ସଟ୍‌ଡାଉନ୍‌ରେ ଶୂନ୍‌ଶାନ୍: ଦିନରେ ଶୋଇଗଲା ସହର

ନୋବେଲ ପୁରସ୍କାର ବିଜେତା ପର୍ତ୍ତୁଗୀଜ୍‌ ଉପନ୍ୟାସକାର ହୋସେ ସାରାମାଗୋ ନିଦ୍ରାହୀନତାରେ ପୀଡ଼ିତ ଥାଇ ନିଷାର୍ଦ୍ଧରେ ଝରକା ବାଟେ ସେ ରହୁଥିବା ଘରୁ ଜନମାନବଶୂନ୍ୟ ରାସ୍ତାକୁ ଦେଖି ମନରେ ଭାବୁଥିଲେ ହଠାତ୍‌ ଯଦି ସୂର୍ଯ୍ୟ ଏବେ ଆକାଶରେ ଆବିର୍ଭାବ ହୁଅନ୍ତେ, ତେବେ ସହରର ଦୃଶ୍ୟ କିଭଳି ଦିଶନ୍ତା। ଆଜି ସଟ୍‌ଡାଉନ ସମୟରେ ଭୁବନେଶ୍ବର ସହରକୁ ଦେଖିଲେ ସେହିକଥା ମନେପଡ଼େ ଓ ଲାଗେ ସତେ ଯେମିତି ନିଷାର୍ଦ୍ଧରେ ସୂର୍ଯ୍ୟ ଉଠି ଆସିଛନ୍ତି।

ଭୁବନେଶ୍ବର : କରୋନା ମହାମାରୀକୁ ରୋକିବା ପାଇଁ ଆଜି ସବୁ ସହରରେ ସପ୍ତାହନ୍ତ ସଟ୍‌ଡାଉନ୍ ଲାଗୁ ହୋଇଛି। ଏହା ଆସନ୍ତାକାଲି ରବିବାର ମଧ୍ୟ ଜାରି ରହିବ। କେବଳ କିଛି ଅତ୍ୟାବଶ୍ୟକ କାରବାରକୁ ଛାଡ଼ି ଦେଲେ ସବୁ ସହର ଆଜି ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ପ୍ରଶାସନ ଓ ପୁଲିସ୍‌ ପକ୍ଷରୁ କଡ଼ାକଡ଼ି ଚେକିଂ କରାଯାଇଥିଲା। ସଟ୍‌ଡାଉନ୍ ପାଇଁ ପୂର୍ବରୁ ଘୋଷଣା ହୋଇଥିବାରୁ ଲୋକମାନେ ଏଥିରେ ସହଯୋଗ କରିଥିଲେ। ଫଳରେ କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନାହିଁ।

କରୋନାର ଦ୍ବିତୀୟ ଲହର ଆସିଲା ପରେ ଆଜି ପ୍ରଥମ ଥର ପାଇଁ ଓଡ଼ିଶାରେ ବଡ଼ ଧରଣର ସଟ୍‌ଡାଉନ୍ କରାଯାଇଛି। ଗତ ସପ୍ତାହରେ କେବଳ ନିର୍ଦ୍ଦିଷ୍ଟ ଭାବେ ୧୦ଟି ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ୍ କରାଯାଇଥିଲା। ଆଜି ଓ ଆସନ୍ତାକାଲି ସବୁ ଜିଲ୍ଲାର ସବୁ ସହରକୁ ସଟ୍‌ଡାଉନ୍ କରାଯାଇଛି। ଏସ୍‌ଆର୍‌ସିଙ୍କ ଘୋଷଣା ଅନୁଯାୟୀ ସଟ୍‌ଡାଉନ୍ ସମୟରେ କିଛି କ୍ଷେତ୍ରକୁ କଟକଣାମୁକ୍ତ କରାଯାଇଥିଲା। ଆଜି ରାଜ୍ୟର ସବୁ ସ୍ଥାନରେ ସମସ୍ତ ହସ୍ପିଟାଲ୍‌, ଔଷଧ ଦୋକାନ ଖୋଲା ଥିଲା। ପେଟ୍ରୋଲ ପମ୍ପଗୁଡ଼ିକ ମଧ୍ୟ ଖୋଲା ରହିଥିଲା। ଜଳଯୋଗାଣ, ବିଦ୍ୟୁତ ଯୋଗାଣ କାର୍ଯ୍ୟରେ ନିୟୋଜିତ କର୍ମଚାରୀମା‌ନଙ୍କୁ କଟକଣାମୁକ୍ତ କରାଯାଇଛି। ସେହିପରି ନିର୍ମାଣ କାମ ଉପରେ କଟକଣା ନ ଥିଲେ ମଧ୍ୟ ସବୁଆଡ଼େ ବନ୍ଦ ଥିବାରୁ ଏସବୁ କାମ ଆପେ ଆପେ ବନ୍ଦ ହୋଇଯାଇଥିଲା। ଗଣମାଧ୍ୟମ କର୍ମଚାରୀମାନେ ବିନା ବାଧାରେ କାର୍ଯ୍ୟ ସମ୍ପାଦନ କରିଥିଲେ ଓ ସକାଳ ୫ଟାରୁ ୮ଟା ଖବରକାଗଜ ବିତରକଙ୍କ ପାଇଁ କଟକଣା କୋହଳ ହୋଇଥିଲା। ଗତକାଲି ଏସ୍‌ଆର୍‌ସି ‌କରିଥିବା ଘୋଷଣା ଅନୁଯାୟୀ ଆଜି ସକାଳ ୫ଟାରୁ ୬ ଯାଏ ଏକ ଘଣ୍ଟା ମଣ୍ଣିଂ ୱାକ୍‌ ପାଇଁ କଟକଣା କୋହଳ କରାଯାଇଥିଲା।

ବସ୍‌ ସେବା ବନ୍ଦ କରିବାକୁ ବିଧିବଦ୍ଧ ଭାବେ ନିର୍ଦ୍ଦେଶ ହୋଇ ନ ଥିଲେ ମଧ୍ୟ ଯାତ୍ରୀ ଅଭାବରୁ ଆପେ ଆପେ ବସ୍‌ ସେବା ବନ୍ଦ ହୋଇଯାଇଥିଲା। ବିମାନବନ୍ଦର, ରେଳଷ୍ଟେସନ୍ ଓ ବସ୍‌ଷ୍ଟାଣ୍ଡ୍‌କୁ ଯାତ୍ରୀ ନେବା ଆଣିବା କରୁଥିବା ଗାଡ଼ିକୁ ଅନୁମତି ଦିଆଯିବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ଗାଡ଼ି ଠିକ୍ ସମୟରେ ମିଳିପାରି ନ ଥିବାୁର ଯାତ୍ରୀମାନେ ବହୁ ଅସୁବିଧା ଭୋଗିଥିଲେ। ବିଶେଷ କରି ଷ୍ଟେସନ୍‌ରେ ବହୁ ଯାତ୍ରୀ ସମସ୍ୟା ଭୋଗିଥିବା ଦେଖିବାକୁ ମିଳିଥିଲା।

The post ସଟ୍‌ଡାଉନ୍‌ରେ ଶୂନ୍‌ଶାନ୍: ଦିନରେ ଶୋଇଗଲା ସହର first appeared on Sambad.

from ରାଜ୍ୟ | Sambad https://ift.tt/3sOHuft

Post a Comment

0 Comments