
ଖରିଫ ଋଣ ତ୍ବରାନ୍ବିତ କରିବାକୁ ସମବାୟ ମନ୍ତ୍ରୀଙ୍କ ଗୁରୁତ୍ବ
ଡାଲି, ତୈଳବୀଜ ଓ ଅର୍ଥକରୀ ଫସଲ ପାଇଁ ଋଣ ପ୍ରଦାନରେ ଅଗ୍ରାଧିକାର
ଭୁବନେଶ୍ବର : ଚଳିତ ବର୍ଷ ଖରିଫ ଋତୁରେ ରାଜ୍ୟର ଚାଷୀମାନଙ୍କୁ ସମବାୟ ସଂସ୍ଥା ଜରିଆରେ ୯ ହଜାର କୋଟି ଟଙ୍କାର ସ୍ବଳ୍ପ ମିଆଦି ଫସଲ ଋଣ ଯୋଗାଇ ଦିଆଯିବ। କୋଭିଡ-୧୯ର ଦ୍ବିତୀୟ ଲହରୀରେ ଚାଷ କାର୍ଯ୍ୟକୁ ଅଗ୍ରାଧିକାର ଦେବାକୁ ଯାଇ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ ଖାଦ୍ୟ ଉତ୍ପାଦନ ଓ ଖାଦ୍ୟ ସୁରକ୍ଷାକୁ ସରକାର ଅଗ୍ରାଧିକାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି ପରିମାଣର ଋଣ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଥିବା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଜଣାଇଛନ୍ତି।
ବିଭାଗ ପକ୍ଷରୁ ପ୍ରେସ୍ ଇସ୍ତାହାର ଜାରି କରାଯାଇ କୁହାଯାଇଛି, ରାଜ୍ୟରେ ପ୍ରାୟ ୯୦ ପ୍ରତିଶତ ଚାଷୀ କ୍ଷୁଦ୍ର ଓ ନାମମାତ୍ର ହୋଇଥିବାରୁ ଫସଲ ଋଣ ପ୍ରଦାନ କ୍ଷେତ୍ରରେ ପ୍ରାଥମିକତା ପ୍ରଦାନ କରିବା ହେଉଛି ସରକାରଙ୍କ ଲକ୍ଷ୍ୟ। ଋଣ ପ୍ରଦାନ ବେଳେ ପ୍ୟାକ୍ସ୍ ଓ ଲ୍ୟାମ୍ପ୍ସଗୁଡ଼ିକରେ କୋଭିଡ ନିୟମ ଅନୁପାଳନ ପୂର୍ବକ କର୍ମଚାରୀ ଓ ଚାଷୀମାନେ ମାସ୍କ୍ ପିନ୍ଧିବେ। ଏହାସହିତ ଠିକଣା ସମୟରେ ସମସ୍ତ ଚାଷୀମାନଙ୍କୁ ଯେପରି ସୁବିଧାରେ ସମବାୟ ଋଣ ଆବଣ୍ଟନ ହେବ, ସେଥିପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ସ୍ବାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଏ ନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ବିଭାଗ ପକ୍ଷରୁ ଚିଠି ଲେଖି ଜଣାଇ ଦିଆଯାଇଛି। ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଦ୍ବାରା ଚାଷୀମାନଙ୍କୁ ଫସଲ ଋଣରେ ବ୍ୟାପକ ରିହାତି ଯୋଗାଇ ଦିଆଯାଉଥିବା ଦୃଷ୍ଟିରୁ ହିତାଧିକାରୀ ଚାଷୀମାନଙ୍କ ଆଧାର କାର୍ଡ଼ ନମ୍ବର ସଂଗ୍ରହ କରି ଏହାକୁ କିଷାନ କ୍ରେଡିଟ୍ କାର୍ଡ଼ ଓ ବ୍ୟାଙ୍କ ଆକାଉଣ୍ଟ ସହିତ ସଂଯୋଗ କରିବା ବାଧ୍ୟତାମୂଳକ କରାଯାଇଛି। ଏହାସହିତ ମଞ୍ଜୁର ହୋଇଥିବା ଋଣ ସିଧାସଳଖ ଯେପରି ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ସେଥିପାଇଁ ଅଧିକାରୀମାନେ ଦୃଷ୍ଟି ଦେବେ।
ଅଧିକରୁ ଅଧିକ ନୂତନ ଚାଷୀ ଯେପରି ସମବାୟ ଋଣ ପାଇବେ, ସେଥିପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ବିଶେଷକରି ଡାଲି, ତୈଳବୀଜ, ଆଳୁ ଓ ଅନ୍ୟ ଅର୍ଥକରୀ ଫସଲ ଚାଷ ନିମନ୍ତେ ଋଣ ପ୍ରଦାନ କ୍ଷେତ୍ରରେ ଅଗ୍ରାଧିକାର ପ୍ରଦାନ କରାଯିବ। ଫସଲ ଋଣଗୁଡ଼ିକ ଠିକଣା ଭାବେ ଚାଷ କାର୍ଯ୍ୟରେ ବିନିଯୋଗ ହେଉଛି କି ନାହିଁ, ସେଥିପାଇଁ କୃଷି ଓ ସମବାୟ ବିଭାଗର କ୍ଷେତ୍ର ଅଧିକାରୀମାନେ ମିଳିତ ଭାବେ କ୍ଷେତ୍ର ପରିଦର୍ଶନ କରି ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
The post ଚଳିତ ବର୍ଷ ଚାଷୀଙ୍କ ପାଇଁ ୯ ହଜାର କୋଟିର ସମବାୟ ଋଣ first appeared on Sambad.from ରାଜ୍ୟ | Sambad https://ift.tt/3vG1D9q
0 Comments