
ମେଣ୍ତା : ଗତ ୨୦ଦିନ ହେଲା ତରଭା ବ୍ଲକ୍ର ମେଣ୍ତା ଗାଁରେ ପାନୀୟ ଜଳ ସମସ୍ୟା ଲାଗିରହିଛି। ଇନଟେକ୍ ୱେଲରେ ବାଲି ଭର୍ତ୍ତି ହୋଇଯିବାରୁ ପାଇପ ପାଣି ଯୋଗାଣ ବନ୍ଦ ହୋଇଯାଇଥିଲା। ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ବାଲି କଢ଼ାଯାଉଛି। ତଥାପି ଜଳ ଯୋଗାଣ ସ୍ବାଭାବିକ ହୋଇପାରିନାହିଁ। ୫ହଜାର ଜନସଂଖ୍ୟା ବିଶିଷ୍ଟ ଗ୍ରାମରେ ଲୋକମାନେ ଖରାଦିନେ ପିଇବା ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି। ଫଳରେ ଜନ ଅସନ୍ତୋଷ ଦେଖାଦେଇଛି। ଆଗକୁ ଅବସ୍ଥା ଆହୁରି ସଂଗିନ ହେବା ଆଶଂକା ରହିଛି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ସୁକତେଲ ନଦୀପଠାରୁ ବ୍ୟାପକ ପରିମାଣରେ ବେଆଇନ ଭାବରେ ବାଲି ଉଠାଯାଇ ଚଲାଣ ହେଉଛି। ଫଳରେ ନଦୀଶଯ୍ୟା ଶୁଖିଯାଉଛି। ଠିକ୍ ସେହିପରି ନଦୀ କୂଳର ଜମିଗୁଡ଼ିକରେ ପୂର୍ବରୁ କେବଳ ପନିପରିବା ଚାଷ ହେଉଥିଲା। ଏବେ କିନ୍ତୁ ନଦୀରେ କୂଅ ଖୋଳି ଉଠାଜଳସେଚନ ଜରିଆରେ ପାଣି ଉଠାଇ ଧାନଚାଷ କରାଯାଉଛି। ଶହ ଶହ ଏକର ଜମିରେ ଧାନଚାଷ କାରଣରୁ ନଦୀଶଯ୍ୟାର ଭୂତଳ ଜଳ ଶୁଖିଯାଉଛି। ନଦୀର ବାଲି ନଦୀଶଯ୍ୟାର ପାଣିକୁ ଧରି ରଖିଥାଏ। କିନ୍ତୁ ବେଆଇନ ବାଲିଉଠାଣ ଏବେ ସବୁଠୁ ବଡ଼ ସମସ୍ୟା ସୃଷ୍ଟି କରିଛି। ନଦୀର ପୋଲ କିଂବା ପାନୀୟ ଜଳ ଯୋଗାଣ ପାଇଁ ନିର୍ମିତ ଇନ୍ଟେକ୍ ୱେଲ୍ର ୫୦୦ମିଟର ଦୂରରୁ ବାଲି ଉଠାଣ ହେବାକଥା। କିନ୍ତୁ ଏଠାରେ ଇନ୍ଟେକ୍ ୱେଲ ଓ ପୋଲ ପାଖରୁ ମଧ୍ୟ ବାଲି ଉଠାଣ ହେଉଛି। ଫଳରେ ଇନ୍ଟେକ୍ ୱେଲ ଶୁଖିଯାଉଛି। ବାଲି କାଢ଼ିଲେ ମଧ୍ୟ ଭୂତଳ ଜଳ ତଳସ୍ତରକୁ ଚାଲିଯାଇଥିବାରୁ ଆଉ ପାଣି ବାହାରୁ ନାହିଁ।
ପ୍ରକାଶଯୋଗ୍ୟ ଯେ ୧୯୬୭ ମସିହାରୁ ସୁକତେଲ ନଦୀରୁ ମେଣ୍ତା ଗାଁକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ହୋଇଆସୁଛି। ମଝିରେ କିଛିବର୍ଷ ପ୍ରାଶାସନିକ ଅବହେଳାରୁ ହରିଜନପଡ଼ା ସମେତ କେତେକ ଅଞ୍ଚଳକୁ ପାନୀୟ ଜଳ ପହଞ୍ଚି ପାରୁନଥିଲା। କିନ୍ତୁ ଗତ ୮ବର୍ଷ ତଳେ ପ୍ରକଳ୍ପ ସଂପୂର୍ଣ୍ଣ ମରାମତି ସହିତ ନୂତନ ପାଇପ ବିଛା କାମ ହୋଇଥିଲା। ଏହାପରେ ୪ବର୍ଷ ତଳେ ପୁଣି ପର୍ଡିଆପଡ଼ା ସମେତ ଅନ୍ୟ ଅଞ୍ଚଳକୁ ମଧ୍ୟ ପାଇପ ପାଣିର ବ୍ୟବସ୍ଥା କରାଯାଇଥିଲା। ଜଳ ଯୋଗାଣ ସମସ୍ୟା ବିଷୟରେ ସୋନପୁର ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ.ବିଭୁପ୍ରସାଦ ପଣ୍ତାଙ୍କୁ ପଚାରିବାରୁ ସେ କହିଥିଲେ, ନଦୀକୂଳରେ ଡାଳୁଅ ଧାନଚାଷ ଯୋଗୁଁ ନଦୀରୁ ବହୁ ପରିମାଣରେ ପାଣି ବ୍ୟବହାର ହେଉଛି ଓ ସ୍ରୋତ ଶୁଖିଯାଉଛି। ଏହା କେବଳ ମେଣ୍ତାର ସମସ୍ୟା ନୁହଁ। ସୁକତେଲନଦୀରେ ଯେତେ ଇନ୍ଟେକ୍ ୱେଲ ଅଛି ସବୁଠି ଏହି ସମସ୍ୟା ଦେଖାଦେଇଛି। ମେଣ୍ତା ଜଳ ଯୋଗାଣ ପ୍ରକଳ୍ପର ଗୋଟିଏ ଇନ୍ଟେକ୍ ୱେଲରୁ ବାଲି କଢ଼ାଯାଇଛି ଓ ଆଉ ଗୋଟିଏରେ କାମ ଚାଲିଛି। କିନ୍ତୁ ଜଳସ୍ରୋତ ଶୁଖିଯାଉଥିବାରୁ ଠିକ୍ ଭାବେ ଜଳ ଯୋଗାଣ ହୋଇ ପାରୁ ନାହିଁ ବୋଲି ସେ କହିଥିଲେ।
The post ମେଣ୍ତାରେ ପାନୀୟ ଜଳ ସମସ୍ୟା ଗୁରୁତର; ଶୁଖିଲା ପଡ଼ିଛି ସୁକତେଲ ନଦୀଶଯ୍ୟା, ବେଆଇନ ବାଲି ଚାଲାଣ ଓ ଡାଳୁଅ ଧାନଚାଷ ମୁଖ୍ୟକାରଣ first appeared on Sambad.from ରାଜ୍ୟ | Sambad https://ift.tt/3dIsZFI
0 Comments