ହାଇଦର ଫେରାର୍ ନେଇ ୫ ମାସ ଆଗରୁ ହୋଇଥିଲା କି ଯୋଜନା?

ଖୋର୍ଦ୍ଧା / ରାଜସୁନାଖଳା : କୁଖ୍ୟାତ ମାଫିଆ ହାଇଦର କଟକରୁ ଫେରାର୍ ହେବା ସମୟରେ ଯେଉଁ ଧଳା କାର୍ ବ୍ୟବହାର କରିଥିଲା, ତାହା ଖୋର୍ଦ୍ଧାରୁ ଯୋଗାଣ ହୋଇଛି। କେବଳ ସେତିକି ନୁହେଁ, କାର୍‌ଟି ଏକ ବ୍ରାଉନ୍‌ସୁଗାର କାରବାରରେ ଜବତ ହୋଇଥିଲା। ଗତ ୫ ମାସ ତଳେ ଏହାକୁ ଥାନାରୁ ମୁକୁଳାଯାଇଥିଲା। ତେଣୁ ହାଇଦରକୁ ଫେରାର କରିବା ପାଇଁ ବ୍ଲୁ ପ୍ରିଣ୍ଟ୍‌ ପ୍ରାୟ ୫ ମାସ ତଳେ ପ୍ରସ୍ତୁତ ହୋଇଥିଲା ବୋଲି ଚର୍ଚ୍ଚା ହେଉଛି।

