କେନ୍ଦ୍ର ଉପରେ ଚାପସୃଷ୍ଟି କଲେ ନବୀନ, ଟିକା ଉପରୁ ତୁରନ୍ତ ଜିଏସ୍‌ଟି ଛାଡ଼ କରାଯାଉ

ସେସ୍‌, ସର୍‌ଚାର୍ଜ ପାଣ୍ଠିରୁ ଭାଗ ମାଗିଲା ଓଡ଼ିଶା
ସବୁ ରାଜ୍ୟ ପାଇଁ ଦାବି ରଖି ପୁଣି ଚର୍ଚ୍ଚାକୁ ଆସିଲେ

ଭୁବନେଶ୍ବର : ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସାମ୍ନାରେ ଏକ ବଡ଼ ପ୍ରସଙ୍ଗ ରଖିଛନ୍ତି। ରାଜ୍ୟ କିଣୁଥିବା କୋଭିଡ୍‌-୧୯ ଟିକା ଉପରୁ ଜିଏସ୍‌ଟି ଛାଡ଼ କରିବା ଲାଗି ମୁଖ୍ୟମନ୍ତ୍ରୀ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏକ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୧୮-୪୫ ବର୍ଷ ବୟସ୍କ ଲୋକମାନଙ୍କ ଟିକାକରଣ ପାଇଁ ରାଜ୍ୟଗୁଡ଼ିକୁ ନିଜସ୍ବ ସମ୍ବଳରୁ ଟିକା କିଣିବା ଲାଗି କୁହାଯାଇଛି। ଏଭଳି ପରିସ୍ଥିତିରେ ଟିକା ଉପରେ ଜିଏସ୍‌ଟି ଲାଗିବା ଦ୍ବାରା ରାଜ୍ୟଗୁଡ଼ିକ ପାଇଁ ତାହାର ମୂଲ୍ୟ ବଢ଼ିଯାଉଛି। କେବଳ ସେତିକି ନୁହେଁ, କରୋନା ଭଳି ସମୟରେ ରାଜ୍ୟମାନେ ଆର୍ଥିକ ଦୁଃସ୍ଥିତି ଭିତରେ ଥିବାବେଳେ ଏହା ରାଜ୍ୟ ଅର୍ଥନୀତି ଉପରେ ପ୍ରଚଣ୍ଡ ପ୍ରହାର ପକାଇବ। ଏଣୁ ଜିଏସ୍‌ଟି ସମ୍ପୂର୍ଣ୍ଣ ଛାଡ଼ କରିବାକୁ ସେ ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା, ମୁଖ୍ୟମନ୍ତ୍ରୀ ଆଜି କେନ୍ଦ୍ର ସରକାର ଆଦାୟ କରୁଥିବା ସେସ୍‌ ଓ ସରଚାର୍ଜ ପାଣ୍ଠିରୁ ମଧ୍ୟ ଭାଗ ମାଗିଛନ୍ତି। କୋଭିଡ୍ ଚିକିତ୍ସା ପାଇଁ ସବୁ ରାଜ୍ୟକୁ ଏହି ପାଣ୍ଠିରୁ ଅର୍ଥ ଦେବା ଲାଗି କେନ୍ଦ୍ର ଉପରେ ଚାପ ସୃଷ୍ଟି କରିଛନ୍ତି ନବୀନ।

ମୁଖ୍ୟମନ୍ତ୍ରୀଙ୍କ ଏଭଳି ଅନୁରୋଧ କେବଳ ଓଡ଼ିଶା ପାଇଁ ନୁହେଁ, ବରଂ ମାଗଣା ଟିକା ଦେବାକୁ ନିଷ୍ପତ୍ତି ନେଇଥିବା ସବୁ ରାଜ୍ୟ ଏହାଦ୍ବାରା ଲାଭାନ୍ବିତ ହେବେ। ସ୍ମରଣଥାଉକି, ଟିକା ଠାରୁ ଆରମ୍ଭକରି ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗରେ ସବୁ ରାଜ୍ୟ ତରଫରୁ ନବୀନ ଏବେ କେନ୍ଦ୍ର ନିକଟରେ ଦାବି ରଖି ସମଗ୍ର ଦେଶରେ ଚର୍ଚ୍ଚାରେ ଅଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଲେଖିଛନ୍ତି ଯେ କୋଭିଡ୍‌ ମହାମାରୀ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରିଛି। ଏହି ଲଢ଼େଇ ଜିତିବା ଲାଗି ପାଖରେ ଥିବା ସମ୍ବଳକୁ ଧ୍ୟାନରେ ରଖି ବ୍ୟବହାର କରାଯିବା ଆଶ୍ୟକତା ରହିଛି। ସେପଟେ କୋଭିଡ୍‌ ଲଢ଼େଇ ପାଇଁ ନିରନ୍ତର ଉଦ୍ୟମ ଦରକାର। ଏଥିପାଇଁ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିବା ଉଚିତ୍। ପାଣ୍ଠିର ଅଭାବ କେବଳ ରାଜ୍ୟଗୁଡ଼ିକୁ ନୁହେଁ ବରଂ ସାରାଦେଶକୁ ପ୍ରଭାବିତ କରିବ। ତେଣୁ ‌ପେଟ୍ରୋଲ, ଡିଜେଲ୍‌ ଓ ମଦ ଆଦିରୁ ସେସ୍‌ ଓ ସରଚାର୍ଜ ଆକାରରେ ଯେଉଁ ପାଣ୍ଠି ସଂଗ୍ରହ ହୋଇଛି, ତାହା ସ୍ବତନ୍ତ୍ର ଭାବେ କେନ୍ଦ୍ର ସରକାରଙ୍କ ପାଖରେ ରହୁଥିବାରୁ ଏଭଳି ଜଟିଳ ପରିସ୍ଥିତିରେ ତାହାକୁ ରାଜ୍ୟଗୁଡ଼ିକ ସହ ଭାଗବଣ୍ଟା କରିବାର ଆବଶ୍ୟକତା ରହିଛି।। ଏହାଦ୍ବାରା ଟିକାକରଣ, ମାଗଣା ଚିକତ୍ସା ଆଦିର ବ୍ୟବସ୍ଥା କରାଯାଇପାରିବ ଏବଂ ପ୍ରତିଷେଧମୂଳକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇପାରିବ। ଦେଶରେ ଦେଖାଦେଇଥିବା‌ ଜରୁରୀକାଳୀନ ସ୍ବାସ୍ଥ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ସବୁ ପ୍ରସ୍ତାବଗୁଡ଼ିକୁ ଯାଞ୍ଚ କରି ତ୍ବରିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

The post କେନ୍ଦ୍ର ଉପରେ ଚାପସୃଷ୍ଟି କଲେ ନବୀନ, ଟିକା ଉପରୁ ତୁରନ୍ତ ଜିଏସ୍‌ଟି ଛାଡ଼ କରାଯାଉ first appeared on Sambad.

from ରାଜ୍ୟ | Sambad https://ift.tt/2RymIUw

Post a Comment

0 Comments