ରାଜଧାନୀରେ ଆତଙ୍କରାଜ : ବୋମାମାଡ଼, ସଂଘବଦ୍ଧ ଆକ୍ରମଣ

ଘରେ ପଶି ହାଣିଲେ, ଦୋକାନ ଓ ଅଟୋ ଭାଙ୍ଗିଲେ
ପୂର୍ବତନ କର୍ପୋରେଟର ପ୍ରାର୍ଥୀଙ୍କ ସମେତ ୭ ଗିରଫ

ଭୁବନେଶ୍ବର/ପୁରୁଣା ଭୁବନେଶ୍ବର : ରାଜଧାନୀରେ ବୋମାମାଡ଼ କରି ଆତଙ୍କରାଜ ସୃଷ୍ଟି କରିଛନ୍ତି ଗୋଟିଏ ଗୋଷ୍ଠୀ। ଏୟାରଫିଲ୍ଡ ଥାନାଠାରୁ ମାତ୍ର ଅଳ୍ପ ଦୂରରେ ଥିବା ସୁନ୍ଦରପଦା ଆଜାଦନଗରରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ଧାରଣ କରିବା ପରେ ଗୁରୁବାର ସନ୍ଧ୍ୟାରେ ଗୋଟିଏ ଗୋଷ୍ଠୀର ବୋମାମାଡ଼ ଓ ସଂଘବଦ୍ଧ ଆକ୍ରମଣରେ ଅନ୍ୟଗୋଷ୍ଠୀର ମହମ୍ମଦ ତସଲିମ୍ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣକାରୀଙ୍କୁ ପ୍ରତିବାଦ କରିବାକୁ ଯାଇ ଦୁଇ ମହିଳାଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଇଛି। ଏହି ମାମଲାରେ ପୁଲିସ ୭ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଭିତରେ ପୂର୍ବତନ କର୍ପୋରେଟର ପ୍ରାର୍ଥୀ ଅସଫର ଇକବଲ୍ ରହିଥିବା ଜଣାପଡ଼ିଛି। ତେବେ ଏହି ସଂଘର୍ଷରେ ସମ୍ପୃକ୍ତ ଆହୁରି କିଛି ଅଭିଯୁକ୍ତ ଫେରାର ହୋଇ ଯାଇଛନ୍ତି। ବରିଷ୍ଠ ପୁଲିସ ଅଧିକାରୀଙ୍କ ସମେତ ଡିସିପି ଉମାଶଙ୍କର ଦାଶ ଘଟଣାସ୍ଥଳକୁ ଯାଇ ପରିସ୍ଥତି ଅନୁଧ୍ୟାନ କରିଛନ୍ତି। ତେବେ ଆଜାଦନଗରରେ ଉତ୍ତେଜନା ଲାଗି ରହିଥିବାରୁ ‌ଗୋଟିଏ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଆଜାଦନଗର‌ରେ ଗ୍ରାମ୍ୟ କମିଟିକୁ ନେଇ ପୂର୍ବରୁ ବିବାଦ ଲାଗି ରହିଥିଲା। ଗତ ୨୯ ତାରିଖରେ ଜଣେ ଯୁବତୀଙ୍କ ସହ ଜଣେ ଯୁବକଙ୍କ ବିବାହକୁ ନେଇ ଗ୍ରାମ୍ୟ କମିଟି ବୈଠକ ବସିଥିଲା। ଏହି ବୈଠକରେ କମିଟିର ମୁରବୀଙ୍କ ସହ ଅସଫର ଇକବଲ୍ ଓ ତାଙ୍କ ସମର୍ଥକମାନେ ମଧ୍ୟ ଉପସ୍ଥିତ ରହିଥିଲେ। ତେବେ ବୈଠକରେ ଆଲୋଚନା ଚାଲିଥିବାବେଳେ କମିଟିରେ ନୂତନ ସଦସ୍ୟତର ନେଇ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଆଜାଦନଗର ପଞ୍ଚାୟତର ମୁଖ୍ୟ ଲିଆକତୁଲ୍ଲାଙ୍କୁ ମଧ୍ୟ ଗାଳିମନ୍ଦ ହୋଇଥିଲା। ସେଠା‌ରେ ଗୋଟିଏ ‌ଗୋଷ୍ଠୀର କିଛି ଲୋକ ଅସଫର୍‌ଙ୍କୁ ମାଡ଼ ମାରିଥିଲେ ବୋଲି ସେ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ପୁଲିସ ଏକ ମାମଲା ରୁଜୁ କରିଥିଲା। ତେବେ ଅପରଗୋଷ୍ଠୀ ପକ୍ଷରୁ ମହମ୍ମଦ ତସଲିମ୍ ପାଲଟା ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ ଅଭିଯୋଗ ଉପରେ ପୁଲିସ କୌଣସି ପଦକ୍ଷେପ ନେଇ ନ ଥିଲା। ଯାହାକୁ ନେଇ ତସଲିମଙ୍କ ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା।

