ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଯାତ୍ରାରେ ମୁଣ୍ଡନ ବନ୍ଦ

ବ୍ରହ୍ମପୁର: ଆଜି ଚୈତ୍ର ମାସର ଦ୍ବିତୀୟ ମଙ୍ଗଳବାର। ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଯାତ୍ରା ସମ୍ପୂର୍ଣ୍ଣ କୋଭିଡ୍ କଟକଣା ଭିତରେ ପାଳନ ହେଉଛି। ସବୁଠାରୁ ବଡ଼ କଥା ହେଲା ଯେ ଏଠାରେ ପ୍ରତିବର୍ଷ ବହୁ ଶ୍ରଦ୍ଧାଳୁ ମୁଣ୍ଡନ କରାଇଥାନ୍ତି। ହେଲେ ଏଥର ତାହାକୁ ବନ୍ଦ ରଖାଯାଇଛି। ଏହି ଯାତ୍ରାକୁ ମୁଣ୍ଡନ ଯାତ୍ରା ବୋଲି ବି କୁହାଯାଇଥାଏ। ତଥାପି କେତେକ ଲୋକ ଅନ୍ୟ ଜାଗାରେ ମୁଣ୍ଡନ କରାଇ ମନ୍ଦିରରେ ପୂଜାର୍ଚ୍ଚନା କରୁଥିବା ପରିଲକ୍ଷିତ ହେଉଛି।

ସୂଚନାଯୋଗ୍ୟ, ଗତବର୍ଷ କରୋନାର ପ୍ରକୋପ ଲାଗି ମା ତାରାତାରିଣୀଙ୍କ ଚୈତ୍ର ପର୍ବ ଦୁଇ ପାଳି ପରେ ଆଉ ହୋଇପାରି ନ ଥିଲା। ଭକ୍ତଙ୍କ ବିନା କେବଳ ମାଆଙ୍କ ନୀତିକାନ୍ତି ପାଳିତ ହୋଇଥିଲା। ଚଳିତ ବର୍ଷ ମଧ୍ୟ କୋଭିଡର ଦ୍ବିତୀୟ ସଂକ୍ରମଣ ଆରମ୍ଭ ହୋଇ ଯାଇଥିବାବେଳେ ମାଆଙ୍କ ଯାତ୍ରା କୋଭିଡ କଟକଣା ଭିତରେ ପାଳନ ହେଉଛି।


ଭୋର ୪ଟା ରେ ମନ୍ଦିର ଖୋଲି ମାଆଙ୍କ ସ୍ୱତନ୍ତ୍ର ନୀତି ପରେ ଦର୍ଶନ ଆରମ୍ଭ ହୋଇଛି। ଭକ୍ତ ବ୍ୟାରିକେଡ଼ରେ ଯାଇ ଦର୍ଶନ କରୁଛନ୍ତି ।
ଏ ବର୍ଷ ଚୈତ୍ର ମାସରେ ୫ଟି ମଙ୍ଗଳବାର ପଡ଼ୁଛି। ମାର୍ଚ୍ଚ ୩୦, ଏପ୍ରିଲ ୬, ୧୩, ୨୦ ଓ ୨୭ତାରିଖରେ ମା ତାରାତାରିଣୀଙ୍କ ଚୈତ୍ର ଯାତ୍ରା ହେବ।
ଅନ୍ୟପକ୍ଷରେ ତାରାତାରିଣୀ ମନ୍ଦିର ହିଲ୍ ଟପ୍ ଏବଂ ତଳ ସିଂହଦ୍ବାର ନିକଟରେ ସମନ୍ବିତ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ହୋଇଛି। ଉକ୍ତ କଣ୍ଟ୍ରୋଲ ରୁମରେ ସିସିଟିଭି ସର୍ଭେଲାନ୍ସ ବ୍ୟବସ୍ଥା ହୋଇଥିବା ବେଳେ ପାନୀୟ ଜଳ, ସ୍ବାସ୍ଥ୍ୟ, ବିଜୁଳି ଓ ପୁଲିସ ଆଦି ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ପରିଚାଳନା କରୁଛନ୍ତି। ମାଆଙ୍କ ମନ୍ଦିର(ହିଲ୍ ଟପ୍)କୁ ଯିବା ଲାଗି ପ୍ରଶାସନ ପକ୍ଷରୁ ୧୦ଟି ବସ୍ ବ୍ୟବସ୍ଥା ହୋଇଛି। ପ୍ରତି ଯାତ୍ରୀ ପିଛା ଟିକେଟ୍ ୬୦ଟଙ୍କା ଧାର୍ଯ୍ୟ ହୋଇଛି।

 

The post ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଯାତ୍ରାରେ ମୁଣ୍ଡନ ବନ୍ଦ first appeared on Sambad.

from ରାଜ୍ୟ | Sambad https://ift.tt/3mlBXeC

Post a Comment

0 Comments