
ଭୁବନେଶ୍ବର: ପୁରୀ ଏବଂ ବୀରମିତ୍ରପୁରରେ ଦୁଇ ଦୁଇଟି ହାଜତ ମୃତ୍ୟୁ ଘଟଣା ଏବଂ ଥାନାରେ ପୁଲିସର ଥାର୍ଡ ଡିଗ୍ରି ନେଇ ଚର୍ଚ୍ଚା ଥମିନି। ଏବେ ନୟାଗଡ଼ ଜିଲ୍ଲା ପରୀ ମୃତ୍ୟୁ ଘଟଣାରେ ବାପା, ମା’ଙ୍କ ଆତ୍ମାହୁତି ଉଦ୍ୟମ ଓ ପୁଲିସ କାରନାମା ଏବଂ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ବାବୁଲି ନାୟକକୁ ସୁରକ୍ଷା ଦେବା ଅଭିଯୋଗରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ନାମ ଚର୍ଚ୍ଚାକୁ ଆସିବା ଘଟଣା ସରକାରଙ୍କ ଅଡ଼ୁଆ ବଢ଼ାଇ ଦେଇଛି। ବିଧାନସଭାରେ ଏହାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ଗର୍ଜନ ତର୍ଜନ କରିଛନ୍ତି। ସେମାନେ ମୁଖ୍ୟମନ୍ତ୍ରୀଙ୍କର ବିବୃତି ଦାବି କରିଥିଲେ। କେବଳ ସେତିକି ନୁହେଁ, କେଉଁ ପରିସ୍ଥିତିରେ ଦମ୍ପତି ସୁରକ୍ଷା ବଳୟକୁ ଏଡ଼ାଇ ବିଧାନସଭା ସମ୍ମୁଖରେ ପହଞ୍ଚିଲେ, କେମିତି କେହି ଜାଣିପାରିଲେନି, ତାହାକୁ ନେଇ ବିଧାୟକମାନେ ପ୍ରଶ୍ନ ଉଠାଇଛନ୍ତି। ପରିସ୍ଥିତିର ଗମ୍ଭୀରତା ଅନୁଭବ କରି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆସନ୍ତାକାଲି ଏହି ଘଟଣା ସଂପର୍କିତ ୪ଟି କଥା ଉପରେ ବିବୃତି ରଖିବାକୁ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ନିର୍ଦେଶ ଦେଇଛନ୍ତି। ବାଚସ୍ପତି କହିଛନ୍ତି, କେଉଁ ପରିସ୍ଥିତିରେ ପରୀର ବାପା, ମା’ ସୁରକ୍ଷା ବଳୟ ଭେଦ କରି ବିଧାନସଭା ସମ୍ମୁଖକୁ ଆସିଲେ ଓ ଡିଜେଲ ଧରି ସେମାନେ ଆତ୍ମହତ୍ୟା ଉଦ୍ୟମ କଲେ? ନୟାଗଡରେ ୩ ମାସ ହେଲା ମାମଲା ହୋଇଛି। କାହିଁକି ନୟାଗଡ ପୁଲିସ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲାନି? ସେ ଦମ୍ପତି ରାଜ୍ୟର ଜଣେ ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଏସବୁକୁ ନେଇ କାଲି ମନ୍ତ୍ରୀ ଗୃହରେ ବିସ୍ତୃତ ଉତ୍ତର ଦେବାକୁ ବାଚସ୍ପତି ନିର୍ଦେଶ ଦେଇଛନ୍ତି।
ଆଜି ଗୃହମନ୍ତ୍ରୀ ବିଧାନସଭାରେ ରଖିବେ ଉତ୍ତର
ବିଧାୟକ ପଚାରିଲେ, ଏ ପରୀ କିଏ?
