଢୁଥିଲେ? ଜଗଦା ଖସି ପଡ଼ିଛନ୍ତି ନା ତାଙ୍କୁ କିଏ ଠେଲି ଦେଇଛି? ଆଇଏଫ୍ଏସ ଅଫିସର୍‌ଙ୍କ କଥା ହୋଇଥିବାରୁ ପୁଲିସ୍‌ ଉପରେ ପଡ଼ିଥିଲା କି ଚାପ? ପରିବାରକୁ ଅର୍ଥ ଲୋଭ ଦେଖାଇ ମାମଲାକୁ ଚପାଇ ଦେବା ପାଇଁ ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ପରେ ତଦନ୍ତ ଫାଇଲକୁ ଆଉ ଥରେ ଖୋଲିବ କି ପୁଲିସ?

ଏହା ବାଦ୍ ଡୁମ୍ବାଳ ଯୁବ ସମାଜ ଆଉ ଏକ ଅଭିଯୋଗ ମଧ୍ୟ ଆଣିଛି। ଅଭିଯୋଗ ଅନୁସାରେ, ଉଲୁଣ୍ଡା ବ୍ଲକ୍‌ କାଦୋଦର ଗାଁର ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ପାଠକ ପରିବାର ନିଜ ଘର କାମ ପାଇଁ ପ୍ରଥମେ ଭୁବନେଶ୍ବର ନେଇଥିଲେ। ସେଠାରେ କିଛିଦିନ କାମ କରାଇବା ପରେ ବିହାରର ପାଟନା ସହରରେ ଥିବା ନିଜ ଝିଅ ଓ ଜ୍ବାଇଁଙ୍କ ଘରକୁ କାମ କରିବାକୁ ପଠାଇ ଦେଇଥିଲେ। ସେଠାରେ ନାବାଳିକାଜଣକ କାମ କରୁଥିଲେ। ପରେ ବୀରମହାରାଜପୁର ବ୍ଲକ୍‌ ଲୁମୁରଜୁନା ଗାଁର ମହିଳା ଜଗଦା ବି କାମ କରୁଥିଲେ। ଜଣେ ଆଇଏଫଏସ ଅଫିସର ନାବାଳିକାଙ୍କୁ ଘରେ କେମିତି କାମ କରାଉଥିଲେ? ଆଇନ ବିଷୟରେ ସବୁ କିଛି ଜାଣି ମଧ୍ୟ ଉଲ୍ଲଂଘନ କରିଥିଲେ କେମିତି? ତେବେ ଏହି ଘଟଣାରେ ଅଭୟକାନ୍ତ ଓ ତାଙ୍କ ଝିଅ, ଜ୍ବାଇଁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି। କିଛିଦିନ ତଳେ ରାଜଧାନୀର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜଣେ ଓଏଫ୍ଏସ ଅଫିସରଙ୍କ ଘରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ଶିଶୁ ଶ୍ରମିକ ନିରୋଧ ଆଇନ ଉଲ୍ଲଂଘନ କରି କାମ କରାଉଥିବା ଅଭିଯୋଗରେ ଯାଜପୁର ବାଲିଚନ୍ଦ୍ରପୁର ଥାନାରେ ମାମଲା ରୁଜୁ ହୋଇଥିଲା।

The post ପାଠକ ଝିଅଙ୍କ ଘରୋଇ ସହାୟିକାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା : ଟ୍ରେନ୍‌ର ଏସି କୋଚ୍‌ରୁ ଖସିପଡ଼ିଲେ କେମିତି? first appeared on Sambad.



from ରାଜ୍ୟ – Sambad https://ift.tt/3oMWs48

Post a Comment

0 Comments