ଐତିହାସିକ ଅସୁରଗଡ଼ର ହେବ ବିକାଶ, ଇକୋ ଟୁରିଜିମ ଓ ପିକନିକ ସ୍ପଟ୍‌ର ମାନ୍ୟତା ପାଇବ

କଣ୍ଟାମାଳ : ଗତ ଛଅ ମାସ ହେଲା ମନମୁଣ୍ଡା ସହର ଉପକଣ୍ଠ ତେଲନଦୀ କୂଳରେ ଥିବା ଐତିହାସିକ ପୁରାତନ ଦୁର୍ଗ ଅସୁରଗଡ଼ର ପୁନରୁଦ୍ଧାର ପାଇଁ ଜିଲ୍ଲାପାଳ ଏହି ସ୍ଥାନକୁ ବାରମ୍ବାର ଆସି ଏହାର ରୂପରେଖ ଓ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଚେଷ୍ଟା ଚଳାଇଛନ୍ତି। ୧୯୮୦ ମସିହାରେ ସମ୍ବଲପୁର ଓ ପୁନେ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ବିଶେଷଜ୍ଞମାନେ ଏହି ଅସୁରଗଡ଼ରୁ ମିଳିଥିବା ଭଗ୍ନାବଶେଷ ଯଥା ଇଟା, ଶିଳାଲିପି, ଶିଳାଖଣ୍ଡକୁ ପରୀକ୍ଷା କରି ଏହା ଖ୍ରୀଷ୍ଟପୂର୍ବ ଦ୍ବିତୀୟ ଶତାବ୍ଦୀର ବୋଲି ଅନୁମାନ କରିଥିଲେ। ଗତବର୍ଷ ବୌଦ୍ଧ ଠାରେ ଜିଲ୍ଲା ସଂଗ୍ରହାଳୟ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଥିବା ବେଳେ ମନମୁଣ୍ଡା ସଚେତନ ନାଗରିକଙ୍କ ପକ୍ଷରୁ କରାଯାଇଥିବା ଅନୁରୋଧକ୍ରମେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଅସୁରଗଡ଼କୁ ଆସି ପୁରାତନ କୀର୍ତ୍ତିରାଜିର ଭଗ୍ନାବଶେଷ ଦେଖି ଏହାର ପୁନରୁଦ୍ଧାର କରିବାକୁ ମନ ବଳାଇଥିଲେ। ଫଳସ୍ୱରୂପ ପରବର୍ତ୍ତୀ ସମୟରେ ଏଠାକାର ଅନେକ ଭଗ୍ନାବଶେଷ ବୌଦ୍ଧ ଜିଲ୍ଲା ସଂଗ୍ରହାଳୟରେ ସ୍ଥାନିତ ହୋଇ ପାରିଛି।

ଏହାର ବିକାଶ ତଥା ସୌନ୍ଦର୍ଯ୍ୟୀକରଣ ପାଇଁ ଜିଲ୍ଲାପାଳ ମନମୁଣ୍ଡା ପଞ୍ଚାୟତକୁ ଲକ୍ଷାଧିକ ଟଙ୍କା ଯୋଗାଇ ଦେଇ କନିଷ୍ଠ ଯନ୍ତ୍ରୀ ସୟଦ ଅଲ୍ଲିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମନମୁଣ୍ଡା ସରପଞ୍ଚ ମୀନାକ୍ଷୀ ସାହୁଙ୍କ ଜରିଆରେ ଅସୁରଗଡ଼ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ବୁଧବାର ପୁଣି ଜିଲ୍ଲାପାଳ ଶ୍ରୀ ମିଶ୍ର, ଡେପୁଟି ଜିଲ୍ଲାପାଳ ଅବିନାଶ ପାଣ୍ଡିଆ, ସ୍ଥାପତ୍ୟ ଓ କଳା ଅଧିକାରୀ ସୁମନ ଷଡ଼ଙ୍ଗୀ ପ୍ରମୁଖ ଏଠାକୁ ଆସି ନିର୍ମାଣାଧୀନ ପ୍ରକଳ୍ପକୁ ବୁଲି ଦେଖିଥିଲେ। ଆହୁରି ଆକର୍ଷଣୀୟ କରିବାକୁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଛନ୍ତି। ଖୁବଶୀଘ୍ର ଏହି ସ୍ଥାନର ବିକାଶ କରାଯାଇ ଏଠାରେ ଇକୋ ଟୁରିଜିମ୍‌ ଭାବେ ବିକାଶ କରିବା ସହିତ ପିକନିକ ସ୍ପଟ୍‌ର ମାନ୍ୟତା ଲାଭ କରିବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର କହିଛନ୍ତି।

The post ଐତିହାସିକ ଅସୁରଗଡ଼ର ହେବ ବିକାଶ, ଇକୋ ଟୁରିଜିମ ଓ ପିକନିକ ସ୍ପଟ୍‌ର ମାନ୍ୟତା ପାଇବ first appeared on Sambad.

from ରାଜ୍ୟ | Sambad https://ift.tt/3dOFjmK

Post a Comment

0 Comments