
ସନ୍ଦେହଘେରରେ ବିଭାଗୀୟ ଅଧିକାରୀ, ସହକାରୀ ଯନ୍ତ୍ରୀଙ୍କ ଭୂମିକା
ପୋଷ୍ଟମାଷ୍ଟର, ସରକାରୀ କର୍ମଚାରୀ କରୁଛନ୍ତି ଠିକାକାମ
ରାଉରକେଲା : ନାନା ଦୁର୍ନୀତିରେ ଡୁବିଛି ପାନପୋଷ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) । ସେବାଶ୍ରମ ସ୍କୁଲ ମରାମତି, ନିର୍ମାଣ ହେଉ ଅବା ହଷ୍ଟେଲଗୁଡ଼ିକୁ ଆବଶ୍ୟକ ସରଞ୍ଜାମ ଯୋଗାଣରେ ଦୁର୍ନୀତିର ଗନ୍ଧ ବାହାରୁଛି। ପ୍ରତ୍ୟେକ କାମରେ ବିଭାଗୀୟ ଅଧିକାରୀ ପିସି ଦାବି କରୁଛନ୍ତି। ପିସି ନ ଦେଲେ ଠିକାଦାରଙ୍କୁ କାମ ମିଳୁନି। ଅଧିକାଂଶ ଠିକାଦାରଙ୍କ ଫାଇନାଲ ବିଲ୍ ପାଇବାକୁ ମାସ ମାସ ଧରି ଅଫିସ୍କୁ ଦୌଡିବାକୁ ପଡୁଛି। ଆଉ କିଛି ଠିକାଦାର ବିଭାଗୀୟ ଅଧିକାରୀ ଓ ସମ୍ପୃକ୍ତ ସହକାରୀ ଯନ୍ତ୍ରୀଙ୍କ ସହ ଭିତିରି ସଲାସୁତୁରା କରି ଅଧିକାଂଶ କାମ ହାତଉଛନ୍ତି। ମୋଟା ଅଙ୍କର ପିସି ଦେଉଥିବା କିଛି ନିର୍ଦ୍ଦିଷ୍ଟ ଠିକାଦାରକୁ ବିଭାଗୀୟ ଅଧିକାରୀ ଓ ସହକାରୀ ଯନ୍ତ୍ରୀମାନେ ସର୍ବଦା ଅନୁକମ୍ପା ଦେଖାଇ ଚାଲିଛନ୍ତି। ଯାହାର ଜ୍ବଳନ୍ତ ଉଦାହରଣ ହେଉଛି ନୂଆଗାଁ ବ୍ଲକ୍।

ନୂଆଗାଁ ବ୍ଲକରେ ଆବାସିକ ବିଦ୍ୟାଳୟ, ଛାତ୍ରୀ ନିବାସ ନିର୍ମାଣ ଓ ମରାମତି ଚାଲିଛି। ଏ ବାବଦରେ ସରକାରଙ୍କ ବିଭିନ୍ନ ପାଣ୍ଠିରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ପାଣ୍ଠିର ସଦ୍ବିନିଯୋଗକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଚଳିତ ବର୍ଷ ବ୍ଲକର ଚିତାପେଡି ପଞ୍ଚାୟତର ଗଡବୁରୁ ସେବାଶ୍ରମ ସ୍କୁଲ, ବଡଯୋଜଦା ପଞ୍ଚାୟତର ତାଇନ୍ଦା ସେବାଶ୍ରମ ସ୍କୁଲ, ନୂଆଗାଁ ସଦର ହଷ୍ଟେଲ, ଗୋପୁର ସେବାଶ୍ରମ, ଲହଣ୍ଡା ସେବାଶ୍ରମ ପରି ଅନେକ ଆବାସିକ ବିଦ୍ୟାଳୟ, ଛାତ୍ରୀନିବାସ ଗୁଡ଼ିକର ମରାମତି କାର୍ଯ୍ୟ ଚାଲିଛି। ସମସ୍ତ କାର୍ଯ୍ୟ ଆଇଟିଡିଏ ଜନୈକ ସହକାରୀ ଯନ୍ତ୍ରୀଙ୍କ ନାଁରେ କାର୍ଯ୍ୟାଦେଶ ରହିଛି। ଅଧା ଡଜନରୁ ଅଧିକ କାମ ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ଦିଆଯାଇଛି। ଯାହାକୁ ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି। ଏପରିକି କାର୍ଯ୍ୟର ମାନକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗଡବୁରୁ ସେବାଶ୍ରମରେ ନିମ୍ନମାନର ଟାଇଲ ପକାଯାଇଛି ମୋଟା ଅଙ୍କର ବିଲ୍ କରାଯାଉଛି। ଅନୁରୂପ ଭାବେ ମରାମତି କାମରେ ମଧ୍ୟ ସେହି ସମାନ ସ୍ଥିତି। ନିମ୍ନମାନର କାମକୁ ନେଇ ଅନେକ ସମୟରେ ସ୍ଥାନୀୟ ଲୋକ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ପିସି ମୋହରରେ ବିଭାଗୀୟ ଅଧିକାରୀ ଚୁପ୍ ରହୁଛନ୍ତି। ଏମିତି ଭାବେ ଠିକାଦାରମାନେ ମରାମତି, ନିର୍ମାଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ଚଳୁ କରୁଛି। ଯାହା ତଦନ୍ତ ସାପେକ୍ଷ।
ସବୁଠାରୁ ଆଶ୍ଚର୍ଯ୍ୟ କଥା ପୋଷ୍ଟମାଷ୍ଟର, ସରକାରୀ କର୍ମଚାରୀ ଏଠି ଠିକାଦାର କରୁଥିଲେ ହେଁ ସହକାରୀ ଯନ୍ତ୍ରୀ ପ୍ରତିବାଦ କରୁ ନାହାନ୍ତି। କେବଳ ନୂଆଗାଁ ବ୍ଲକ ନୁହେଁ କୁଆରମୁଣ୍ଡା, ଲାଠିକଟା, ବିଶ୍ରା ବ୍ଲକରେ ମଧ୍ୟ ସେହି ସମାନ ଅଭିଯୋଗ ହେଉଛି। ସ୍କୁଲ ମରାମତି, ନିର୍ମାଣ ଠାରୁ ଅନ୍ୟାନ୍ୟ କାର୍ଯ୍ୟରେ ନିର୍ଦ୍ଦିଷ୍ଟ ଠିକାଦାରମାନଙ୍କୁ ଅନୁକମ୍ପା ଦିଆଯାଉଥିବା ଅନେକ ଠିକାଦାର କାମ ପାଇବାରୁ ବଞ୍ଚିତ ହେଉଛନ୍ତି। ସେପଟେ ଆଇଟିଡିଏ ଅଫିସର ଯନ୍ତ୍ରୀ, ଅଧିକାରୀ ତିନି ବର୍ଷରୁ ଅଧିକ ସମୟ ଧରି କାମ କରୁଥିଲେ ହେଁ ଅନ୍ୟତ୍ର ବଦଳି ହେଉ ନାହାନ୍ତି। ଏମାନଙ୍କ ବଦଳି ନ ହେବା ପଛରେ ବିଭାଗୀୟ ଉଚ୍ଚ ଅଧିକାରୀ, ରାଜନୈତିକ ଦଳର ଭୂମିକା ରହିଥିବା ଚର୍ଚ୍ଚା ହେଉଛି। ତେବେ ପାନପୋଷ ଆଇଟିଡିଏରେ ଚାଲିଥିବା ଏଭଳି ଦୁର୍ନୀତି ଭିଜିଲାନ୍ସ ତଦନ୍ତ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।
The post ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ପାନପୋଷ ପିଏଆଇଟିଡିଏର ଅନୁକମ୍ପା, ସେବାଶ୍ରମ ସ୍କୁଲ ମରାମତି ନାଁରେ ଲକ୍ଷ ଲକ୍ଷ ଚଳୁ ! first appeared on Sambad.from ରାଜ୍ୟ | Sambad https://ift.tt/3e9Wmjk
0 Comments