ପ୍ରଦୀପ ବିରୋଧୀଙ୍କ ମେଳି, ୨୦ରେ ମହାସମାବେଶ

ବିଶ୍ବାସଘାତ କାର୍ଯ୍ୟରେ ଲିପ୍ତ ଥିଲେ ବିଧାୟକ
ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ସ୍ବାଗତ
ଦଳ ସ୍ଥିତି ସୁଦୃଢ଼ କରିବାକୁ ଅଣ୍ଟାଭିଡ଼ା

ଗୋଳନ୍ଥରା: ଦିନ ଥିଲା, କାଳ ଥିଲା ଶାସକ ବିଜେଡି ଦଳରେ ଗୋପାଳପୁର ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀଙ୍କ ଦବ୍‌ଦବା ଉପରେ କେହି ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ କୌଣସି ନେତା କି କର୍ମୀ କେହି ମଧ୍ୟ ସାହସ ଜୁଟାଇପାରୁ ନଥିଲେ। ହେଲେ ଗୋଟେ ମାଘରେ ଶୀତ ଯାଏନି, ନ୍ୟାୟରେ ନିଜ ନିର୍ବାଚନମଣ୍ଡଳୀର ଜନପ୍ରତିନିଧି ଓ ନେତା ମାନେ ହିଁ ବିଧାୟକଙ୍କ ବିରୋଧରେ ଯୁଦ୍ଧ ଦେହିଂ ଡାକରା ଦେ‌ଲେ। ଦଳୀୟ କର୍ମୀଙ୍କ ପ୍ରତି ବିଧାୟକଙ୍କ ଆକ୍ରୋଶମୂଳକ ବ୍ୟବହାର ଓ ତାଙ୍କ ଅହଙ୍କାର ମନୋଭାବ‌ରେ ସେମାନେ ଅତିଷ୍ଠ ହୋଇ ପଡ଼ିଥିଲେ। ଯାହାର ଫଳ ସ୍ବରୂପ ବିଧାୟକ ନିଜ ଦଳ ଭିତରେ ହିଁ ଅଲୋଡ଼ା ପାଲଟିଗଲେ। ଗତ ଏକ ବର୍ଷରୁ ଅଧିକ ସମୟ ଧରି କୌଣସି ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳି ନଥିଲା। ସ୍ଥିତି ଏମିତି ହୋଇଥିଲା ଯେ, ବିଧାୟକ ନିଖୋଜ ଆଉ ବର୍ତ୍ତମାନ ଦଳ ବିରୋଧୀ କାର୍ଯ୍ୟକଳାପ ଓ ଟାଟା ମୋଟର୍ସରେ ନିଯୁକ୍ତି ପାଇଁ ଠକେଇ ଭଳି ଅଭିଯୋଗରେ ସେ ଦଳରୁ ବହିଷ୍କୃତ ହେବା ପରେ ଜଣେ ପରେ ଜଣେ ତୁଙ୍ଗ ନେତା ଏବଂ ତୃଣମୂଳସ୍ତରର କର୍ମୀ ମାନେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି। ଆଉ ବିଭିନ୍ନ ଅଭିଯୋଗ ଆଣି ବିଧାୟକଙ୍କୁ ସିଧାସଳଖ ନିଶାଣ କରିଛନ୍ତି।

ଏଭଳି ପରିସ୍ଥିତିରେ ଗୋପାଳପୁର ନିର୍ବାଚନମଣ୍ଡଳୀର ବିଧାୟକ ବିରୋଧୀ ଗୋଷ୍ଠୀ (ଆଗଧାଡ଼ିର ନେତା) ମେଳି ବାନ୍ଧିବା ଚର୍ଚ୍ଚାର ବିଷୟ ପାଲଟିଛି। ବିଧାୟକଙ୍କୁ ବହିଷ୍କୃତ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ସେମାନେ ସ୍ବାଗତ କରିଛନ୍ତି। ପ୍ରଦୀପ କିଛି କର୍ମୀଙ୍କୁ ଖରାପ ବ୍ୟବାହାର କରିବା ସହ ପଛରୁ ଛୁରୀ ମାରିବା ଭଳି କଥା କହୁଥିଲେ। ଦଳ ପ୍ରତି ବିଶ୍ବାସଘାତ କରି ଦୁର୍ନୀତିରେ ଲିପ୍ତ ରହୁଥିଲେ। ଯାହାର ଫଳ ବିଧାୟକ ଆଜି ଭୋଗି ଜେଲ୍ ହାଜତରେ ଅଛନ୍ତି। ଆଗକୁ ପୁଣି ଦଳର ସାଂଗଠନିକ ସ୍ଥିତିକୁ ସଜାଡ଼ି ସୁଦୃଢ଼ କରାଯିବ ବୋଲି ସମସ୍ତେ ଶପଥ ନେଇଥିଲେ।

ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ଆସନ୍ତା ୨୦ ତାରିଖରେ ଖଜୁରିଆ ବାଇପାସ୍‌ରୋଡ଼୍‌ସ୍ଥିତ ଚନ୍ଦ୍ରଚୂ‌ଡ଼େଶ୍ବର ମନ୍ଦିରରେ ଗୋପାଳପୁର ନିର୍ବାଚନମଣ୍ଡଳୀର ସମସ୍ତ ପଞ୍ଚାୟତରୁ ୧୦ ଜଣ, ଏନଏସି ଓ ମହାନଗର ନିଗମରୁ ୧୦ଜଣଙ୍କୁ ନେଇ ବୈଠକ ଡକାଯିବ। ସେଥିରୁ ଜଣେ ମୁଖିଆ ତଥା ନେତାଙ୍କୁ ଚୟନ କରାଯିବ। ପରେ ମୁଖ୍ୟମନ୍ତ୍ରୀଙ୍କୁ ଦଳୀୟ କର୍ମକର୍ତ୍ତା ମାନେ ଭେଟିବେ। ବିରୋଧୀଙ୍କ ଏହି ମେଳିକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି।

ସୂଚନା ଥାଉକି, ଗତବର୍ଷ ସାଧାରଣ ନିର୍ବାଚନ ପରେ ବିଧାୟକଙ୍କ ବ୍ୟବହାରରେ ଦଳୀୟ କର୍ମୀ ଅତିଷ୍ଠ ହୋଇ ବିଦ୍ରୋହର ସ୍ବରୋତ୍ତୋଳନ କରିଥିଲେ। ଯାହାକି ପରବର୍ତ୍ତୀ ସମୟରେ ଉଗ୍ର ରୂପ ନେଇଥିଲା। ଆଉ କଥା ଯାଇ ଦଳର ସୁପ୍ରିମୋଙ୍କ ପାଖରେ ପହଞ୍ଚିଥିଲା। ସ୍ଥିତି ଏମିତି ହୋଇଥିଲା ଯେ, ଗତବର୍ଷ ଅଗଷ୍ଟ ୨୮ରେ ବ୍ଲକ ବିଜେଡି ସଭାପତି ସମେତ ବ୍ଲକ୍ ଅଧ୍ୟକ୍ଷା, ଉପଧ୍ୟାକ୍ଷ, ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ଆଗଧାଡ଼ିର ନେତା ମାନେ ବିଧାୟକଙ୍କୁ ସିଧା ବିରୋଧ କରିଥିଲେ। ଆଉ କୃଷିମନ୍ତ୍ରୀ ଓ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ନଥିଲେ। ପରେ ସାମୂହିକ ଇସ୍ତଫା ଲାଗି ପ୍ରସ୍ତୁତ ହୋଇଥିଲେ। ଏଥିପାଇଁ ସମସ୍ତ ଜନପ୍ରତିନିଧି ଏକ ଟିମ୍ ଗଠନ କରି ବିଧାୟକଙ୍କ ସମସ୍ତ କାର୍ଯ୍ୟକ୍ରମ ବର୍ଜନ କରିବା ପାଇଁ ସ୍ଥିର କରି ସୀମାଞ୍ଚଳରେ ଶପଥ ପାଠ କରିଥିଲେ। ନିଜ ନିର୍ବାଚନମଣ୍ଡଳୀରେ ହିଁ ଦଳର ସ୍ଥିତି ଟଳମଳ ହେଉଥିବା ଜାଣି ବିଧାୟକ ସମାଧାନର ବାଟ ଖୋଜିବାକୁ ଅଣ୍ଟା ଭିଡ଼ିଥିଲେ। ଏଥିପାଇଁ ଅସନ୍ତୁଷ୍ଟ ଗୋଷ୍ଠୀକୁ ନେଇ ବୈଠକ ଡାକିଥିଲେ। ତଥାପି କୌଣସି ସୁଫଳ ମିଳି ନଥିଲା। ଶେଷରେ ଅସନ୍ତୁଷ୍ଟ ଗୋଷ୍ଠୀର ୧୬ଜଣ କର୍ମୀ ଦଳ ମୁଖିଆ ଓ ଜିଲ୍ଲା ଦାୟିତ୍ବରେ ଥିବା ପର୍ଯ୍ୟବେକ୍ଷକଙ୍କ ଦ୍ବାରସ୍ଥ ହୋଇଥି‌ଲେ। ପର୍ଯ୍ୟବେକ୍ଷକ ବି କନ୍ଦଳର ସମାଧାନ ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ଏଭଳି ଭାବେ ବିରୋଧୀ ଗୋଷ୍ଠୀ ଓ ବିଧାୟକଙ୍କ ଭିତରେ ତିକ୍ତତା ଆହୁରି ବଢ଼ିଚାଲିଥିଲା। ବର୍ତ୍ତମାନ ବିଧାୟକଙ୍କ ବହିଷ୍କାର ନିଷ୍ପତ୍ତିକୁ ବିରୋଧୀ ଗୋଷ୍ଠୀ ସ୍ବାଗତ କରିବା ସହ ଦଳର ସାଂଗଠନିକ ସ୍ଥିତିକୁ ସୁଦୃଢ଼ କରିବାକୁ ଅଣ୍ଟା ଭିଡ଼ିଛନ୍ତି।

The post ପ୍ରଦୀପ ବିରୋଧୀଙ୍କ ମେଳି, ୨୦ରେ ମହାସମାବେଶ first appeared on Sambad.



from ରାଜ୍ୟ – Sambad https://ift.tt/3neMeJk

Post a Comment

0 Comments