
ଖୋର୍ଦ୍ଧା: ବେଗୁନିଆ ବ୍ଲକ୍ ବାଘମାରୀ ଥାନା ଅନ୍ତର୍ଗତ ସାରୁଅ–ଜୟମଙ୍ଗଳଠାରେ ଓଟିଭି–ତରଙ୍ଗର ଷ୍ଟୁଡିଓ ନିର୍ମାଣ ପାଇଁ ଅନୁସୂଚିତ ଜାତି ଓ ଜନଜାତିଙ୍କଠାରୁ ଚଞ୍ଚକତା କରି ଜମି କିଣା ଘଟଣାରେ ଆଜି ରାଜ୍ୟ ରାଜସ୍ବ ବିଭାଗ ତତ୍କାଳୀନ ବେଗୁନିଆ ତହସିଲଦାର ବିବେକାନନ୍ଦ ପରିଡ଼ାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଆଜି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ପ୍ରମୁଖ ସଚିବ ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି। ନିର୍ଦ୍ଦେଶାନୁସାରେ, ଶ୍ରୀ ପରିଡ଼ାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଏହି ନିଲମ୍ବିତ ସମୟ ମଧ୍ୟରେ ସେ ଉପଜିଲ୍ଲାପାଳଙ୍କ ତତ୍ବବଧାନରେ ରହିବେ ଓ ବିନା ସୂଚନାରେ ଜିଲ୍ଲା ବାହାରକୁ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ଶ୍ରୀ ପରିଡ଼ା ବେଗୁନିଆ ତହସିଲଦାର ଭାବେ ୨୦୧୮ ମସିହାରେ ଯୋଗ ଦେଇଥିଲେ। ତାଙ୍କ ସମୟରେ ସାରୁଅରେ ଓଟିଭି ପକ୍ଷରୁ କେତେକ ଅନୁସୂଚିତ ଜାତି ଓ ଜନଜାତିର ଲୋକଙ୍କଠାରୁ ଜମି କିଣାଯାଇଥିଲା। ସାରୁଅ ଜମି ଦୁର୍ନୀତିର ପର୍ଦ୍ଦାଫାସ୍ ହେବା ପରେ ଜମି କିଣାବିକାରେ ତହସିଲଦାରଙ୍କ ସମ୍ପୃକ୍ତିର ଅଭିଯୋଗ ମଧ୍ୟ ହୋଇଥିଲା। ବିଭିନ୍ନ ସମୟରେ ଏନେଇ ତହସିଲଦାରଙ୍କଠାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଉପଯୁକ୍ତ ତଦନ୍ତ କରି ନ ଥିବା ଓ ଜାଲିଆତି ବିରୋଧରେ ପଦକ୍ଷେପ ନେଇ ନ ଥିବା ଅଭିଯୋଗକାରୀମାନେ ଦର୍ଶାଇଥିଲେ। ଅଭିଯୋଗ ଭିତ୍ତିରେ ପ୍ରଥମେ ଖୋର୍ଦ୍ଧା ଏଡିଏମ୍ଙ୍କ ନେତୃତ୍ବରେ ଏକ ବିଭାଗୀୟ ତଦନ୍ତ କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ ଅର୍ଥନୈତିକ ଅପରାଧ ଶାଖା ମଧ୍ୟ ଏହାର ତଦନ୍ତ କରିଥିଲା। ସାରୁଅ ଜମି ଦୁର୍ନୀତିର ତଦନ୍ତ ଚାଲିଥିବା ବେଳେ ଶ୍ରୀ ପରିଡ଼ାଙ୍କୁ ଚଳିତ ବର୍ଷ ଅକ୍ଟୋବର ୭ ତାରିଖରେ କଟକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଡେପୁଟି ଜିଲ୍ଲାପାଳ ଭାବେ ବଦଳି ହୋଇଥିଲା।
The post ଓଟିଭି ଜମି ଜାଲିଆତି ମାମଲା: ତତ୍କାଳୀନ ବେଗୁନିଆ ତହସିଲଦାର ନିଲମ୍ବିତ first appeared on Sambad.
from ରାଜ୍ୟ – Sambad https://ift.tt/37a0E6R
0 Comments