ମାଡ଼ି ଆସୁଛି କରୋନା ଦ୍ୱିତୀୟ ଲହର; ଖତ ଖାଉଛି ଖଟ, ଅଧିକାଂଶ କେନ୍ଦ୍ରରୁ ମୂଲ୍ୟବାନ ସାମଗ୍ରୀ ଗାଏବ

ହାଟଡ଼ିହି : କରୋନା କାଳରେ ପ୍ରତିଷ୍ଠା କରାଯାଇଥିବା ଟେ‌ମ୍ପରାରି ହେଲଥ ସେଣ୍ଟର(ଟିଏମସି) ସାମଗ୍ରୀ ଏବେ ଖତ ଖାଉଥିବା ବେଳେ ଅଧିକାଂଶ କେନ୍ଦ୍ରରୁ ମୂଲ୍ୟବାନ ସାମଗ୍ରୀ ଗାଏବ ହୋଇଯାଇଛି। ସେପଟେ କରୋନାର ଦ୍ବିତୀୟ ଲହର ଆସି ଡରାଇଲାଣି। ଅମ୍ଳଜାନ ପାଇଁ ଚାରିଆଡ଼େ ହାହାକାର ସୃଷ୍ଟି ହୋଇଥିବା ବେଳେ ଅନେକତ୍ର ଜରୁରୀ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଭୟଙ୍କର ସ୍ଥିତିକୁ ପ୍ରତିହତ କରିବା ପାଇଁ ପ୍ରଶାସନ ପକ୍ଷରୁ ସଚେତନତା ଅଭିଯାନ ସହିତ ବିଭିିନ୍ନ ପ୍ରସ୍ତୁତିକୁ ଜୋରଦାର କରାଯାଇଛି।

ସରକାର ଗତବର୍ଷ କରୋନା କାଳରେ ପ୍ରତି ପଞ୍ଚାୟତରେ ଲକ୍ଷଲକ୍ଷ ଟଙ୍କା ବ୍ୟୟ କରି ପ୍ରବାସୀଙ୍କୁ ସଂଗରୋଧରେ ରଖିବାପାଇଁ ସଂଗରୋଧ କେନ୍ଦ୍ର ଖୋଲିଲେ। ହେଲେ ବର୍ଷେ ଭିତରେ ପଞ୍ଚାୟତକୁ ଯୋଗାଇ ଦିଆଯାଇଥିବା ସାମଗ୍ରୀଗୁଡିକ କିପରି ଅଛି ତାହାର ତଦାରଖ କରିବାକୁ କେହି ନଥିବାରୁ ଅନେକ ପଞ୍ଚାୟତରେ ସେଗୁଡିକ ଖତ ଖାଉଛି। ଆଉ କିଛି ପଞ୍ଚାୟତରେ ମୂଲ୍ୟବାନ ସାମଗ୍ରୀଗୁଡିକ ଉଭାନ ହୋଇଗଲାଣି। ଏବେ ପୁଣି କରୋନାର ଦ୍ୱିତୀୟ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବାବେଳେ ପ୍ରବାସୀ ଓଡିଆମାନେ ଏବେ ଘରକୁ ଫେରିବା ଆରମ୍ଭ କଲେଣି । ସେପଟେ ଲକ୍ଷ ଲକ୍ଷ ଟଙ୍କା ଖର୍ଚରେ ଖୋଲାଯାଇଥିବା ଟିଏମସି ସେଣ୍ଟରେ କିପରି ଅଛି ସ୍ଥିତି ତାର ସମୀକ୍ଷା କଲାବେଳେ ଅନେକ ରୋଚକ ତଥ୍ୟ ସାମନାକୁ ଆସିଛି । ସରକାରକା ମାଲ ଦରିଆମେ ଡାଲ ନୀତିରେ କିଛି ସରପଞ୍ଚ ସାମଗ୍ରୀଗୁଡିକୁ ବେଖାତିର ଭାବେ ଫୋପାଡି ଦେଇଥିବାବେଳେ ଆଉ କିଛି ସଯତ୍ନରେ ସମସ୍ତ ସାମଗ୍ରୀକୁ ସାଇତି ରଖିଛନ୍ତି।

ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତରେ ଏକାଧିକ ଟିଏମସି ସେଣ୍ଟର ଖୋଲାଯାଇ ପ୍ରବାସୀଙ୍କୁ ରଖାଯାଇଥିଲା । ପ୍ରଶାସନ ପକ୍ଷରୁ ଶତାଧିକ ଖଟ, ଗଦି, ବେଡସିଟ୍, ଆକ୍ୱାଗାର୍ଡ, ଇନଭର୍ଟର ଆଦି ଯୋଗାଇ ଦିଆଯାଇଥିଲା। କିନ୍ତୁ ସ୍କୁଲ ଖୋଲିବାରୁ ପଞ୍ଚାୟତ କର୍ତ୍ତୃପକ୍ଷ ଖଟଗୁଡିକୁ ଆଣି ପଞ୍ଚାୟତ କାର୍ଯ୍ୟାଳୟ ବାହାରେ ଗଦା କରିଥିବାବେଳେ ତାହା ଖରାବର୍ଷା ଖାଇ ନଷ୍ଟ ହେବାକୁ ବସିଲାଣି । ଗଦିଗୁଡିକ ବାହାରେ ରଖିଥିବାରୁ ତାହା ନଷ୍ଟ ହୋଇଯାଇଛି ବୋଲି ସରପଞ୍ଚ କହିଛନ୍ତି। ସେହିପରି ଡଅଁର ପଞ୍ଚାୟତରେ ଏହି ସାମଗ୍ରୀର କୌଣସି ହିସାବ ନଥିବାବେଳେ ଇନଭର୍ଟରଗୁଡିକ ଚୋରି ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ କରି ପଞ୍ଚାୟତ କର୍ତ୍ତୃପକ୍ଷ ଚୁପ ହୋଇବସିଗଲେ । ବାସ୍ତବରେ ତାହା ଚୋରି ହୋଇଛି କି ତାକୁ ଗାଏବ କରାଯାଇଛି ତାହା ବି ତଦନ୍ତ ହେଲାନାହିଁ। ସେହିପରି ଗେଡମା ଓ ଷଡଙ୍ଗ ପଞ୍ଚାୟତରେ ମଧ୍ୟ ସମାନ ଅବସ୍ଥା । ଟିଏମସି ସେଣ୍ଟରେ ଲାଗିଥିବା ଇନଭର୍ଟରଗୁଡିକ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସୁଲଣ ପଞ୍ଚାୟତର ବିରିଡି ସ୍କୁଲରେ ହୋଇଥିବା ଟିଏମସି ସେଣ୍ଟରରେ ଗୋଟିଏବି ସାମଗ୍ରୀ ନଥିବା ଦେଖିବାକୁ ମିଳିଛି । ବନ୍ୟାରେ ସବୁ ଭାସିଗଲା ବୋଲି ସରପଞ୍ଚ ସଫେଇ ଦେଇଛନ୍ତି। କିନ୍ତୁ ପଞ୍ଚୁଗୋଛିଆ ପଞ୍ଚାୟତରେ ସମସ୍ତ ସାମଗ୍ରୀକୁ ସଯତ୍ନରେ ସାଇତି ରଖାଯାଇଥିବାବେଳେ ବଡ ରମ୍ପାସ ପଞ୍ଚାୟତରେ ତାହାକୁ ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ଗଚ୍ଛିତ ରଖାଯାଇଛି। ଏପରିକି କିଟ ଗୁଡିକ ମଧ୍ୟ ସଫା ସୁତୁରା କରି ରଖାଯାଇଛି। ସେହିପରି ଶାସଙ୍ଗ ପଞ୍ଚାୟତରେ ମଧ୍ୟ ଯତ୍ନ ସହକାରେ ତାହାକୁ ସଜାଇ ରଖାଯାଇଛି।

ଯଦି ପ୍ରଶାସନ ପୁନର୍ବାର ଟିଏମସି ସେଣ୍ଟରଗୁଡିକ ଖୋଲିବାକୁ ନିଷ୍ପତ୍ତି ନିଅନ୍ତି ତେବେ ଅବିଳମ୍ବେ ତାହା ଖୋଲାଯାଇ ପାରିବ ବୋଲି ପଞ୍ଚୁଗୋଛିଆ, ଶାସଙ୍ଗ, ବଡରମ୍ପାସ, ବଞ୍ଚୋ ଆଦି ପଞ୍ଚାୟତ କର୍ତ୍ତୃପକ୍ଷ ଦୃଢ଼ତାର ସହ କହିଛନ୍ତି । କିନ୍ତୁ ଯେଉଁଠି ଏହିସବୁ ସାମଗ୍ରୀକୁ ଦାୟିତ୍ୱ ହୀନତା ଭାବେ ଫୋପାଡି ଦିଆଯାଇଛି କିମ୍ବା ଗାଏବ କରିଦିଆଯାଇଛି ସେନେଇ ପ୍ରଶାସନ କ’ଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଛି ।

The post ମାଡ଼ି ଆସୁଛି କରୋନା ଦ୍ୱିତୀୟ ଲହର; ଖତ ଖାଉଛି ଖଟ, ଅଧିକାଂଶ କେନ୍ଦ୍ରରୁ ମୂଲ୍ୟବାନ ସାମଗ୍ରୀ ଗାଏବ first appeared on Sambad.

from ରାଜ୍ୟ | Sambad https://ift.tt/3gzDQUd

Post a Comment

0 Comments