
ଆଦାୟ ହେଲାଣି ୧୫ କୋଟିର ଜରିମାନା
ଟିକାକେନ୍ଦ୍ର ଓ କୋଭିଡ୍ ପରୀକ୍ଷା କେନ୍ଦ୍ରରେ ନିୟମ କଡ଼ାକଡ଼ି
ଭୁବନେଶ୍ବର : ଲକ୍ଡାଉନ୍ ସମୟରେ ଯଦି କେହି ଅପରାଧର ଶିକାର ହେଉଛନ୍ତି, ତାହେଲେ ଯଥାସମ୍ଭବ ଥାନାକୁ ନଆସି ଫୋନ୍ ଯୋଗେ ଅଭିଯୋଗ କରନ୍ତୁ। ଅଭିଯୋଗ ପାଇଲା ପରେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବ। ଧର୍ତ୍ତବ୍ୟ ଅପରାଧ ଘଟଣାରେ ମାମଲା ମଧ୍ୟ ରୁଜୁ କରାଯିବ। କୋଭିଡ୍ ସଂକ୍ରମଣ ହାର ବଢ଼ି ଚାଲିଥିବାରୁ ନିୟମ ପାଳନ କରିବାକୁ ପୁଲିସ ଡିଜି ଅଭୟ ଆଜି ଭୁବନେଶ୍ବରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଶ୍ରୀ ଅଭୟ କହିଛନ୍ତି, ସବୁ ଜିଲ୍ଲା ପୁଲିସ ମୁଖ୍ୟାଳୟ ଓ ଥାନାର ଫୋନ୍ ନମ୍ବର ରାଜ୍ୟ ପୁଲିସ ୱେବ୍ସାଇଟରେ ଉପଲବ୍ଧ ରହିଛି। ଏହା ସହିତ ସବୁ ଜିଲ୍ଲା ପୁଲିସ ସୋସିଆଲ ମିଡିଆରେ ମଧ୍ୟ ନମ୍ବର ଦିଆଯାଇଛି। ଥାନା ନମ୍ବର ସହ ଏକ ସିୟୁଜି ନମ୍ବର ମଧ୍ୟ ରହିଛି। ଅଭିଯୋଗକାରୀମାନେ ଏହି ନମ୍ବରରେ ଯୋଗାଯୋଗ କରି ସେମାନଙ୍କର ଅଭିଯୋଗ ଦାଖଲ କରିପାରିବେ। ଡାଏଲ୍ ୧୦୦କୁ ଫୋନ୍ କରି ମଧ୍ୟ ଅଭିଯୋଗ ଦେଇପାରିବେ। ଫଳରେ ଥାନାକୁ ଯିବା ଆସିବା ମଧ୍ୟ କମ୍ ରହିବ।
ଅନ୍ୟପକ୍ଷରେ ଲକଡାଉନ୍କୁ ଅନେକ ଲୋକ ପାଳନ କରୁଥିବା ବେଳେ ହାତଗଣତି ଅମାନିଆ ଏହାକୁ ଉଲ୍ଲଂଘନ କରୁଛନ୍ତି। ଫଳରେ ଅନ୍ୟମାନଙ୍କ ପାଇଁ ଅସୁବିଧା ସୃଷ୍ଟି ହେଉଛି। ଏବେ ସୁଦ୍ଧା ଅମାନିଆଙ୍କଠାରୁ ପ୍ରାୟ ୧୫ କୋଟିରୁ ଅଧିକ ଟଙ୍କାର ଜରିମାନା ଆଦାୟ ହୋଇ ସାରିଲାଣି। କେବଳ ମାସ୍କ ପାଇଁ ୬ କୋଟି ୩୪ ଲକ୍ଷ ଟଙ୍କାରୁ ଅଧିକ ଏବଂ ଅମାନିଆଙ୍କଠାରୁ ଜବତ ହେଉଥିବା ଗାଡ଼ିର ଜରିମାନା ବାବଦରେ ୮ କୋଟି ୨୯ ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଆଦାୟ ହୋଇଛି। ୫୫୩ ଜଣଙ୍କୁ ଗିରଫ କରାଯିବା ସହ ୨୧ ହଜାର ୪୦୬ ଗାଡ଼ି ଜବତ କରାଯାଇଛି। ସେହିପରି ୧୬୩୨ଟି ଅବକାରୀ ମାମଲା ରୁଜୁ କରାଯାଇଥିବା ପୁଲିସ ଡିଜି ସୂଚନା ଦେଇଛନ୍ତି।
