
ଭୁବନେଶ୍ବର : ନୂଆଦିଲ୍ଲୀରେ କେନ୍ଦ୍ର ସରକାର ବିରୋଧରେ ଚାଷୀ ଆନ୍ଦୋଳନ ଥମିବାର ନାଁ ଧରୁନାହିଁ। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ଆଜି ଚାଷୀଙ୍କୁ ନେଇ ବଡ଼ କାର୍ଡ ଖେଳିଛନ୍ତି। ଆର୍ଥିକ ବର୍ଷର ପ୍ରଥମ ଦିନରେ ରାଜ୍ୟର ୩୪ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ କାଳିଆ ଯୋଜନା ଟଙ୍କା ପଠାଯାଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ମୁଖ୍ୟମନ୍ତ୍ରୀ ଓଡ଼ିଶା ଦିବସରେ ଆଜି ଯେଉଁ ପ୍ରଥମ ଫାଇଲରେ ଦସ୍ତଖତ କରିଛନ୍ତି ସେଥିରେ ରବି ଋତୁ ପାଇଁ ୬୯୩ କୋଟି ୯୪ଲକ୍ଷ ଟଙ୍କାର (କାଳିଆ) ବ୍ୟବସ୍ଥା ରହିଛି। ଏହି ଅର୍ଥ ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇଛି। ତେବେ ପିପିଲି ଉପନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା କାରଣରୁ ପୁରୀ ବ୍ୟତୀତ ସବୁ ଜିଲ୍ଲାର ଚାଷୀଙ୍କୁ ବର୍ତ୍ତମାନ କାଳିଆ ସହାୟତା ଦିଆଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ଆଜି ସରକାରୀ କାର୍ଯ୍ୟକ୍ରମ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ, ‘ଆଜି ଆମ ସମସ୍ତଙ୍କ ପାଇଁ ଏକ ଆନନ୍ଦର ଦିନ। ଏହି ଅବସରରେ ଆମର ଚାଷୀ ଭାଇ ଓ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଉଛି। ଆଜିଠାରୁ ମଧ୍ୟ ଆମର ନୂଆ ଆର୍ଥିକ ବର୍ଷ ଆରମ୍ଭ ହେଉଛି। ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଚାଷୀଙ୍କ କଲ୍ୟାଣ କାର୍ଯ୍ୟକ୍ରମରୁ ହିଁ ମୁଁ ଆଜି ନୂଆ ଆର୍ଥିକ ବର୍ଷ ଆରମ୍ଭ କରୁଛି।’ ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ‘କାଳିଆ ଯୋଜନା ଆମର ଏକ ଗୁରୁତ୍ବପୂର୍ଣ୍ଣ ଚାଷୀ କଲ୍ୟାଣ କାର୍ଯ୍ୟକ୍ରମ। ଆଜି ୩୪ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ କାଳିଆ ଯୋଜନାରେ ୭୦୦କୋଟି ଟଙ୍କା ଜମା କରାଗଲା। ଏହା ହୃଦୟସ୍ପର୍ଶୀ ଏଇଥିପାଇଁ କାରଣ, ରାଜ୍ୟରେ ୩୭ ଲକ୍ଷ ଚାଷୀଙ୍କ ସହିତ ୧୭ ଲକ୍ଷ ଭୂମିହୀନ ଗରିବଙ୍କ ଜୀବନରେ କାଳିଆ ପ୍ରଭାବ ପକାଉଛି। କାଳିଆ ଯୋଜନା ହେଉଛି ସମଗ୍ର ଦେଶରେ ଏକମାତ୍ର ଯୋଜନା ଯାହା କୃଷକମାନଙ୍କ ସହିତ ଭୂମିହୀନ ଗରିବ ଲୋକଙ୍କୁ ମଧ୍ୟ ସାହାଯ୍ୟ କରିଥାଏ।’
ମୁଖ୍ୟମନ୍ତ୍ରୀ କହିଥିଲେ, ‘ଚାଷୀର ତ୍ୟାଗ ଓ ସ୍ବାଭିମାନ ହିଁ ଆଜି ଓଡିଶାର ସ୍ବାଭିମାନ ବୃଦ୍ଧି କରିଛି। ଓଡିଶାର ଚାଷୀ ଆଜି ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଉଛି। କୃଷି କର୍ମଣ ପୁରସ୍କାର ପାଇ ଓଡିଶାକୁ ଗର୍ବିତ କରୁଛି। ଶୂନ ପ୍ରତିଶତ ସୁଧ ହାରରେ ଋଣ, ନୂଆ କୃଷି ନୀତି ଆଦି ଅନେକ କାର୍ଯ୍ୟକ୍ରମ ଚାଷୀ ଭାଇଙ୍କୁ ଉତ୍ସାହିତ କରିଛି। ଆମ ଚାଷୀ ଭାଇଭଉଣୀଙ୍କ ପାଇଁ ମୁଁ ଗର୍ବିତ। ଚାଷୀ ଆମ ଅର୍ଥନୀତିର ମହାଶକ୍ତି। କୋଭିଡ ସମୟରେ ଚାଷୀ ଭାଇ ହିଁ ଆମର ଅର୍ଥନୀତିକୁ ରକ୍ଷା କରିଛି। ତେଣୁ ଚାଷୀକୁ ଅଣଦେଖା କରି ବିକାଶ କଥା ଚିନ୍ତା କରାଯାଇ ନ ପାରେ।’
ସେ ନିଜେ ସବୁବେଳେ ଚାଷୀ ଭାଇଭଉଣୀ ମାନଙ୍କ ସହ ରହିଛନ୍ତି ଓ ସେମାନଙ୍କ ପାଇଁ କାମ କରୁଛନ୍ତି ଓ କରି ଚାଲିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କେବଳ ସେତିକି ନୁହେଁ, ଏକଥା ବି କହିଥିଲେ, ‘ଦେଢ ଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ କାହାର ଦୟା ନୁହେଁ। ଏହା ଚାଷୀର ହକ୍। ଚାଷୀକୁ ତାର ହକ୍ ଦେବାପାଇଁ ଆମର ଲଢେଇ ଜାରି ରହିଛି। ଏମ୍ଏସ୍ ସ୍ବାମୀନାଥନ୍ କମିଟି ସୁପାରିସ କାର୍ଯ୍ୟକାରୀ କରିବା ପାଇଁ ଆମର ଦାବି ଜାରି ରହିବ। ସବୁ କଠିନ ପରିସ୍ଥିତିରେ ଚାଷୀ ଦେଶ ପ୍ରତି ତାର ଦାୟିତ୍ବ ନିଷ୍ଠାର ସହ କରିଚାଲିଛି। ମାଟି ମା’ ପାଇଁ ଚାଷୀର ତ୍ୟାଗ ଅମୂଲ୍ୟ।’
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଅରୁଣ ସାହୁ କାଳିଆ ଯୋଜନାକୁ ଦେଶ ପାଇଁ ଏକ ମଡେଲ ଭାବରେ ବର୍ଣ୍ଣନା କରି ଚାଷୀଙ୍କୁ ଆଗକୁ ବଢିବା ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି ବୋଲି କହିଥିଲେ। କୃଷି ଉତ୍ପାଦନ କମିସନର ରାଜକୁମାର ଶର୍ମା ସ୍ବାଗତ ଭାଷଣ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ।
The post ‘କାଳିଆ’ ଫାଇଲ୍ ଦସ୍ତଖତ କରି କାମ ଆରମ୍ଭ କଲେ ନବୀନ first appeared on Sambad.from ରାଜ୍ୟ | Sambad https://ift.tt/2OfmyQD
0 Comments