ଆଜି ବିଧାନସଭାରେ ରାଜ୍ୟର ଆଇନଶୃଙ୍ଖଳା ନେଇ ଗୃହରେ ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏକ ବୈଧାନିକ ପ୍ରଶ୍ନ ଛଳରେ ଏହି ପ୍ରସଙ୍ଗ ଉଠାଇଥିଲେ। କହିଥିଲେ, ନୟାଗଡର ଗୋଟିଏ ଦମ୍ପତି ବିଧାନସଭା ଫାଟକ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ଏ ଗୃହ ସୁରକ୍ଷିତ ତ ବୋଲି ବାଚସ୍ପତିଙ୍କୁ ପ୍ରଶ୍ନ କରି ଶ୍ରୀ ମିଶ୍ର କହିଥିଲେ ଯେ ବିଧାନସଭା ଚାଲିଥିବା ବେଳେ ପୁଲିସ ସୁରକ୍ଷା ବଳୟ ଭେଦ କରି ସେମାନେ ଆସିଲେ?ଗୁଇନ୍ଦା ବ୍ୟବସ୍ଥା ପୂରା ଫେଲ୍ ମାରିଛି। ପୁଲିସର ସତର୍କତା ବି ଫେଲ୍। ଆମେ ବିଧାୟକମାନେ ଆସୁଥିବା େବଳେ ଯଦି କେହି ଆମ ଉପରେ ବୋମା ଫିଙ୍ଗିଦିଏ, ତାହା ହେଲେ ତ କଥା ସରିଲା। ଏଥିରୁ ହିଁ ପ୍ରମାଣିତ ହେଉଛି ଯେ ରାଜ୍ୟରେ ଆଇନଶୃଙ୍ଖଳା ନାହିଁ। ବାଚସ୍ପତି ହିଁ ଆମକୁ ସୁରକ୍ଷା ଦିଅନ୍ତୁ।
ଅପରାହ୍ନ ଅଧିବେଶନରେ ଏହି ପ୍ରସଙ୍ଗ ପୁଣି ଥରେ ଗୃହରେ କମ୍ପନ ସୃଷ୍ଟି କରିଥିଲା। ଶ୍ରୀ ମିଶ୍ର ପୁଣି କହିଥିଲେ, ନୟାଗଡ଼ ଦମ୍ପତିଙ୍କ ଅଭିଯୋଗ ଅନୁଯାୟୀ ସେମାନଙ୍କ ଝିଅକୁ ହତ୍ୟା କରାଯାଇଛି। ଏଥିରେ ଜଣେ ନିର୍ଦିଷ୍ଟ ମନ୍ତ୍ରୀଙ୍କର ସଂପୃକ୍ତି ରହିଥିବା ନେଇ ଉଭୟ ଅଭିଯୋଗ କରିଛନ୍ତି। ଯଦି ଅଭିଯୋଗରେ ସତ୍ୟତା ଥାଏ, ତେବେ ସାଂଘାତିକ। ଏଥିପାଇଁ ଅନୁସନ୍ଧାନ ହେବା ଦରକାର । ତୁରନ୍ତ ବାଚସ୍ପତି ପଦକ୍ଷେପ ନିଅନ୍ତୁ।
ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଉଦବେଗ ପ୍ରକାଶ କରି କହିଥିଲେ ଯେ ବିଧାନସଭା ଫାଟକ ସାମ୍ନାରେ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ସେମାନେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅକୁ ମାରିଦିଆଯାଇଛି। ଜଣେ ମନ୍ତ୍ରୀଙ୍କ ପ୍ରତ୍ୟେକ୍ଷ ସଂପୃକ୍ତି ଥିବା ଅଭିଯୋଗ କରିଛନ୍ତି। କାର୍ଯ୍ୟାନୁଷ୍ଠାନ ହେଲାନି, ବରଂ ସେହି ଅଭିଯୁକ୍ତମାନେ ତାଙ୍କ ଘରେ ବାପା ମାଆଙ୍କୁ ଧମକଚମକ ଦେଲେ। ମୁଖ୍ୟ ଅଭିଯୁକ୍ତ ପଛରେ କାହାର ହାତ ଅଛି। ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ଗୃହରେ ବିବୃତି ଦିଅନ୍ତୁ। କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ, ଗୃହରେ ଯେଉଁ ସମୟରେ ଆଇନଶୃଙ୍ଖଳା ଉପରେ ଆଲୋଚନା ଚାଲିଛି ଓ ମନ୍ତ୍ରୀ ସବୁ ଠିକ୍ ଠାକ୍ ଚାଲିଛି ବୋଲି ଉତ୍ତର ଦେଉଛନ୍ତି, ସେହି ସମୟରେ ଏପରି ଘଟଣା ଘଟୁଛି।
