ଗୁହାଳ ଘର ହାତେଇବାକୁ ତଞ୍ଚକତା, ଭଡ଼ାରେ ଆଣି ଗୋରୁ ସଂଖ୍ୟା ବଢ଼ାଉଛନ୍ତି ହିତାଧିକାରୀ

ନୀଳଗିରି: ଗୁହାଳ ଘର ପାଇଁ କାର୍ଯ୍ୟାଦେଶ ହାତେଇବାକୁ ଭଡ଼ାରେ ଅଣାଯାଉଛି ଗୋରୁ। ଏମିତି ସାଂଘାତିକ ଅଭିଯୋଗ ଆସିଛି ନୀଳଗିରି ବ୍ଲକରୁ। ଗୋ ସଂପଦର ଅଭିବୃଦ୍ଧି ତଥା ସୁରକ୍ଷା ନିମନ୍ତେ ହିତାଧିକାରୀଙ୍କୁ ଗୁହାଳ ଘର ନିର୍ମାଣ ଲାଗି ସରକାରୀ ସହାୟତା ଦିଆଯାଉଛି। ନିୟମ ଅନୁଯାୟୀ, ଯାହାର ୬ରୁ ଅଧିକ ଗୋରୁଗାଈ ଥିବ, ସେହି ବ୍ୟକ୍ତିଙ୍କୁ ଗୁହାଳ ଘର ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ୧ଲକ୍ଷ ୧୩ ହଜାର ଟଙ୍କା ସହାୟତା ରାଶି ମିଳିବାର ବ୍ୟବସ୍ଥା ରହିଛି। ହେଲେ ନୀଳଗିରି ବ୍ଲକରେ କିଛି ହିତାଧିକାରୀ ଏହି ଯୋଜନାକୁ ହାତେଇବା ଲାଗି ତଞ୍ଚକତା କରିଥିବା ଅଭିଯୋଗ ହୋଇଛି। ଘରେ ୫ଟି ଗୋରୁ ଥିଲେ ମଧ୍ୟ ମ୍ୟାଜିକ ନମ୍ବର ଯୋଗାଡ଼ କରିବାକୁ ହିତାଧିକାରୀମାନେ ଅନ୍ୟ ଘରୁ ଭଡ଼ାରେ ଗୋରୁ ଆଣି ନିର୍ଦ୍ଦିଷ୍ଟ ସଂଖ୍ୟା ଦର୍ଶାଉଛନ୍ତି।

ନୀଳଗିରି ପଞ୍ଚାୟତରେ ସିଙ୍ଗିରି ଏଲ୍ଆଇ ତଦନ୍ତ କରୁଥିବା ବେଳେ ତଦନ୍ତ ରିପୋର୍ଟରେ ଓଭରରାଇଟିଂ କରାଯାଇ ଗୋରୁ ସଂଖ୍ୟା ବଢ଼ାଯାଇଥିବା ଦେଖାଯାଇଛି। ଏ ବାବଦରେ ଏଲ୍ଆଇଙ୍କୁ ପଚାରିବାରୁ ସେ କହିଥିଲେ, ତଦନ୍ତ ବେଳେ ଗୋରୁ ସଂଖ୍ୟା କମ୍ ଥିଲା। ପରେ ଶାବକ ଜନ୍ମ ହେବାରୁ ସେହି ସଂଖ୍ୟାକୁ ବଢ଼ାଯାଇଛି। ୨ ଜଣ ହିତାଧିକାରୀଙ୍କ କ୍ଷେତ୍ରରେ ଏପରି ଅଭିଯୋଗ ସାମ୍ନାକୁ ଆସିଛି। ସେହିପରି ବେଗୁନିଆ ପଞ୍ଚାୟତରେ ମଧ୍ୟ ଗୋରୁ ଗୁହାଳ ଚୟନରେ ବ୍ୟାପକ ହେରଫେର୍ କରାଯାଇଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ନୀଳଗିରି ବ୍ଲକ୍ ଏପିଓଙ୍କୁ ପଚାରିବାରୁ ଏହାର ପୁନଃତଦନ୍ତ ପାଇଁ ସିଙ୍ଗିରି ଏଲ୍ଆଇଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି। ତେବେ ଗୋରୁ ଭଡ଼ାରେ ଆଣି ମ୍ୟାଜିକ ସଂଖ୍ୟା ଦର୍ଶାଯିବା ସତ ବୋଲି ନିଜ ନାମ ଗୋପନ ରଖି କେତେକ ହିତାଧିକାରୀ କହିଛନ୍ତି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ଗୁମର କଥା ପଦାକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଉପଜିଲ୍ଲାପାଳ ହରିଶଚନ୍ଦ୍ର ଜେନାଙ୍କୁ ପଚାରିବାରୁ ଏ ବିଷୟରେ ସେ କାହାଠୁ ଅଭିଯୋଗ ପାଇନଥିବା କହିଥିଲେ। ତେବେ ଅନିୟମିତତା ସଂପର୍କରେ ଅଭିଯୋଗ ଆସିଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।

The post ଗୁହାଳ ଘର ହାତେଇବାକୁ ତଞ୍ଚକତା, ଭଡ଼ାରେ ଆଣି ଗୋରୁ ସଂଖ୍ୟା ବଢ଼ାଉଛନ୍ତି ହିତାଧିକାରୀ first appeared on Sambad.



from ରାଜ୍ୟ – Sambad https://ift.tt/2KERW8Y

Post a Comment

0 Comments