ଦ୍ବିତୀୟ ଲହର ବଢ଼ାଇଲା ପ୍ରବାସୀ ଶ୍ରମିକଙ୍କ ଦୁଃଖ: ହାତରେ କାମ ନାହିଁ, ଏବେ ଘରମୁହାଁ

ଭୁବନେଶ୍ବର : କରୋନା ଦ୍ବିତୀୟ ଲହର ଯୋଗୁଁ ସାରାଦେଶରେ ଏବେ ଦ୍ରୁତଗତିରେ ମାଡ଼ିଚାଲିଛି ସଂକ୍ରମଣ। ମୁମ୍ବାଇ, ବେଙ୍ଗାଲୁରୁ ଭଳି ବଡ଼ ସହରରେ ନାଇଟ୍‌ କର୍ଫ୍ୟୁ ଓ ଲକ୍‌ଡାଉନ୍‌ ସହିତ ବଢୁଛି ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ଦୁଃଖ। ଲକ୍‌ଡାଉନ୍ ଭୟ ସାଙ୍ଗକୁ କାମ ହରାଇବା ଯୋଗୁଁ ଅନେକ ଘରମୁହାଁ ହେଲେଣି। ଯେଉଁମାନେ ନ ଆସି ରହିଯାଇଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ନିଜ ଚାକିରି ହରାଇ ସାରିଛନ୍ତି। ବର୍ତ୍ତମାନଠାରୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ନ ଦେଲେ ୨୦୨୦ ମସିହାର ବିକଟ ଚିତ୍ର ଆଉଥରେ ଦେଖିବାର ଆଶଙ୍କା ସୃଷ୍ଟି ହେଲାଣି।

ନିଜର ୮ ଜଣ ବନ୍ଧୁଙ୍କ ସହିତ ନିକଟରେ କୋଲକାତାରୁ ଘରକୁ ଫେରି ଆସିଥିବା କଟକ ଜିଲ୍ଲା ମାହାଙ୍ଗାର ଜଣେ ଯୁବକ କହିଛନ୍ତି, ଗତବର୍ଷ ଲକ୍‌ଡାଉନ୍‌ରେ ଛତିଶଗଡ଼ରେ କାର୍ଯ୍ୟରତ ଅବସ୍ଥାରେ ଯେଉଁଭଳି ଭୋକଶୋଷରେ ରହିବାକୁ ପଡ଼ିଥିଲା, ଆଜି ପର୍ଯ୍ୟନ୍ତ ଭୁଲି ହୋଇନି। ପରିବାର ପକ୍ଷରୁ ଟଙ୍କା ପଠାଯିବା ପରେ ଯାଇ ଆସିବାକୁ ସମର୍ଥ ହୋଇଥିଲି। ଘରକୁ ଫେରିବା ପରେ ଏଠାରେ କାମର ସୁଯୋଗ ନଥିବାରୁ ବାଧ୍ୟ ହୋଇ ମାର୍ଚ୍ଚ ମାସରେ କୋଲକାତାର ଆଲିପୁରରେ ରଙ୍ଗ ମିସ୍ତ୍ରି ଭାବେ କାମ କରିବାକୁ ଯାଇଥିଲି। ପ୍ରଥମ ୧୫ ଦିନର ଟଙ୍କା ମିଳିଲା। ହେଲେ କରୋନା ବଢ଼ିବା ପରେ ଏପ୍ରିଲ ମାସର ୧୫ ଦିନ ପ୍ରାପ୍ୟ ଦେଲେନି। ତେଣୁ ବାଧ୍ୟ ହୋଇ ଘରକୁ ଫେରି ଆସିବାକୁ ନିଷ୍ପତ୍ତି ନେଲି। ତେବେ ପୂର୍ବବର୍ଷ ଭଳି ଏଥର ସଙ୍ଗରୋଧରେ ରହିବାକୁ ପଡ଼ିନାହିଁ ବୋଲି ଯୁବକ ଜଣକ କହିଛନ୍ତି

