
ଭୁବନେଶ୍ବର : ରାଜ୍ୟର ପାରଦ ଏବେ ତଳମୁହାଁ ହେବାରେ ଲାଗିଛି। ଗତ ୨ ଦିନ ତଳେ ରାଜ୍ୟର ୧୬ଟି ସହରର ତାପମାତ୍ରା ୪୧ ଡିଗ୍ରି ଅତିକ୍ରମ କରିଥିବା ବେଳେ ଆଜି ମାତ୍ର ୪ ସହରର ତାପମାତ୍ରା ୪୦ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟର ରାଜ୍ୟର ଆଉ କିଛି ଅଞ୍ଚଳର ତାପମାତ୍ରା ୨ ଡିଗ୍ରି ପର୍ଯ୍ୟନ୍ତ ଖସିବ। ଆଜି ରାଜ୍ୟର ସର୍ବାଧିକ ତାପମାତ୍ରା ମାଲକାନଗିରିଠାରେ ୪୦.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ସୁନ୍ଦରଗଡ଼, ବଲାଙ୍ଗୀର ଓ ଟିଟିଲାଗଡ଼ର ତାପମାତ୍ରା ୪୦ ଡିଗ୍ରି ଲେଖାଏଁ ରେକର୍ଡ ହୋଇଛି। ଆସନ୍ତାକାଲି ଉପକୂଳ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ତାପମାତ୍ରା ଆହୁରି ଖସିବ ବୋଲି ଅନୁମାନ କରାଯାଉଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଜପତି, ଗଞ୍ଜାମ, ଖୋର୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ଢେଙ୍କାନାଳ ଓ ଅନୁଗୁଳ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିବ। ଏଣୁ ଏହି ୧୪ ଜିଲ୍ଲା ପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାପରେ ରାଜ୍ୟରେ ପାଗ ଶୁଖିଲା ରହିବ ଓ ପରବର୍ତ୍ତୀ ୩ ଦିନ ପର୍ଯ୍ୟନ୍ତ କାଳବୈଶାଖୀର କୌଣସି ସମ୍ଭାବନା ନଥିବା କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ଶନିବାର ରାଜଧାନୀ ଭୁବନେଶ୍ବରର ସର୍ବାଧିକ ତାପମାତ୍ରା ୩୭.୪ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତାକାଲି ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳର ତାପମାତ୍ରା ପ୍ରାୟ ୨ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇ ୩୫ ଡିଗ୍ରିକୁ ଖସିଯିବ। ଆକାଶ ଆଂଶିକ ମେଘୁଆ ରହିବ ଓ ଅପରାହ୍ନ ଆଡ଼କୁ ଝଡ଼ବର୍ଷାର ବି ସମ୍ଭାବନା ରହିଛି ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।
The post ଖସୁଛି ପାରଦ, ୨୪ ଘଣ୍ଟାରେ ଆହୁରି ୨ ଡିଗ୍ରି ଖସିବ first appeared on Sambad.from ରାଜ୍ୟ | Sambad https://ift.tt/39GlwEK
0 Comments