
ଭୁବନେଶ୍ବର : ପଶ୍ଚିମବଙ୍ଗରୁ ଅତି ଜରୁରୀ କାର୍ଯ୍ୟରେ ଓଡ଼ିଶା ଆସୁଥିଲେ ୧୪ ଦିନିଆ ସଙ୍ଗରୋଧ ନିୟମ ଲାଗୁ ହେବ ନାହିଁ। ଆଜି ସ୍ବତନ୍ତ୍ର ରିଲିଫ୍ କମିସନର୍ଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ତେବେ ଜରୁରୀ କାମକୁ ନିର୍ଦ୍ଦିଷ୍ଟ ଭାବେ ଦୁଇଟି ଭାଗରେ ସୀମିତ ରଖାଯାଇଛି। ସରକାରୀ କିମ୍ବା ଘରୋଇ ହସ୍ପିଟାଲ୍ ଦ୍ବାରା କୋଭିଡ୍ ପରିଚାଳନା ସମ୍ପର୍କିତ କାର୍ଯ୍ୟରେ କୌଣସି ବ୍ୟକ୍ତି ପଶ୍ଚିମବଙ୍ଗରୁ ଆସୁଥିଲେ, ସେ ସଙ୍ଗରୋଧରେ ରହିବା ଆବଶ୍ୟକ ନାହିଁ। ସେହିପରି ନିର୍ବାଚନ କମିସନ୍ କିମ୍ବା ସିଇଓଙ୍କ ଦ୍ବାରା ନିୟୋଜିତ ହୋଇ କୌଣସି ବ୍ୟକ୍ତି ନିର୍ବାଚନ କାର୍ଯ୍ୟରେ ଓଡ଼ିଶା ଆସୁଥିଲେ, ସେ ମଧ୍ୟ ସଙ୍ଗରୋଧ ନିୟମରୁ ବାଦ୍ ପଡ଼ିବେ। ତେବେ ସଂପୃକ୍ତ ବ୍ୟକ୍ତି ଅନ୍ୟାନ୍ୟ କୋଭିଡ୍ ଗାଇଡ୍ଲାଇନ୍ ମାନିବାକୁ କୁହାଯାଇଛି।
ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ସଙ୍ଗରୋଧ ନିୟମରେ ଛୋଟ ଛୋଟ ସଂଶୋଧନ ମଧ୍ୟ କରାଯାଇଛି। ଯେଉଁ ବ୍ୟକ୍ତି ଦୁଇ ଡୋଜ୍ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବେ କିମ୍ବା ଓଡ଼ିଶାକୁ ପ୍ରବେଶ କରିବାର ପୂର୍ବ ୪୮ ଘଣ୍ଟା ଭିତରର ଆର୍ଟିପିସିଆର୍ ନେଗେଟିଭ୍ ରିପୋର୍ଟ ଦେଖାଇବେ, ସେହିମାନଙ୍କୁ ୧୪ ଦିନିଆ ଗୃହ ସଙ୍ଗରୋଧରେ ରହିବାକୁ ଅନୁମତି ଦିଆଯିବ ବୋଲି ପୂର୍ବରୁ ନିର୍ଦ୍ଦେଶ ଥିଲା। ଆଜି ଏହାକୁ ସଂଶୋଧନ କରାଯାଇ ସଙ୍ଗରୋଧ ସମୟସୀମାକୁ ୭ ଦିନ କରାଯାଇଛି। ତେବେ ଗୃହ ସଙ୍ଗରୋଧ ପାଇଁ ସୁବିଧା ନ ଥିଲେ, ସେ ସରକାରୀ କିମ୍ବା ଦେୟଯୁକ୍ତ ସଙ୍ଗରୋଧରେ ୭ ଦିନ ରହିପାରିବେ।
୨୨ ତାରିଖରେ ଏସ୍ଆର୍ସିଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶରେ କୁହାଯାଇଥିଲା ଯେ ବିମାନ, ନିଜ ଗାଡ଼ି, ଭଡ଼ା ଗାଡ଼ି ଯେ କୌଣସି ମାଧ୍ୟମରେ ଓଡ଼ିଶା ଆସିଲେ ୧୪ ଦିନ ସଙ୍ଗରୋଧ ବାଧ୍ୟତାମୂଳକ। ଏହି ନିେର୍ଦ୍ଦଶରେ ଟ୍ରେନ୍ରେ ଆସୁଥିବା ଯାତ୍ରୀଙ୍କ ବିଷୟରେ ଉଲ୍ଲେଖ କରାଯାଇ ନ ଥିଲା। ଟ୍ରେନ୍ରେ ଓଡ଼ିଶା ଆସୁଥିବା ଯାତ୍ରୀ ମଧ୍ୟ ୧୪ ଦିନ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ ବୋଲି ଆଜି ଏସ୍ଆର୍ସି ସ୍ପଷ୍ଟ କରିଛନ୍ତି।
The post ଜରୁରୀ କାର୍ଯ୍ୟରେ ଆସୁଥିଲେ ସଙ୍ଗରୋଧ ନିୟମ ଲାଗୁ ହେବନି first appeared on Sambad.from ରାଜ୍ୟ | Sambad https://ift.tt/2PiCu4W
0 Comments