
ଭୁବନେଶ୍ୱର : ବିଭିନ୍ନ ସରକାରୀ ବିଭାଗରେ ଆଭ୍ୟନ୍ତରୀଣ ଦୁର୍ନୀତି ନିବାରଣ ବ୍ୟବସ୍ଥାକୁ ସୁଦୃଢ କରିବାକୁ ହେବ। ଦୁର୍ନୀତି ବିରୋଧୀ, ସ୍ବଚ୍ଛତା, ଉନ୍ନତି ଓ ସୁଶାସନ ଉପରେ ଗୁରୁତ୍ବ ଦେବାକୁ ହେବ। ଭିଜିଲାନ୍ସ ସଚେତନତା ସପ୍ତାହ ଉଦ୍ଯାପନୀ ଦିବସ ଅବସରରେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଏହି ଆହ୍ବାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ୫୨ ଜଣ ସିଭିଓ(ମୁଖ୍ୟ ଭିଜିଲାନ୍ସ ଅଧିକାରୀ)ଙ୍କୁ ଶ୍ରୀ ପାଣିଗ୍ରାହୀ ଏହି ପରାମର୍ଶ ଦେଇଛନ୍ତି। ସିଭିଓମାନେ କିପରି କାର୍ଯ୍ୟ କରିବେ, ଦୁର୍ନୀତି ନିବାରଣ କ୍ଷେତ୍ରରେ ସେମାନଙ୍କର ଭୂମିକ କ’ଣ ରହିବ, ସେ ନେଇ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା। ଭିଜିଲାନ୍ସ ଏକାଡେମୀରେ ଆୟୋଜିତ ଏହି କର୍ମଶାଳାରେ ଭିଜିଲାନ୍ସ ଆଇଜି ଘନଶ୍ୟାମ ଉପାଧ୍ୟାୟ, ଭିଜିଲାନ୍ସ ଏକାଡେମୀ ନିର୍ଦ୍ଦେଶକ ସଞ୍ଜୟ କୁମାର କୌଶଲ, ଉପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଛୋଟରାୟ, ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ୍ ଏସ୍ପି ଅନୁପମା ଜେମ୍ସ ଓ ଭିଜିଲାନ୍ସ ମୁଖ୍ୟାଳୟ ଏସ୍ପି ସାରା ଶର୍ମା ଯୋଗ ଦେଇଥିଲେ।
ଏହି ଅବସରରେ ଭୁବନେଶ୍ବର ଭିଜିଲାନ୍ସ ଡିଭିଜନକୁ ଶ୍ରେଷ୍ଠ ଡିଭିଜନ୍ ଭାବେ ବିବେଚିତ କରାଯାଇଛି। ସେହିପରି ବାରିପଦା, ରାଉରକେଲା ଓ ବରଗଡ଼ ମଧ୍ୟ ଶ୍ରେଷ୍ଠ ୟୁନିଟ୍ ଭାବେ ବଛାଯାଇଛି। ଶ୍ରେଷ୍ଠ ପୁରୁଷ ତଦନ୍ତକାରୀ ଅଧିକାରୀ ଭାବେ ସମ୍ବଲପୁର ଡିଭିଜନର ଝାରସୁଗୁଡ଼ା ୟୁନିଟ୍ ଇନ୍ସପେକ୍ଟର ପ୍ରଦୀପ କୁମାର ଆଇନ୍ଦ ଏବଂ ମହିଳା ତଦନ୍ତକାରୀ ଅଧିକାରୀ ଭାବେ ବ୍ରହ୍ମପୁର ଡିଭିଜନର ଇନ୍ସପେକ୍ଟର କ୍ରିଷ୍ଣା କୁମାରୀ ପ୍ରଧାନ ଶ୍ରେଷ୍ଠ ସ୍ଥାନ ଦଖଲ କରିଛନ୍ତି। ଅନ୍ୟ ତଦନ୍ତକାରୀ ଅଧିକାରୀଙ୍କ ଭିତରେ ବାଲେଶ୍ବର ଡିଭିଜନର ଡିଏସ୍ପି ଶରତ କୁମାର ମହାପାତ୍ର, କୋରାପୁଟ ଡିଭିଜନର ଇନ୍ସପେକ୍ଟର କଳାବତି ବାଗ୍, କଟକ ଡିଭିଜନର ଡିଏସ୍ପି ସୁରେନ୍ଦ୍ରନାଥ ରାଜଗୁରୁ, ଭୁବନେଶ୍ବର ଡିଭିଜନର ଡିଏସ୍ପି ସୁଶାନ୍ତ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ଡିଭିଜନର ଇନ୍ସପେକ୍ଟର ପୁଲସ୍ତି ଛତ୍ରିଆ ଓ ଭିଜିଲାନ୍ସ ସେଲ ଡିଭିଜନର ଡିଏସ୍ପି ତନୁଜା ମହାନ୍ତି ପୁରସ୍କାର ପାଇବା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି। ଫୁଲବାଣୀ ସ୍ପେଶାଲ୍ ଭିଜିଲାନ୍ସ ଜଜ୍ଙ୍କ କୋର୍ଟର ଦିଂବଗତ ସ୍ବତନ୍ତ୍ର ସରକାରୀ ଓକିଲ ସୁରେଶ କୁମାର ମହାପାତ୍ରଙ୍କୁ ଶ୍ରେଷ୍ଠ ଭିଜିଲାନ୍ସ ଓକିଲ ଭାବେ ବିବେଚନା କରାଯାଇଛି।
The post ଭିଜିଲାନ୍ସ ସଚେତନତା ସପ୍ତାହ ଉଦ୍ଯାପିତ : ଭୁବନେଶ୍ୱର ଡିଭିଜନ୍ ଶ୍ରେଷ୍ଠ first appeared on Sambad.
from ରାଜ୍ୟ – Sambad https://ift.tt/2GnicD5
0 Comments