ଆତ୍ମହତ୍ୟା ଉଦ୍ୟମ ବେଳେ ପୋଡ଼ିଗଲେ ୩ ଜଣ, ଆଖି ବୁଜିଲେ ମା’ ଓ ଝିଅ, ଜ୍ୱାଇଁ ଏବେ ବି ସଙ୍କଟାପନ୍ନ

ବେତନଟୀ : ଆତ୍ମହତ୍ୟା ଉଦ୍ୟମ ବେଳେ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିବା ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ନିମୁହାଁ ବଇଦପୁର ଗ୍ରାମର ୩ ଜଣଙ୍କ ମଧ୍ୟରୁ ଆଜି ମା’, ଝିଅଙ୍କ ମୃତ୍ୟୁ ଘଟିଛି। ଜ୍ବାଇଁ ଏବେ ବି ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।

ପୁଲିସ ସୂଚନା ଅନୁଯାୟୀ, ଗତ ୩୧ ତାରିଖ ରାତିରେ ଏହି ଗ୍ରାମର ଗୌର ସିଂ (୪୫) ଓ ତାଙ୍କ ପତ୍ନୀ ସରସ୍ବତୀ(୪୦)ଙ୍କ ମଧ୍ୟରେ ନିଶା ସେବନକୁ ଝଗଡ଼ା ହୋଇଥିଲା। ପତ୍ନୀ ସରସ୍ବତୀ ନିଶା ସେବନ କରୁଥିବାରୁ ବିରକ୍ତ ହୋଇଥିଲେ ଗୌର। ପରଦିନ ସକାଳେ ମଧ୍ୟ ପାଟିତୁଣ୍ଡ ହୋଇଥିଲା। ଏଥିରେ ମାନସିକ ଭାରସାମ୍ୟ ହରାଇ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ସରସ୍ବତୀ। ସ୍ବାମୀ ଗୌର ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ନିଆଁରେ ତାଙ୍କର ଦୁଇହାତ ପୋଡ଼ି ଯାଇଥିଲା। ଏହି ସମୟରେ ଘରେ ଥିଲେ ସରସ୍ବତୀଙ୍କ ମା’ ରାଇମଣି (୭୨)। ଚାଲିବୁଲି ପାରୁନଥିବାରୁ ତାଙ୍କ ଦେହରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଏମାନଙ୍କ ଚିତ୍କାର ଶୁଣି ଗ୍ରାମବାସୀ ପହଞ୍ଚି ନିଆଁ ଲିଭାଇବା ସହ ସମସ୍ତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବେତନଟୀ ଡାକ୍ତରଖାନାକୁ ପଠାଇଥିଲେ। ସରସ୍ବତୀଙ୍କ ଶରୀରର ୯୦ ପ୍ରତିଶତରୁ ଅଧିକ ପୋଡ଼ି ଯାଇଥିବାରୁ ତାଙ୍କୁ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଆଜି ମା ରାଇମଣି ଓ ଝିଅ ସରସ୍ବତୀଙ୍କ ମୃତ୍ୟୁ ଘଟିଛି। ବୈଶିଙ୍ଗା ଥାନା ପୁଲିସ ଘଟଣାର ତଦନ୍ତ କରୁଛି। ପ୍ରକାଶଥାଉକି, ଗୁରୁତର ସରସ୍ବତୀ ଓ ଗୌରଙ୍କର ପିଲାପିଲି ନାହାନ୍ତି।

The post ଆତ୍ମହତ୍ୟା ଉଦ୍ୟମ ବେଳେ ପୋଡ଼ିଗଲେ ୩ ଜଣ, ଆଖି ବୁଜିଲେ ମା’ ଓ ଝିଅ, ଜ୍ୱାଇଁ ଏବେ ବି ସଙ୍କଟାପନ୍ନ first appeared on Sambad.



from ରାଜ୍ୟ – Sambad https://ift.tt/3oShfnp

Post a Comment

0 Comments