
ଭୁବନେଶ୍ବର : ଉଚ୍ଚ ବିଦ୍ୟାଳୟ ତଥା ହାଇସ୍କୁଲର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ କ୍ଲାସ କରୁନାହାନ୍ତି। ସ୍କୁଲ ସମୟରେ ସେମାନେ ବିଦ୍ୟାଳୟ ପରିଚାଳନା ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି। ଏମିତିକି ସ୍କୁଲର ଅନ୍ୟ ଶିକ୍ଷକମାନେ ପଢ଼ାଉଛନ୍ତି କି ନାହିଁ, ତାହା ଦେଖିବା ଲାଗି ସେମାନଙ୍କ ପାଖରେ ସମୟ ରହୁନି। ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଏଭଳି କିଛି ଅବ୍ୟବସ୍ଥାର ଦୃଶ୍ୟ ଦେଖିବାକୁ ପାଇଛନ୍ତି। ଏନେଇ ସେ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରଧାନଶିକ୍ଷକମାନେ ବାଧ୍ୟତାମୂଳକ କ୍ଲାସ କରିବାକୁ କହିଛନ୍ତି।
ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଆଲୋକ କୁମାର କର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ଚିଠି ଲେଖି କହିଛନ୍ତି ଯେ ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ ନିଜ ବିଦ୍ୟାଳୟରେ ଆଦୌ କ୍ଲାସ କରୁନାହାନ୍ତି। ସ୍କୁଲ ପରିଚାଳନା ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି। ସେମାନଙ୍କର ଅଭିଜ୍ଞତା ଓ ଭଲ ଦକ୍ଷତା ରହିଛି। ଶିକ୍ଷାଗତ ଯୋଗ୍ୟତା ବି ଉନ୍ନତମାନର। ତା’ପରେ ବି ସେମାନେ ଆଦୌ କ୍ଲାସ ନେବା ଚିନ୍ତାର ବିଷୟ। ତେଣୁ ଏଣିକି ପ୍ରତି ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୈନିକ ଅତି କମ୍ରେ ଦୁଇଟି ଲେଖାଏଁ କ୍ଲାସ ନେବେ। କ୍ଲାସରୁମ୍ରେ ପିଲାଙ୍କୁ ଶିକ୍ଷାଦାନ କରିବେ। ଏଥିସହ ଅନ୍ୟାନ୍ୟ ଶିକ୍ଷକମାନେ ଠିକ୍ ଭାବେ କ୍ଲାସ କରୁଛନ୍ତି କି ନାହିଁ, ତାହାର ତଦାରଖ କରିବେ। ଯେତେଶୀଘ୍ର ସମ୍ଭବ ଏ ଦିଗରେ ପଦକ୍ଷେପ ନେବାକୁ ଡିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
The post କ୍ଲାସ କରୁନାହାନ୍ତି ପ୍ରଧାନଶିକ୍ଷକ, ଦୈନିକ ଦୁଇଟି କ୍ଲାସ ନେବେ first appeared on Sambad.from ରାଜ୍ୟ | Sambad https://ift.tt/31MVNGr
0 Comments