୧୦ ତାରିଖ ଅପରାହ୍ଣରେ ହାଇଦରର ମଝିଆ ପୁଅ ଆଝାରୁଦ୍ଦିନ୍ ଏକ ବାଇକ୍‌ରେ ହାଇଦରକୁ ଖୋର୍ଦ୍ଧା ଆଣିଥିଲା। ସେଠାରୁ ଏକ ଧଳା ମାରୁତି ସୁଇଫ୍ଟ ଡିଜାୟର୍ (ଓଡି ୦୨ ଏଏସ୍‌ ୬୭୭୦) କାର୍‌ରେ ଆଝାରୁଦ୍ଦିନ୍, ହାଇଦର, ହାଇଦରର ସହଯୋଗୀ କାଳିଆ ଓ ଅନ୍ୟ ୩/୪ଜଣ ତେଲେଙ୍ଗାନା ଚାଲିଯାଇଥିଲେ। ତେବେ ହାଇଦରର ଖୋର୍ଦ୍ଧା ସହ କ’ଣ ସମ୍ପର୍କ? ସେହି ନିର୍ଦ୍ଧିଷ୍ଟ କାର୍ ଯୋଗେ କାହିଁକି ଫେରାର୍ ହେବାକୁ ଯୋଜନା କରାଯାଇଥିଲା ତାହାର ଗୁମର ଅଦ୍ୟାବଧି ପୁଲିସ ଫିଟାଇବାରେ ସକ୍ଷମ ହୋଇପାରିନାହିଁ। କିନ୍ତୁ ଜଣାଯାଇଛି ଯେ ଯେଉଁ କାର୍‌ରେ ହାଇଦର ଫେରାର୍ ହୋଇଥିଲା ସେହି କାର୍‌ର ମାଲିକ ହେଉଛନ୍ତି ତ୍ରିଲୋଚନ ସାହୁ। ତାଙ୍କ ଘର ବୋଲଗଡ଼ ବ୍ଲକ୍‌ ଅନ୍ତର୍ଗତ ରାଜସୁନାଖଳା ନିକଟସ୍ଥ ପାନବଜାର। ପ୍ରାୟ ୧୫/୨୦ ବର୍ଷ ପୂର୍ବେ ବୋଲଗଡ଼ କାଉଁରିପାଟଣାରୁ ଆସି ଏଠାରେ ରହିଛନ୍ତି। ତାଙ୍କର ଏକ ସାଇକଲ ଦୋକାନ ମଧ୍ୟ ରହିଛି। ତାଙ୍କ ପତ୍ନୀ ସ୍ଥାନୀୟ ଅଙ୍ଗନବାଡ଼ି କେନ୍ଦ୍ରରେ କାମ କରନ୍ତି। ଏକ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୫/୬ମାସ ତଳେ ବ୍ରାଉନ୍‌ସୁଗାର କାରବାରରେ ଧରାପଡ଼ି ଜିଲ୍ଲା ବାହାରେ କୌଣସି ଥାନାରେ ଜବତ ହୋଇଥିବା କାର୍‌ଟିକୁ ମୁକୁଳାଯାଇ ଅଣାଯାଇଥିଲା। ଏହି କାର୍‌ଟି ଅନେକ ସମୟରେ ତ୍ରିଲୋଚନଙ୍କ ପୁଅ ସତ୍ୟନାରାୟଣ ବ୍ୟବହାର କରୁଥିଲା। ସ୍ଥାନୀୟ ସୂଚନା ଅନୁସାରେ, ସତ୍ୟନାରାୟଣ ବିରୋଧରେ ବ୍ରାଉନ୍‌ସୁଗାର କାରବା କରୁଥିବା ଅଭିଯୋଗ ରହିଛି। ପୂର୍ବରୁ ମଧ୍ୟ ଏକାଧିକ ଥର ବିଭିନ୍ନ ଅପରାଧିକ ମାମଲାରେ ସେ ଗିରଫ ହୋଇଥିଲା। ତେବେ ଅନ୍ୟ ଏକ ସୂଚନାରୁ ଜଣାଯାଇଛି ଯେ ନିକଟରେ କାର୍‌ଟି ହଜିଯାଇଥିବା ନେଇ ସତ୍ୟନାରାୟଣ ସ୍ଥାନୀୟ ଲୋକଙ୍କୁ କହିଥିଲେ। ଏନେଇ ବୋଲଗଡ଼, ରଣପୁର କିମ୍ବା ନିକଟସ୍ଥ ରାଜସୁନାଖଳା ଫାଣ୍ତିରେ ଅଭିଯୋଗ କରିଛନ୍ତି କି ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନାନାହିଁ। ଯୋଜନାବଦ୍ଧଭାବେ କାର୍‌ ହଜିଯାଇତିବା କହି ଅପରାଧିକ କାର୍ଯ୍ୟରେ ବ୍ୟବହାର ପାଇଁ ଷଡ୍‌ଯନ୍ତ୍ର କରାଯାଇଥିବା ବୋଲି ଚର୍ଚ୍ଚା ହେଉଛି। ଗାଁ’ରେ ବର୍ତ୍ତମାନ ତ୍ରିଲୋଚନ ରହିଥିଲେ ମଧ୍ୟ ସତ୍ୟନାରାୟଣଙ୍କର ଗତ ୩/୪ ଦିନ ଧରି ଦେଖାମିଳୁ ନଥିବାରୁ ଘଟଣା ଆହୁରି ରହସ୍ୟମୟ ହୋଇଛି। ଏନେଇ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏହି ଘଟଣାର ତଦନ୍ତ ଏକ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଟିମ୍ କରୁଛନ୍ତି। ଖୋର୍ଦ୍ଧାକୁ ହାଇଦର ଆସିବା ଓ କାର୍ ନେଇ ଫେରାର୍ ହୋଇଥିବା ଘଟଣା ସମ୍ପର୍କରେ ତଦନ୍ତ ନେଇ ସେ କୌଣସି ନିର୍ଦ୍ଦେଶ ପାଇନାହାନ୍ତି। ଏଣୁ ଏନେଇ ସେ କଛି କହିପାରିବେ ନାହିଁ।

The post ହାଇଦର ଫେରାର୍ ନେଇ ୫ ମାସ ଆଗରୁ ହୋଇଥିଲା କି ଯୋଜନା? first appeared on Sambad.

from ରାଜ୍ୟ | Sambad https://ift.tt/3ebrDSO

Post a Comment

0 Comments