
ପୁରୀ : ୧୦ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ପୁରୀର ଧନୀ ମଠ ‘ଏମାର’। ଆଜି ସମ୍ପତ୍ତି ତାଲିକା ହିସାବ ବେଳେ ମଠ ପରିସରରେ ଥିବା ଏକ କୋଠରୀରୁ ୪୫ ଖଣ୍ଡ ରୁପା ଇଟା ଠାବ କରାଯାଇଛି। ଏହି ରୁପା ଇଟା ସବୁ ମାଟି ତଳେ ପୋତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସମ୍ପତ୍ତି ତାଲିକା ହିସାବ ଚାଲିଥିବାରୁ ଏହାର ଓଜନ କେତେ ହେବ ତାହା ସ୍ପଷ୍ଟ ହୋଇନି। ହିସାବ ଶେଷ ନ ହେବା ପର୍ଯ୍ୟନ୍ତ ଏହା ଜିଲ୍ଲା କୋଷାଗାରରେ ରହିବ ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା।
ଏମାର ମଠ ମହନ୍ତ ଗୋପାଳ ରାମାନୁଜ ଦାସ ମହାରାଜଙ୍କଠାରୁ ମଠ ପରିଚାଳନା ଦାୟିତ୍ବ ଅପସାରଣ କରି ଦେବୋତ୍ତର ବିଭାଗ ଏବେ ନୂଆ ଟ୍ରଷ୍ଟକୁ ପରିଚାଳନା ଦାୟିତ୍ବ ଦେଇଛି। ଗତକାଲିଠାରୁ ଟ୍ରଷ୍ଟିମାନଙ୍କ ଉପସ୍ଥିତିରେ ମଠର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ହିସାବ କରାଯାଉଛି। ଗତକାଲି ମଠ ପରିସରରେ ଥିବା କୋଠରୀଗୁଡ଼ିକ ଭଙ୍ଗାଯିବା ପରେ ଏଠାରେ ଥିବା ସିନ୍ଦୁକରୁ ରୁପାର ଗଛ, ବାସନକୁସନ ସହ ଅନେକ ଅଳଙ୍କାର ଜବତ କରାଯାଇଥିଲା। ଅନ୍ୟ ଏକ କୋଠରୀରୁ ୨୦ଟି ଲୁହାର ଖଣ୍ଡା ଠାବ କରାଯାଇଥିଲା। ଆଜି ସକାଳୁ ପୁନର୍ବାର ନୂଆ ଟ୍ରଷ୍ଟ ମୁଖ୍ୟ ତଥା ଉତ୍ତରପାର୍ଶ୍ବ ମଠ ମହନ୍ତ ନାରାୟଣ ରାମାନୁଜ ଦାସ ମହାରାଜ, ଅନ୍ୟ ଟ୍ରଷ୍ଟି ଶ୍ରୀଜଗନ୍ନାଥ ସଂସ୍କୃତି ବରିଷ୍ଠ ଗବେଷକ ଡ. ନରେଶ ଚନ୍ଦ୍ର ଦାସ, ଆଇନଜୀବୀ ବନବିହାରୀ ନାୟକ, ସମାଜସେବୀ ପ୍ରତୀମା ମିଶ୍ର ଓ ସିଟି ଡିଏସପି କ୍ଷୀରସାଗର ନାୟକଙ୍କ ଉପସ୍ଥିତିରେ ପୁନର୍ବାର ସମ୍ପତ୍ତିରେ ହିସାବ ଆରମ୍ଭ ହୋଇଥିଲା।
ଖୋଜାଖୋଜି ବେଳେ ମଠରେ ବନ୍ଦ ଥିବା ଏକ କୋଠରୀର ମାଟି ତଳେ ଇଟା ରୁପା ଥିବା ଜଣାପଡ଼ିଥିଲା। ଖୋଳାଖୋଳି ବେଳେ ପ୍ରଥମେ ୨ଟି ରୁପା ଇଟା ଠାବ ହୋଇଥିଲା। ଏହାପରେ ଆଉ ୪୩ ଖଣ୍ଡ ରୁପା ଇଟା ଉଦ୍ଧାର କରାଯାଇଥିଲା। ସେହିଭଳି ବହୁ ସୁନା ଓ ରୁପାର ଅଳଙ୍କାର ଓ ଦେବାଦେବୀ ମୂର୍ତ୍ତି ମିଳିଛି। ସଂଧ୍ୟାରେ ଦୁଇଟି ବଡ଼ ଆଲୁମିନିୟମ ବାକ୍ସରେ ଏହାକୁ ଭର୍ତ୍ତି କରି ଜିଲ୍ଲା କୋଷାଗାର ଭିତରେ ରଖାଯାଇଛି। ଅନ୍ୟପଟେ ଏହି ଇଟା ୨୦୧୦ ମସିହାର ମଠ ସମ୍ପତ୍ତି ତାଲିକାରେ ଥିଲା ବୋଲି କହିଛନ୍ତି ନୂଆ ଟ୍ରଷ୍ଟି ଉତ୍ତରପାର୍ଶ୍ବ ମଠ ମହନ୍ତ ନାରାୟଣ ରାମାନୁଜ ଦାସ।
ତାଙ୍କ ସୂଚନା ହେଲା ଯେ ଏହି ୪୫ ଖଣ୍ଡ ରୁପା ଇଟା ମଠର ସମ୍ପତ୍ତି। ତେବେ ଏହି ରୁପା ଇଟା ମାଟି ତଳେ ପୋତି ରଖାଯିବା ଘଟଣା ଭିନ୍ନ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଯଦି ଏହି ଇଟା ସମ୍ପତ୍ତି ତାଲିକାରେ ରହିଥିଲା, ତେବେ କାହିଁକି ଏହାକୁ ମାଟି ତଳେ ପୋତି ରଖାଯାଇଥିଲା ବୋଲି ପ୍ରଶ୍ନ ଉଠିଛି। ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି, ଆଜି ସମ୍ପତ୍ତି ଯାଞ୍ଚ ସମୟରେ ଏହି ରୁପା ଇଟା ମିଳିଛି। ରୁପା ଇଟାର ଓଜନ ଓ ଆକାର ଭିନ୍ନ ଭିନ୍ନ ରହିଛି। ଇଟାର ଓଜନ ସହ ସମ୍ପତ୍ତି ଆକଳନ ପରେ ଆମେ ଏ ସଂପର୍କରେ ଗଣମାଧ୍ୟମ ଆଗରେ ତଥ୍ୟ ରଖିବୁ। ୨୦୧୧ ମସିହାରେ ମଠ ପରିସରରୁ ମଧ୍ୟ ୫୨୨ ଖଣ୍ଡ ଇଟା ଜବତ ହୋଇଥିଲା। ଏହାକୁ ମଠ ମହନ୍ତ ଏକ କୋଠରୀ ଭିତରେ ଲୁଚାଇ ରଖିଥିଲେ। ଏହି ମାମଲାରେ ମଠ ମହନ୍ତଙ୍କ ସମେତ କିଛି ସୁନା ଦୋକାନୀ ଗିରଫ ହୋଇଥିଲେ।
The post ପୁଣି ଚର୍ଚ୍ଚାରେ ଏମାର ମଠ, ମିଳିଲା ଆଉ ୪୫ ରୁପା ଇଟା first appeared on Sambad.from ରାଜ୍ୟ | Sambad https://ift.tt/3mCIDFh
0 Comments