ଟିକାକରଣ କେନ୍ଦ୍ର, କୋଭିଡ୍ ପରୀକ୍ଷା କେନ୍ଦ୍ରରେ ନିୟମ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଘରୁ ବାହାରିଲେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ବ ପାଳନ କରିବା, ବିବାହ ଏବଂ ଅନ୍ତ୍ୟେଷ୍ଟିକ୍ରିୟାରେ ଜାରି କରାଯାଇଥିବା ନିୟମକୁ ପାଳନ କରିବା ଓ ଯେତେ ସମ୍ଭବ କମ୍ ଘରୁ ବାହାରିଲେ, କରୋନାକୁ ହରାଇପାରିବା ବୋଲି କହିଛନ୍ତି। ରାଜ୍ୟର ସୀମାରେଖାରେ କଡ଼ାନଜର ରଖାଯାଇଛି। ସେଠାରେ ପୁଲିସ, ଜିଲ୍ଲା ପ୍ରଶାସନ, ଟ୍ରାନ୍ସପୋର୍ଟ ଅଧିକାରୀ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନେ ମିଳିତ ଭାବେ ଅନୁଧ୍ୟାନ କରୁଛନ୍ତି। ପ୍ରବାସୀମାନଙ୍କ ଆସିବା ଜାରି ରହିଥିବା ବେଳେ ସେମାନଙ୍କୁ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଉଛି।
ରାଜ୍ୟ ସରକାରଙ୍କ ଜାରି ନିୟମ ସମ୍ପର୍କରେ ବିସ୍ତୃତ ଭାବେ ସେମାନଙ୍କୁ ଅବଗତ କରାଯାଉଛି। ଯେଉଁ ଗାଡ଼ିରେ ଆସୁଛନ୍ତି, ତାହାର ସମ୍ପୂର୍ଣ୍ଣ ବିବରଣୀ ରଖାଯାଉଛି। ଏପରିକି ସୀମାରେ ଓହ୍ଲାଇ ଓଡ଼ିଶା ଆସୁଥିବା ପ୍ରବାସୀମାନଙ୍କ ପାଇଁ ଗାଡ଼ିର ମଧ୍ୟ ବ୍ୟବସ୍ଥା କରାଯାଉଛି। ସେହିପରି ଅନ୍ୟ ରାଜ୍ୟକୁ ଗତକାଲି ସୁ୍ଦ୍ଧା ୩୬୫ ଟ୍ୟାଙ୍କର ଅକ୍ସିଜେନ୍ ଯୋଗାଣ କରାଯାଇଛି। ପୁଲିସ୍ ଏସକର୍ଟରେ ଅକ୍ସିଜେନ୍ ଗାଡ଼ିର ଯେମିତି ସୁପରିଚାଳନା ହୋଇପାରିବ, ତାହା ଉପରେ ନଜର ଦିଆଯାଇଛି। କରୋନା ନିୟମକୁ ପାଳନ କରିବା ପାଇଁ ଶ୍ରୀ ଅଭୟ ସମସ୍ତଙ୍କୁ ଅନୁରୋଧ କରିବା ସହ ସେମାନଙ୍କ ସହଯୋଗ ଲୋଡ଼ିଛନ୍ତି।
The post ଘରୁ ଏତଲା ଆଣିବ ପୁଲିସ୍, ଫୋନ୍ରେ ଅଭିଯୋଗ ଦେବାକୁ ପରାମର୍ଶ ଦେଲେ ଡିଜି first appeared on Sambad.from ରାଜ୍ୟ | Sambad https://ift.tt/3y3hUau
0 Comments