ତେଣେ ତସଲିମ ଥାନାରେ କାହିଁକି ଅଭିଯୋଗ କଲେ ତାକୁ ନେଇ ଅସଫର ଓ ତାଙ୍କ ଗୋଷ୍ଠୀ ଅଧିକ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ। ଗୁରୁବାର ସନ୍ଧ୍ୟାରେ ଅଚାନକ ଅସଫର, ଅହମ୍ମଦ, ସକାଵତ ଏବଂ ତାଙ୍କର ୧୦ରୁ ୧୫ ଜଣ ସହଯୋଗୀ ତସଲିମଙ୍କ ଉପରକୁ ବୋମା ଫିଙ୍ଗିଥିଲେ। ବୋମାମାଡ଼ରେ ତସଲିମଙ୍କ ମୁଣ୍ଡ ଫାଟିଯିବା ସହ ଗୁରୁତର ଆହତ ହୋଇଥିଲେ। ପଡ଼ୋଶୀମାନେ ଏହି ଆକ୍ରମଣର ପ୍ରତିବାଦ କରିବ‌ାରୁ ଆକ୍ରମଣକାରୀମାନେ ସେମାନଙ୍କ ଘରେ ପଶି ଖଣ୍ଡା, ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରିଥିଲେ ଏବଂ ଦୀର୍ଘ ସମୟ ଧରି ଆଜାଦନଗରରେ ଆତଙ୍କ ଖେଳାଇଥିଲେ। ଆକ୍ରମଣରେ ସେକ୍ ମିନାତୁଲ୍ଲାଙ୍କ ସମେତ ଆଉ ୬ ଜଣ ଆହତ ହୋଇଥିଲେ। ବୋମାମାଡ଼ରେ ଏକ ଫାଷ୍ଟଫୁଡ୍‌ ଦୋକାନ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଲ୍‌ଇଡି ଟିଭି ପୋଡ଼ିଯାଇଛି। ଆକ୍ରମଣକାରୀମାନେ ସକିଲର ଦୁଇଟି ଅଟୋ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ଏହି ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଏଆରପୋର୍ଟ ଥାନା ଅଧିକାରୀ ଉମାକାନ୍ତ ପ୍ରଧାନ ଓ ଏଆରଫିଲ୍‌ଡ ଥାନା ଅଧିକାରୀ ଦୀପକ ମିଶ୍ର ପ୍ରମୁଖ ସଦଳବଳ ପହଞ୍ଚି ୭ ଜଣଙ୍କୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତମାନଙ୍କୁ ଆସନ୍ତାକାଲି କୋର୍ଟଚାଲାଣ କରାଯିବ ବୋଲି ଥାନାଧିକାରୀ ଦୀପକ ମିଶ୍ର କହିଛନ୍ତି। ଫେରାର ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଖୋଜା ଚାଲିଛି।

The post ରାଜଧାନୀରେ ଆତଙ୍କରାଜ : ବୋମାମାଡ଼, ସଂଘବଦ୍ଧ ଆକ୍ରମଣ first appeared on Sambad.

from ରାଜ୍ୟ | Sambad https://ift.tt/3fB4zPB

Post a Comment

0 Comments