ପୁଣି ଚର୍ଚ୍ଚାରେ ନୟାଗଡ଼ : ବାରିପଟେ ଖେଳୁଥିବା ଶିଶୁକନ୍ୟା ନିଖୋଜ

ରଣପୁର : ନୟାଗଡ଼ ଯଦୁପୁର ଗାଁର ୫ ବର୍ଷର ଶିଶୁକନ୍ୟା ପରୀ ଅପହରଣ ଓ ହତ୍ୟା ଘଟଣାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଶୁକ୍ରବାର ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍‌ ଅଞ୍ଚଳରେ ଆଉ ଏକ ୩ ବର୍ଷର ଶିଶୁକନ୍ୟା ନିଖୋଜ ହୋଇଯାଇଛି। ଏହି ଘଟଣା ପୋଲିସ ପ୍ରଶାସନର ନିଦ ହଜାଇ ଦେଇଥିବା ଜଣାଯାଇଛି। ଉକ୍ତ ଅଞ୍ଚଳରେ ଥିବା ସମସ୍ତ କୂଅ, ପୋଖରୀ ଖୋଜାଖୋଜି କରି ଓଡ୍ରାଫ୍ ଟିମ୍ ନିରାଶ ହୋଇ ଫେରିଥିବା ବେଳେ ପୁଲିସ ଟିମ୍ ସେଠାରେ ଡେରା ପକାଇ ତନାଘନା ଜାରି ରଖିଥିବା ଦେଖିବାକୁ ମିଳିଛି।

ରଣପୁର ବ୍ଲକ୍‌ ବଧିପାଟଣା ଗାଁ’ର ସଞ୍ଜୟ କୁମାର ସାହୁଙ୍କ ଝିଅ ହରପ୍ରିୟା ସାହୁ (ସ୍ବାତୀ, ୩ ବର୍ଷ) ଗତକାଲି ଅପରାହ୍ଣ ୨ଟାରେ ବାରିପଟେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା। କିଛି ସମୟ ପରେ ସ୍ବାତୀର ମା’ ବାରିପଟେ ଯାଇ ଖୋଜାଖୋଜି କରିଥିଲେ ହେଁ ଝିଅର କୌଣସି ପତ୍ତା ମିଳି ନ ଥିଲା। ଏ ନେଇ ପରିବାର ଲୋକେ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ରଣପୁର ଆଇଆଇସି ଜ୍ୟୋତି ପ୍ରକାଶ ପଣ୍ତା ପୁଲିସ ଟିମ୍ ସହ ଗାଁ’ରେ ପହଞ୍ଚି ଖୋଜାଖୋଜି କରିଥିଲେ। ମାତ୍ର ସ୍ବାତୀକୁ ପାଇ ନ ଥିଲେ। ଶନିବାର ପୂର୍ବାହ୍ଣ ସାଢ଼େ ୮ଟାରେ ଓଡ୍ରାଫ୍ ଟିମ୍ ପହଞ୍ଚି ଗାଁ’ରେ ଥିବା ସମସ୍ତ କୂଅ ଓ ୩ଟି ପୋଖରୀ ତନ୍ନତନ୍ନ କରି ଖୋଜିଥିଲେ ହେଁ ସ୍ବାତୀର କୌଣସି ପତ୍ତା ନ ମିଳିବାରୁ ନିରାଶ ହୋଇ ଫେରିଥିଲେ। ତେବେ ପୋଲିସ୍‌ ସେଠାରେ ଡେରା ପକାଇ ଘରଘର ବୁଲି ଖୋଜିବା ସାଙ୍ଗକୁ ଆଖପାଖ ଗାଁ’ ଓ ଜଙ୍ଗଲ ଅଞ୍ଚଳରେ ମଧ୍ୟ ଛାନ୍‌ଭିନ୍ କରିଛି। ସ୍ବାତୀ ନିଖୋଜକୁ ଇତିମଧ୍ୟରେ ୩୦ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ଖୋଜଖବର ନ ମିଳିବାରୁ ପରିବାର ଲୋକେ ନାନା ଆଶଙ୍କାରେ ରହିଛନ୍ତି। ସଞ୍ଜୟ ଜଣେ ଦିନମଜୁରିଆ ତଥା ଅତି ଗରିବ ଶ୍ରେଣୀର ହୋଇଥିବା ବେଳେ ସ୍ବାତୀଙ୍କୁ କାହିଁକି ଓ କିଏ ଅପହରଣ କଲା ନା ସ୍ବାତୀ କୁଆଡ଼େ ଚାଲିଗଲା, ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସଞ୍ଜୟଙ୍କର ଗୋଟିଏ ପୁଅ ଓ ୨ଟି ଜାଆଁଳା ଝିଅରୁ ସ୍ବାତୀ ନିଖୋଜ ହୋଇଥିବା ଜଣାଯାଇଛି।

ଅପରାହ୍ଣ ସାଢ଼େ ୫ଟାରେ ଜିଲ୍ଲା ଏସ୍‌ପି ଓ ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ ଏହି ଗାଁ ପରିଦର୍ଶନ କରିବା ସାଙ୍ଗକୁ ସ୍ବାତୀର ପରିବାରଙ୍କୁ ଭେଟିଛନ୍ତି। ତେବେ ପରୀ ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ଏଭଳି ଏକ ସ୍ପର୍ଶକାତର ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି।

The post ପୁଣି ଚର୍ଚ୍ଚାରେ ନୟାଗଡ଼ : ବାରିପଟେ ଖେଳୁଥିବା ଶିଶୁକନ୍ୟା ନିଖୋଜ first appeared on Sambad.



from ରାଜ୍ୟ – Sambad https://ift.tt/3oNyyFC

Post a Comment

0 Comments