
ଭୁବନେଶ୍ବର : ସରକାରୀ ବାବୁମାନଙ୍କ ସମ୍ପତ୍ତି ତାଲିକା ପ୍ରଦାନ ଅବଧିକୁ ସରକାର ଚଳିତ ମାସ ୩୦ ତାରିଖକୁ ବୃଦ୍ଧି କରିଛନ୍ତି। ୨୦୨୦ ଏପ୍ରିଲ ପହିଲାରୁ ୨୦୨୦ ଡିସେମ୍ବର ୩୧ ଭିତରେ ଆହରଣ କରିଥିବା ସମ୍ପତ୍ତି ତାଲିକାକୁ ଗତମାସ ୩୧ ତାରିଖ ସୁଦ୍ଧା ସରକାରଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ବୈଷୟିକ କାରଣ ଓ ବିଧାନସଭା ବଜେଟ୍ ଅଧିବେଶନ ଥିବାରୁ ଅଧିକାଂଶ ସରକାରୀ ଅଧିକାରୀ ଓ କର୍ମଚାରୀ ସେମାନଙ୍କ ସମ୍ପତ୍ତି ତାଲିକା ସରକାରଙ୍କୁ ପ୍ରଦାନ କରିପାରିନାହାନ୍ତି ବୋଲି ଯୁକ୍ତି ଦର୍ଶାଗଲା। ଏ ନେଇ ସରକାରଙ୍କୁ କର୍ମଚାରୀ ସଂଘ ମଧ୍ୟ ଅନୁରୋଧ କଲେ। ସଂଘର ଅନୁରୋଧ କ୍ରମେ ଏବେ ସମ୍ପତ୍ତି ତାଲିକା ପ୍ରଦାନ ଅବଧିକୁ ସଂପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୩୦ ତାରିଖ ସୁଦ୍ଧା ସମସ୍ତ ଅଧିକାରୀ ଓ କର୍ମଚାରୀ ସେମାନଙ୍କର ସମ୍ପତ୍ତି ତାଲିକା ସରକାରଙ୍କ ଅନ୍ଲାଇନ୍ ଏଚ୍ଆର୍ଏମ୍ଏସ୍ ପୋର୍ଟାଲରେ ଅପଲୋଡ କରିବେ। ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ଯୁଗ୍ମ ଶାସନ ସଚିବ ସମସ୍ତ ବିଭାଗୀୟ ମୁଖ୍ୟ, ରାଜସ୍ବ ଆୟୁକ୍ତ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଜଣାଇଛନ୍ତି।
ନିୟମାନୁଯାୟୀ, ପ୍ରତି ଆର୍ଥିକ ବର୍ଷ ଆରମ୍ଭରୁ ସରକାରୀ କର୍ମଚାରୀ ଓ ଅଧିକାରୀମାନେ ସେମାନଙ୍କର ବର୍ଷକର ସମ୍ପତ୍ତି ତାଲିକା ମାର୍ଚ୍ଚ ୩୧ ସୁଦ୍ଧା ଦେଇଥାନ୍ତି। କିନ୍ତୁ ୨୦୨୦ରେ ସରକାର ଏହି ନିୟମ ପରିବର୍ତ୍ତନ କରିଦେଲେ। ଆର୍ଥିକ ବର୍ଷ ପରିବର୍ତ୍ତେ କ୍ୟାଲେଣ୍ଡର ବର୍ଷ ଅନୁଯାୟୀ ଜାନୁଆରି ପହିଲାରୁ ଡିସେମ୍ବର ୩୧ ତାରିଖ ଭିତରେ ଆହରଣ କରିଥିବା ସମ୍ପତ୍ତିର ତାଲିକା ପ୍ରଦାନ ପାଇଁ ନୂଆ ନିୟମ କଲେ। କିନ୍ତୁ କରୋନା ମହାମାରୀରେ ଅନେକ ଅଧିକାରୀ ଓ ବହୁ ସରକାରୀ କର୍ମଚାରୀ ନିୟୋଜିତ ରହିବାରୁ ଧାର୍ଯ୍ୟ ସମୟ ଭିତରେ ସମ୍ପତ୍ତି ତାଲିକା ଦେବା ସମ୍ଭବ ହୋଇନଥିଲା। ପରବର୍ତ୍ତୀ ଅବସ୍ଥାରେ ସରକାର ନିର୍ଦ୍ଦେଶ ଦେଲେ କି ୨୦୨୦ ଏପ୍ରିଲ ପହିଲାରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ୯ ମାସର ସମ୍ପତ୍ତି ତାଲିକାକୁ ୨୦୨୧ ମାର୍ଚ୍ଚ ଶେଷସୁଦ୍ଧା ପ୍ରଦାନ କରିବାକୁ ଧାର୍ଯ୍ୟ କରିଥିଲେ।
The post ବାବୁଙ୍କ ସମ୍ପତ୍ତି ତାଲିକା ପ୍ରଦାନ ଅବଧି ବଢ଼ିଲା, ଏପ୍ରିଲ୍ ୩୦ ଶେଷ ତାରିଖ first appeared on Sambad.from ରାଜ୍ୟ | Sambad https://ift.tt/3rSO0Bo
0 Comments