ସଂଗ୍ରହାଳୟରେ ରହିବ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ, ବସିଲା ଛତିଶାନିଯୋଗ ବୈଠକ

ପୁରୀ: ଆଉ ତିନିଦିନ ପରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ୧୯୯୩ ମସିହାରେ ଶେଷଥର ପାଇଁ ନାଗାର୍ଜୁନ ବେଶରେ ଦର୍ଶନ ଦେଇଥିବା ମହାପ୍ରଭୁ। ପୁଣିଥରେ ୨୬ ବର୍ଷ ପରେ ଏହି ବୀର ବେଶରେ ସଜେଇ ହେବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କୋଭିଡ୍‌ କଟକଣା ଭିତରେ ନୀତିକାନ୍ତି ସଂପୂର୍ଣ୍ଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଭୋର ୪ଟାରୁ ମହାପ୍ରଭୁଙ୍କୁ ବେଶ ଲାଗି ହେବାକୁ ଥିବାବେଳେ ପାରମ୍ପରିକ ବିଧିମତେ ରାତି ୨ଟାରେ ଶ୍ରୀମନ୍ଦିର ଭିତରକୁ ବେଶ ନିଆଯିବ। ଏଥି ପାଇଁ ଶ୍ରୀମନ୍ଦିର ଚାରିପଟେ ତ୍ରି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି। ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ନିଆଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର କହିଛନ୍ତି।

ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଛତିଶାନିଯୋଗ ବୈଠକରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ବଲୱନ୍ତ ସିଂ, ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି, ନୀତି ସଂପୃକ୍ତ ସମସ୍ତ ସେବାୟତ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ କୁମାର କହିଛନ୍ତି, ନାଗାର୍ଜୁନ ବେଶ ସୁରୁଖୁରୁରେ ଯେ ଭଳି ସଂପନ୍ନ ହେବ ସେ ଉପରେ ସେବାୟତଙ୍କ ସହଯୋଗ ଲୋଡ଼ା ଯାଇଥିଲା। ସମସ୍ତେ ଏଥିରେ ପୂର୍ଣ୍ଣ ସହଯୋଗ କରିବେ ବୋଲି ମତ ଦେଇଥିଲେ। ନିଷ୍ପତ୍ତି ଅନୁସାରେ ୨୬ ତାରିଖ ରାତି ପ୍ରାୟ ୨ଟାରେ ହରଚଣ୍ଡୀ ସାହିରୁ ଘଣ୍ଟଘଣ୍ଟା ଓ କାହାଳୀ ସହ ଶୋଭାଯାତ୍ରାରେ ବେଶକୁ ଶ୍ରୀମନ୍ଦିରକୁ ନିଆଯିବ। ପୁଲିସ ସୁରକ୍ଷା ବଳୟ ଭିତରେ ଶ୍ରୀମନ୍ଦିରକୁ ବେଶ ଅଣାଯିବ। ପୂର୍ବରୁ ଜଜମାନମାନେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଓଲାଗି ପରେ ଏହାକୁ ନେଇ ଯାଉଥିଲେ। କିନ୍ତୁ ଚଳିତବର୍ଷ ମହାପ୍ରଭୁଙ୍କ ଏହି ବେଶ କାହାରିକୁ ଦିଆଯିବନି। ଶ୍ରୀମନ୍ଦିର ପ୍ରଶାସନ ନିଜ ପାଖରେ ଏହି ବେଶକୁ ରଖିବ। ଜଗନ୍ନାଥ ବଲ୍ଲଭ ପରିସରରେ ହେବାକୁ ଥିବା ସଂଗ୍ରହାଳୟ କାମ ଶେଷ ପରେ ‌ଏହି ବେଶକୁ ସେଠାରେ ସଂରକ୍ଷିତ ରଖାଯିବ। ଶ୍ରୀ କୁମାର ଆହୁରି କହିଛନ୍ତି, ଆଜି ସ୍ବତ୍ତଲିପିକୁ ତର୍ଜମା କରାଯାଇଥିଲା। ଶେଷ ଥର ଅନୁଷ୍ଠିତ ନାଗାର୍ଜୁନ ବେଶ ସମୟରେ ପତିତପାବନଙ୍କୁ ବେଶ କରାଯାଇନଥିଲା। ଏହି ଦୃଷ୍ଟିରୁ ଚଳିତବର୍ଷ ବି ପତିତପାବନଙ୍କୁ ବେଶ ନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ଶ୍ରୀମନ୍ଦିର ଭିତରକୁ ଯେଭଳି କୌଣସି ବେଶଧାରୀ ସେବାୟତ ପ୍ରବେଶ ନ କରିବେ ସେ ଉପରେ ନଜର ରଖାଯିବ। କୌଣସି ସେବାୟତ, ପୁଲିସ କିମ୍ବା ଅଧିକାରୀ ଯେଭଳି ଶ୍ରୀମନ୍ଦିର ଭିତରକୁ ମୋବାଇଲ୍‌ ଓ କ୍ୟାମେରା ଆଦି ନ ନେବେ ସେ ଉପରେ କଡ଼ା ନଜର ରହିବ। ଯିଏ ବି ମୋବାଇଲ୍‌ ନେବା ବେଳେ ଧରାପଡ଼ିବେ, ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

ଜିଲ୍ଲାପାଳ ଶ୍ରୀ ସିଂ କହିଛନ୍ତି, ରଥଯାତ୍ରା ଭଳି ନାଗାର୍ଜୁନ ବେଶ ଦିନ ସହରବାସୀ ସହଯୋଗ କରିବେ ବୋଲି ଆଶା ରହିଛି। ସ୍ଥିତି ଦେଖି ନାଗାର୍ଜୁନ ବେଶ ଦିନ ଶ୍ରୀମନ୍ଦିରରେ ୧୪୪ ଜାରି ହେବ କି ନାହିଁ ସେ ଉପରେ ବିଚାରବିମର୍ଷ ଚାଲିଛି ବୋଲି ଶ୍ରୀ ସିଂ କହିଛନ୍ତି।

The post ସଂଗ୍ରହାଳୟରେ ରହିବ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ, ବସିଲା ଛତିଶାନିଯୋଗ ବୈଠକ first appeared on Sambad.



from ରାଜ୍ୟ – Sambad https://ift.tt/360hcP6

Post a Comment

0 Comments