ଜଙ୍ଗଲରେ ‘ଭାଲୁମୁଖା’ ମଣିଷ, ବନାଗ୍ନି ରୋକିବା ବାଣ୍ଟୁଛନ୍ତି ବାର୍ତ୍ତା

ପ୍ରତାପୁର: ଜଙ୍ଗଲ ଭିତରେ ବୁଲୁଛି ଭାଲୁ। ଏ ଗଛରୁ ସେ ଗଛ ପାଖକୁ ଯାଉଛି। ଗଛ ତଳେ ପଡ଼ିଥିବା ଡାଳକୁ ଉଠାଇ ଜଙ୍ଗଲରେ ପହଁରି ପତ୍ରକୁ ଅଲଗା କରୁଛି। ଯାହାକୁ ବନବିଭାଗ ଭାଷାରେ ‘ଫାୟାରଲାଇନ୍‌ କାଟିବା ’ କୁହାଯାଏ। କାଳେ ନିଆଁ ଲାଗିଲେ ପତ୍ରକୁ ପତ୍ର ଧରି ସଂପୂର୍ଣ୍ଣ ଜଙ୍ଗଲ ପୋଡ଼ିଯିବ, ଏହି କଥା ଚିନ୍ତା କରି ଜଙ୍ଗଲରେ ବୁଲୁଛି। କେହି ନୂଆ ଲୋକ ହଠାତ୍ ଜଙ୍ଗଲିଆ ରାସ୍ତାରେ ତାକୁ ଦେଖିଦେଲେ ଭୟଭୀତ ହୋଇ ଉଠନ୍ତି। ହେଲେ ସେ ସେମାନଙ୍କୁ ଡାକି ସଚେତନ ବାର୍ତ୍ତା ଲେଖାଯାଇଥିବା ଲିଫ୍‌ଲେଟ୍ ଦେବା ସହ ଜଙ୍ଗଲ ସୁରକ୍ଷା ଓ ବୃକ୍ଷରୋପଣର ଗୁରୁତ୍ବ ବିଷୟରେ ବୁଝାଇଦିଏ। ହେଲେ ଏତେ ବୁଦ୍ଧିମାନ ଭାଲୁ କେଉଁଠି ଅଛି, ଏହା ଜାଣିବାକୁ ପାଠକଙ୍କ ମନରେ ନିଶ୍ଚିତ ଭାବେ ଉତ୍ସାହ ଜାଗ୍ରତ ହେଉଥିବ। ହେଲେ ଇଏ କୌଣସି ସତସତିକା ଭାଲୁ ନୁହେଁ। ବରଂ ଜ‌ଣେ ମଣିଷ ତଥା ପ୍ରକୃତିପ୍ରେମୀ। ଯିଏକି ପ୍ରତିଦିନ ଭାଲୁମୁଖା ପିନ୍ଧି ପିଲାଠୁ ବୁଢ଼ା ସମସ୍ତଙ୍କୁ ଭାଲୁ ସମେତ ବିଭିନ୍ନ ବନ୍ୟପ୍ରାଣୀ ଓ ପରିବେଶ ସୁରକ୍ଷାକୁ ନେଇ ‌ସ‌ଚେତନତା ଅଭିଯାନ ଜାରି ରଖିଛନ୍ତି। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ କ୍ଷେତମୁଣ୍ଡଳି ଗ୍ରାମର ବିଜୟ ପ୍ରଧାନ। ଜଣେ ପରିବେଶବିତ୍ ଭାବେ ନିଆରା ଢଙ୍ଗରେ ସଚେତନତା ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଛି। କେବଳ ଭାଲୁ ବେଶରେ ସେ ତିନିବର୍ଷରୁ ଊର୍ଦ୍ଧ୍ବ ହେଲା ବିଭିନ୍ନ ଅଂଚଳ ବୁଲି ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟି ଚାଲିଛନ୍ତି।

ଗେରେଡ଼ା ଅଞ୍ଚଳର ବିଭିନ୍ନ ଜଙ୍ଗଲିଆ ଇଲାକା ଏବଂ ଗାଁଗଣ୍ଡାରେ ସେ ବୁଲୁଛନ୍ତି। ସବୁଠୁ ଉଲ୍ଲେଖନୀୟ କଥା ହେଲା, ଜଙ୍ଗଲ ଭିତରେ ସେ ବୁଲୁଥିବା ବେଳେ ହଠାତ୍ କେତେବେଳେ ରାସ୍ତାରୁ ବାହାରି ପଡ଼ି ପଥଚାରୀଙ୍କୁ ଅଟକାଇ ଦିଅନ୍ତି। ପଥଚାରୀ ତାଙ୍କୁ ଦେଖି ଭୟଭୀତ ହେଲେ ବି ସେ ବୁଝାସୁଝା କରି ତାଙ୍କୁ ଅଟକାଇ ଲିଫଲେଟ୍ ବାଣ୍ଟିଥାନ୍ତି। ଏହାସହ ଗାଁକୁ ଗାଁ ବୁଲି ଜଙ୍ଗଲ ଓ ଜନ୍ତୁ ସୁରକ୍ଷା, ଜଙ୍ଗଲରେ ନିଆଁ ନଲଗାଇବା ଓ ଚାଷୀ ମାନେ କ୍ଷେତରେ ପାଳଗଦାରେ ନିଆଁ ନ ଲଗାଇବା ପାଇଁ ନେହୁରା ହୋଇ ସଚେତନ କରିଥାଆନ୍ତି। ଜନସମାଗମ କିମ୍ବା ସଭାସମିତିକୁ ଯାଇ ମଧ୍ୟ ଲୋକଙ୍କୁ ପରିବେଶ ସୁରକ୍ଷା ବିଷୟରେ ମୂଲ୍ୟବାନ୍ ଉପଦେଶ ଦିଅନ୍ତି। ତେବେ ସମସ୍ତ ବନ୍ୟଜନ୍ତୁଙ୍କ ତୁଳନାରେ ଭାଲୁ ଖୁବ୍ ଉପକାରୀ ଏବଂ ତାର ନଖଦାଗ ମାଟିରେ ପଡ଼ିବା ପରେ ପବନ ଦ୍ବାରା ବୀଜ ବପନ ହୋଇ ଗଛ ସୃଷ୍ଟି ହୁଏ ବୋଲି ବୋଲି କହିଛନ୍ତି ବିଜୟ।

The post ଜଙ୍ଗଲରେ ‘ଭାଲୁମୁଖା’ ମଣିଷ, ବନାଗ୍ନି ରୋକିବା ବାଣ୍ଟୁଛନ୍ତି ବାର୍ତ୍ତା first appeared on Sambad.

from ରାଜ୍ୟ | Sambad https://ift.tt/3sYDGJg

Post a Comment

0 Comments