ମୁମ୍ବାଇଠାରୁ କିଛି କିଲୋମିଟର ଦୂର ଅମ୍ବରନାଥରେ ନିର୍ମାଣ ଶ୍ରମିକ କାର୍ଯ୍ୟ କରୁଥିବା କଳାହାଣ୍ଡି ଜିଲ୍ଲା ନର୍ଲାର ବାହାଦୁର ଛତ୍ରିଆ, ପରିମଳ ଚୌଧୁରୀ, ଧନେଶ୍ବର ବିଭାର, ସୁବାସ ଚନ୍ଦ୍ର ସୁନାଙ୍କ ସମେତ ଅନେକ ଶ୍ରମିକ ଦୁଇ ଦିନ ହେଲା ଚାକିରି ହରାଇ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏବେ କରୋନା ଯୋଗୁଁ ସେଠାରେ ଭୟଙ୍କର ଅବସ୍ଥା। ଏକ ଭିଡିଓ ଜାରି କରି ସେମାନେ କହିଛନ୍ତି, ଗତବର୍ଷ ଲକ୍‌ଡାଉନ୍‌ରେ ଅନେକ ଦୁର୍ଦଶା ସତ୍ତ୍ବେ ସେମାନେ ଘରକୁ ଯାଇନଥିଲେ। ବରଂ ପୁଣିଥରେ ଚାକିରି ଫେରି ପାଇବା ଆଶାରେ ଏଠାରେ ରହିଲେ। ଅନେକ ଦିନ ଧରି ବେକାର ରହିବା ପରେ ନଭେମ୍ବର ମାସରେ କାମ ମିଳିଲା। କିନ୍ତୁ କରୋନା ଦ୍ବିତୀୟ ଲହରରେ ସଂକ୍ରମଣ ବଢ଼ିବା ପରେ ଲକ୍‌ଡାଉନ୍ ହୋଇଯିବାରୁ ଏବେ ହାତରେ କାମ ନାହିଁ। ସେଥିରେ ପୁଣି ଠିକାଦାରଙ୍କ ଦେଖା ନଥିବାରୁ ଚିନ୍ତା ଆହୁରି ବଢିଯାଇଛି।

ସେହିପରି ମୁମ୍ବାଇରେ ମିସ୍ତ୍ରି କାର୍ଯ୍ୟ କରୁଥିବା ବିଶ୍ବମ୍ବର କହିଛନ୍ତି, ଗତବର୍ଷ ଲକ୍‌ଡାଉନ୍‌ ଯୋଗୁଁ ମେ’ ମାସରେ ଘରକୁ ଫେରି ଆସିଥିଲେ। କରୋନା ଟିକେ କମିବା ପରେ ପୁଣି ଫେବ୍ରୁଆରି ମାସରେ ମୁମ୍ବାଇ ଆସିଥିଲେ। ତାଙ୍କର ଅନ୍ୟ ସାଥୀମାନେ ଚାକିରି ହରାଇଥିଲେ ବି ସେ କିନ୍ତୁ ଏବେ କାର୍ଯ୍ୟ କରୁଛନ୍ତି। ଇଂଜିନିୟରିଂ ସେକ୍ସନରେ କାର୍ଯ୍ୟ କରୁଥିବା ସୁବାସ କହିଛନ୍ତି, ମୁମ୍ବାଇରେ ପଶ୍ଚିମଓଡ଼ିଶାର ଅନେକ ନିର୍ମାଣ ଶ୍ରମିକ କାର୍ଯ୍ୟ କରନ୍ତି। ଗତବର୍ଷ ଲକ୍‌ଡାଉନ୍‌ରେ ଲୋକେ ଯେଉଁଭଳି ଅସହାୟ, ବେକାର ହୋଇଥିଲେ ବର୍ତ୍ତମାନ ସେହିଭଳି ସ୍ଥିତି ସୃଷ୍ଟି ହୋଇ ନାହିଁ। ତେବେ ଦରବୃଦ୍ଧି ଯୋଗୁଁ ଅତ୍ୟାବଶକ ସାମଗ୍ରୀ କିଣିବା କଷ୍ଟକର ହେଉଛି। ଘରକୁ ଫେରିଲେ ବି ତାଙ୍କ ଭଳି କୁଶଳୀ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ପାଖରେ କୌଣସି ଯୋଜନା ନାହିଁ। ତେଣୁ ଯେତେ‌ କଷ୍ଟ ହେଲେ ବି ଏଠାରେ ରହି କାମ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

The post ଦ୍ବିତୀୟ ଲହର ବଢ଼ାଇଲା ପ୍ରବାସୀ ଶ୍ରମିକଙ୍କ ଦୁଃଖ: ହାତରେ କାମ ନାହିଁ, ଏବେ ଘରମୁହାଁ first appeared on Sambad.

from ରାଜ୍ୟ | Sambad https://ift.tt/3tDIJQ1

Post a Comment

0 Comments