ଏହା ସାଂଘାତିକ କଥା। କାହା ପାଇଁ ସେମାନେ ଏଭଳି ଚରମ ନିଷ୍ପତ୍ତି ନେବାକୁ ବସିଥିଲେ? ରାଜ୍ୟର ଜଣେ ବରିଷ୍ଠ ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆସୁଛି। ବାଚସ୍ପତି ତୁରନ୍ତ ଗୃହ କାର୍ଯ୍ୟ ବନ୍ଦ କରି ମନ୍ତ୍ରୀଙ୍କୁ ଏ ସଂପର୍କରେ ଆଗ ଗୃହରେ ବିବୃତି ରଖିବାକୁ କୁହନ୍ତୁ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, ବିଧାନସଭା ସୁରକ୍ଷା ବଳୟକୁ ଭେଦ କରି ସ୍ବାମୀ-ସ୍ତ୍ରୀ ଆସିଲେ କେମିତି? ସେମାନଙ୍କ ଝିଅ ହତ୍ୟା ଘଟଣାରେ ଜିଲ୍ଲା ଏସ୍ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। ସେମାନଙ୍କୁ ନ୍ୟାୟ ମିଳିଥିଲେ, ଆଜି ଏପରି ଘଟଣା ଦେଖିବାକୁ ମିଳିନଥାନ୍ତା। କାହିଁକି ସେ ଶିଶୁକୁ ହତ୍ୟା କରାଗଲା? ସେ ପରୀ କିଏ, କାହା ଇଙ୍ଗିତରେ ଏପରି ଘଟଣା ଘଟିଲା? ଏସବୁ ଗୃହ ଜାଣିବା ଦରକାର। ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ମଧ୍ୟ ଏ ସଂପର୍କରେ ମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଥିଲେ, ଆଜି ବିଧାନସଭା ସମ୍ମୁଖରେ ଘଟିଥିବା ଘଟଣା ଦୁର୍ଭାଗ୍ୟଜନକ। ମନ୍ତ୍ରୀ ପରିଷଦର ଜଣେ ସଦସ୍ୟଙ୍କ ବିରୋଧରେ ଅଭିଯୋଗ ଆସିଛି। ଗୃହର ସମସ୍ତ ସଦସ୍ୟ ଅନ୍ଧାରରେ ଅଛନ୍ତି। ମୁଖ୍ୟମନ୍ତ୍ରୀ ବିବୃତି ଦେବାକୁ ବାଚସ୍ପତି ନିର୍ଦେଶ ଦିଅନ୍ତୁ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ, ଏ ପରୀ କିଏ? ଜଣେ ବରିଷ୍ଠ ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ଉଠିଛି। ଗତ ମୌସୁମୀ ଅଧିବେଶନରେ ବିଧାନସଭା ସମ୍ମୁଖରେ ଜଣେ ଯୁବକ ନିଜ ମା’ ବେକରୁ ଛୁରୀ ଲଗାଇଥିଲେ। ଏଥର ସବୁ ସୁରକ୍ଷା ବଳୟକୁ ଭାଙ୍ଗି ଦମ୍ପତ୍ତି ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କଲେ। ଆଲୋଚନାରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ମଧ୍ୟ ଅଂଶଗ୍ରହଣ କରିଥିଲେ।
The post ନୟାଗଡ଼ ପରୀ ହତ୍ୟା ମାମଲାରେ ନୂଆ ମୋଡ଼: ଗୃହ କମ୍ପିଲା, ଅଡ଼ୁଆେର ସରକାର first appeared on Sambad.
from ରାଜ୍ୟ – Sambad https://ift.tt/3pWfdTX
0 Comments